ଏ ଦୁର୍ଦ୍ଦିନ ଦୂର ହେବ କେମିତି-ଶ୍ରୀ ନିରଞ୍ଜନ ପଟ୍ଟନାୟକ
ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:
କରୋନା ମହାମାରୀ ସମଗ୍ର ମାନବଜାତି ପାଇଁ ଏକ ବିରାଟ ଆହ୍ବାନ ହୋଇ ଛିଡ଼ାହୋଇଛି। ମଣିଷ ସଭ୍ୟତାର ସମସ୍ତ ପ୍ରଗତି ସତ୍ତ୍ବେ ମଣିଷ କେତେ ଅସହାୟ ତାହା କରୋନାର ଭୟାବହତାରୁ ପ୍ରମାଣିତ ହୋଇ ଯାଇଛି । ପ୍ରତିଦିନ କେହିନା କେହି ପରିଚିତ ଲୋକ ଜଣେ ଅକାଳରେ ଆଖୁ ବୁଜି ଦେଉଛନ୍ତି ।ପରିସ୍ଥିତି ଏପରି ହୋଇଛି, ଗୋଟିଏ ଗୋଟିଏ ପରିବାରରୁ ସ୍ୱାମୀ-ସ୍ତ୍ରୀ, ବାପ-ପୁଅ, ବାଦା ପୁତୁରା ଡକାହକା ହେବା ପରି ଆଗପଛ ହୋଇ ଚାଲି ଯାଉଛନ୍ତି, ପୁଣି ଶବକୁ ଚାରିକାନ୍ଧ ଦେବାକୁ ସାହି ଭାଇତ ଦୂରର କଥା ନିଜ ପରିବାରର ଲୋକବି ବାହାରୁ ନାହାନ୍ତି। ଏପରି ଏକ ଦୁର୍ଦ୍ଦିନ ମଣିଷ ଜାତିର ଇତିହାସରେ କେବେ ଆସିନ’ଥୁଲା କି ଆସିବନାହିଁ, ଏହି ପରିସ୍ଥିତିରୁ ମୁକୁଳିବାକୁ ହେଲେ ଆମକୁ ସତର୍କ ହେବାକୁ ପଡିବ, ସଚେତନ ହେବାକୁ ପଡିବ ଓ ସମ୍ମିଳିତ ଭାବେ ପରିସ୍ଥିତିର ସାମ୍ନା କରିବାକୁ ପଡିବ।
କରୋନା ମହାମାରୀ ସମୟରେ ବ୍ୟକ୍ତିର ଦାୟିତ୍ଵ ହେଲା, ସେ ସରକାରଙ୍କ ଦ୍ବାରା ଲାଗୁ କରାଯାଉଥିବା ନିୟମକୁ କଡାକଡି ପାଳନ କରିବ ଓ କରୋନା କିପରି ତାଙ୍କ ମାଧ୍ୟମରେ ସଂକ୍ରମଣ ନ’ହେବ ସେ କଥା ସେ ଦେଖୁବ, ସରକାରଙ୍କର ଦାୟିତ୍ୱ ହେଲା, ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦେବା ସହ ସେମାନଙ୍କ ସ୍ବାସ୍ଥ୍ୟ ସଂପଦର ସୁରକ୍ଷା କରିବା ଓ ଦେଶ ତଥା ରାଜ୍ୟର ଅର୍ଥନୀତିକୁ ନିମ୍ନଗାମୀ ନ’କରିବା ।
ଏହି ପରିପ୍ରେକ୍ଷୀରେ ମୋର ଯାହା ମନେହୁଏ ଆଜି କରୋନା ତା’ର ଦ୍ଵିତୀୟ ଲହରରେ ଯେଉଁ ତାଣ୍ଡବ ସୃଷ୍ଟି କରୁଛି, ସେଥ୍ୟପାଇଁ ଦେଶର ଜନଗଣଙ୍କ ଅପେକ୍ଷା ସରକାର ଅଧିକ ପରିମାଣରେ ଦାୟୀ। ଗତ ବର୍ଷ ଚାଇନାରୁ କରୋନା ଭୂତାଣୁ ଭାରତକୁ ଆସିବାର ଆଶଙ୍କା ଥିବାବେଳେ, ଆମେରିକାର ତତକାଳୀନ ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କୁ ଖୁସି କରିବା ପାଇଁ ମୋଦୀ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଆୟୋଜିତ କଲେ, ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଲା। ସେହିପରି ଚଳିତ ବର୍ଷ କରୋନାର ଦ୍ଵିତୀୟ ଲହର ମାଡି ଆସୁଥିବାବେଳେ କୁମ୍ଭମେଳା ଆୟୋଜନ କରି ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ ହେବାକୁ ସୁଯୋଗ ଦିଆଗଲା. ଗତ ବର୍ଷ କରୋନା ବେଳେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ କଲେ ଓ ମଧ୍ୟପ୍ରଦେଶ ସରକାର ଭାଙ୍ଗି ନିର୍ବାଚନ କଲେ, ଏ ବର୍ଷ ଇତିହାସରେ ପ୍ରଥମ କରି ୮ ଦଫାରେ ଓ ପଶ୍ଚିମବଙ୍ଗରେ ନିର୍ବାଚନ କଲେ, ଏହିସବୁ ମନୋମୁଖୀ ନୀତି ଯାହାକି କରୋନା ସଂକ୍ରମଣକୁ ଏକପ୍ରକାର ନିମନ୍ତ୍ରଣ କରି ଆଣିଲା, ଗତବର୍ଷ ଲକ୍ଷାଧୂକ ଲୋକଙ୍କ ମୃତ୍ୟୁପରେ ଦେଶବାସୀଙ୍କୁ ଆଶ୍ବାସନା ଦିଆଗଲା କରୋନା ଟୀକା ଆସିଗଲେ ଆଉ କିଛି ଭୟ କରିବାର ନାହିଁ, ହେଲେ ଆଜି ଯାଏଁ ଦଶ ଭାଗ ଲୋକ ବି ଟୀକା ପାଇ ପାରିଲେନାହିଁ, ଆମ ରାଜ୍ୟରେତ ସରକାର ମଦର ହୋମ ଡେଲିଭରୀ କରୁଛନ୍ତି ଅଥଚ ସାଧାରଣ ଲୋକଙ୍କୁ ଟୀକା ଯୋଗାଇ ପାରୁନାହାନ୍ତି । ଏଇଠି ସ୍ମରଣରେ ଆସୁଛି ନଅଙ୍କ ଦୁର୍ଭିକ୍ଷ କଥା ।1866ରେ ଓଡ଼ିଶାରେ ଯେଉଁ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା, ତାହା କେତେକ ପ୍ରାକୃତିକ କାରଣ ଯୋଗୁ ହୋଇଥିଲେ ମଧ୍ୟ ତତକାଳୀନ ଶାସକବର୍ଗଙ୍କର ଅବହେଳାରୁ ଏହା ଚରମ ଅବସ୍ଥାରେ ପହଁଚିଲା, ଦୁର୍ଭିକ୍ଷ ହୋଇଛି କି ନାହିଁ ଶାସକ ଜାଣିପାରିଲେନାହିଁ, ଦୁର୍ଭିକ୍ଷ ପରିସ୍ଥିତିକୁ କେମିତି ମୁକାବିଲା କରାଯିବ, ତାହା ମଧ୍ୟ ଶାସକବର୍ଗ ଜାଣିନ’ ଥିଲେ। ଅଭିନବ ସରକାର ଦେଶର ଧନୀ ଓ ମଠ ମହନ୍ତମାନଙ୍କ ଠାରୁ ସାହାଯ୍ୟ ଆଣି ଲୋକମାନଙ୍କ ପାଖରେ କିପରି ପହଞ୍ଚିବେ, ସେଥ୍ପାଇଁ କୌଣସି ଯୋଜନା କରିପାରିଲେ ନାହିଁ, ଫଳରେ ଲୋକ ପୋକମାଛି ପରି ମଲେ, ମଣିଷ ଭୋକ ବିକଳରେ ଅଖାଦ୍ୟ ଖାଇଲା ।
ନଅଙ୍କ ଦୁର୍ଭିକ୍ଷ ଇତିମଧ୍ୟରେ 150 ବର୍ଷରୁ ଅଧିକ ହେଲାଣି। କିନ୍ତୁ, ଆମ ଦୁର୍ଦ୍ଦିନ ଘଂଚିଲା ନାହିଁ, ଚଳିତ ବର୍ଷ କରୋନା ଦ୍ଵିତୀୟ ଲହରୀ ଓଡ଼ିଶାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆସିଲା ବାତ୍ୟା ୟାଶ, ଏକାବେଳେ ଦୁଇଟି ବିପଦକୁ ମୁକାବିଲା କରିବା ଯେକୌଣସି ସରକାର ପାଇଁ ଏକ ଆହ୍ବାନ ନିଶ୍ଚୟ, କିନ୍ତୁ ବାତ୍ୟା ଆଶଙ୍କା କରାଯାଉଥିବା ହାରରେ କ୍ଷତି ନକରି ଚାଲିଯିବା ପରବର୍ତ୍ତୀ ସମୟରେ ଓଡିଶା ସରକାର ଯେପରି ଆଭିମୁଖ୍ୟ ପ୍ରଦର୍ଶନ କଲେ, ସେଥୁରୁ ସରକାର କେତେଦୂର ପ୍ରଚାର ସର୍ବସ୍ଵ ହୋଇଗଲେଣି ତାହା ଯେ କେହି ଅନୁମାନ କରିପାରିବ,1999ର ମହାବାତ୍ୟା ଥିଲା ସବୁଠାରୁ ଭିନ୍ନ। ସେତେବେଳେ ପାଣିପାଗ ବିଜ୍ଞାନ ସେତେ ଉନ୍ନତି କରି ନ’ଥିବାରୁ ବାତ୍ୟା ସଂପର୍କରେ ଆଗୁଆ ସୂଚନା ମିଳିବ ସମ୍ଭବ ନ’ଥିଲା, ଏହା ବାଦ ସେହି ବାତ୍ୟାର ପ୍ରକୋପ ଏତେ ଶକ୍ତିଶାଳୀ ଥିଲା ଯେ, ପକ୍କାଘର ମଧ୍ୟ ଭୁଷୁଡ଼ିଗଲା, ଏବେ କିନ୍ତୁ ପାଣିପାଗ ବିଜ୍ଞାନୀମାନଙ୍କ ପାଇଁ ସୁପର କମ୍ପ୍ୟୁଟର ପରି ଶକ୍ତିଶାଳୀ କମ୍ପ୍ୟୁଟର, ସାଟେଲାଇଟ ଓ ଉନ୍ନତମାନର ରାଡ଼ାର ଉପଲବ୍ଧ ହେଲାଣି, ଯାହାଫଳରେ ଅନ୍ତତଃ ସପ୍ତାହେ ପୂର୍ବରୁ ସମସ୍ତେ ବାତ୍ୟାର ଗତିପଥ ସଂପର୍କରେ ସମ୍ଭାବ୍ୟ ସୂଚନା ପାଇପାରୁଛନ୍ତି, ଏହା ଫଳରେ ଲୋକଙ୍କୁ ସ୍ଥାନାନ୍ତର କରିବା ଏକପ୍ରକାର ସହଜ ହୋଇଛି । ଏଥର ଏହି ଆଗୁଆ ସୂଚନା ପାଇ ସରକାର 6 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ବୋଲି କହିଲେ, ଏହାର ହିସାବ କିଏ କେମିତି କଲା? ଆମେ ଗାଁ ଗହଳର ଓ ବିଭିନ୍ନ ପଞ୍ଚାୟତର ଲୋକମାନଙ୍କୁ ଯୋଗାଯୋଗ କରି ଯାହା ବୁଝିଲୁ, ତାହା ପ୍ରକୃତରେ ଅତ୍ୟନ୍ତ ନିରୁତ୍ସାୟ ଜନକ, ଲୋକମାନଙ୍କୁ ପ୍ରଲୋଭିତ କରାଗଲା, ବାତ୍ୟା ଆଶ୍ରୟସ୍ଥଳୀକୁ ଆସି ନାମ ଦରଜ କରିଥିବା ଲୋକହିଁ ପରବର୍ତ୍ତୀ ସମୟରେ ବାତ୍ୟା ସହାୟତା ପାଇପାରିବ, ତେଣୁ, ଅଧିକାଂଶ ପକ୍କାଘର ଥିବା ଲୋକ ଦିନରୁ ଆସି ନାମ ପଞ୍ଜିକରଣ କରି ସନ୍ଧ୍ୟାକୁ ଘରକୁ ଫେରିଗଲେ, କିନ୍ତୁ ଅନ୍ୟପକ୍ଷରେ କୁହାଯାଇପାରେ ଉପକୂଳ ଅଂଚଳର ଲେକ୍ଷ ଲୋକଙ୍କୁ କାହିଁକି ବାତ୍ୟା ଆଶ୍ରୟସ୍ଥଳକୁ ଅଣାଗଲା? କାରଣ, ତାଙ୍କର ପକ୍କାଘର ନାହିଁ । ତା’ ହେଲେ ଏତେ ବର୍ଷ ହେଲା ପକ୍କାଘର ଯୋଜନାରେ ଘର ପାଉଛନ୍ତି କେଉଁମାନେ? ପ୍ରକୃତରେ ସରଜମିନରୁ ଯାହା ଜଣାଯାଉଛି, ପକ୍କାଘର ସବୁ ଦଳୀୟ ଭିତ୍ତିରେ ସରକାରୀ ଦଳ ସମର୍ଥକମାନେ ଆଜିଯାଏ ପାଇ ଆସୁଛନ୍ତି, କିନ୍ତୁ ଦୈବୀ ଦୁର୍ବିପାକବେଳେ ସାଧାରଣ ଲୋକଙ୍କୁ ମୋହରା କରି ପୁରସ୍କାର ହାତେଇବା ସ୍ବପ୍ନରେ ପାଗଳ ସରକାର କାହିଁ ଜାଣିବେ ଗରିବ ଜନସାଧାରଣଙ୍କ ବାସ୍ତବ ସ୍ଥିତି।ତିତିଲ, ହୁଡହୁଡ, ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଲୋକେ ଆଜି ଯାଏ ସେମାନଙ୍କ କ୍ଷତିପୂରଣ ପାଇନାହାନ୍ତି, କିନ୍ତୁ ଏହି ଦୁର୍ବିପାକକୁ ମଉକା ଭାବି ଫାଇଦା ଯୋଗାଡ କରିବାରେ ସରକାର ପାଗଳ, ରାଜ୍ୟର ସମ୍ବଳ ଯଥେଷ୍ଟ ଥିଲେ, କେନ୍ଦ୍ରକୁ ସାହାଯ୍ୟ ନମାଗିବା ଭଲ କଥା। ଏବେ ପ୍ରଶ୍ନ ଉଠୁଛି ଆମ ରାଜ୍ୟ ଯଦି ସମ୍ବଳରେ ସକ୍ଷମ ତେବେ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି କାହିଁକି? ପ୍ରକୃତ କଥା ହେଲା ବି.ଜେ.ପି. ଓ ବି.ଜେ.ଡି ସଲାସୁତରା କରି ଦୁର୍ଦ୍ଦିନରୁ ମଧ୍ୟ ରାଜନୈତିକ ଫାଇଦା ନେବାରେ ବ୍ୟସ୍ତ, ଏକଥା ଲୋକେ ଜାଣିଗଲେଣି।
ଏବେ କରୋନା ସ୍ଥିତି ଏମିତି ସଙ୍ଗୀନ ଯେ, ପ୍ରତିଦିନ କାହାର ନ କାହାର ପରିଚିତ ମଣିଷ ମୃତ୍ୟୁମୁଖରେ ପଡୁଛି. ଡାକ୍ତରଖାନାରେ ବେଡ଼ଟିଏ ପାଇବା ପାଇଁ ଧରାଧରି ନ’ କଲେ ସମ୍ଭବ ହେଉନି, ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ବୁଲିବୁଲି ରୋଗୀର ଆମ୍ବୁଲାନ୍ସରେ ପ୍ରାଣ ଯାଉଛି, ବାତ୍ୟା ସମୟରେ ବିଭିନ୍ନ ଡାକ୍ତରଖାନାରେ ଶତାଧୂକ ରୋଗୀଙ୍କ ମୃତଦେହ ଦିନ ଦିନ ଧରି ପଡି ରହିଲା, ଟିକାକରଣରେତ ଅବ୍ୟବସ୍ଥା ନ କହିଲେ ଭଲ, ଆଜି ଯେଉଁ କେନ୍ଦ୍ରରେ ଟୀକା ମିଳିବ ବୋଲି ସୂଚନା ମିଳୁଛି କାଲି ସେ କେନ୍ଦ୍ରରେ ତାଲା ଝୁଲୁଛି। ଶୁଣିବାକୁ କେହି ନାହାନ୍ତି। ଏଥର ଗ୍ରାମାଞ୍ଚଳର ସ୍ଥିତି ଆହୁରି ସଙ୍ଗୀନ, ଲକଡାଉନ, ସଟଡାଉନ ନାଁରେ କେବଳ ବ୍ୟବସାୟୀ ଓ କିଛି ଗାଡିଚାଳକଙ୍କୁ ଫାଇନ କଟାଯାଉଛି । ଏଣେ ସବୁ ମେଲା ମୁକୁଳା, କିଏ କାହାକୁ କହିବ? ଲୋକେ ଭାଗ୍ୟକୁ ଆଦରି ରହିଲେଣି. ଏହି ସମୟରେ ବେଡି ଉପରେ କରୋଡା ମାଡ଼ ପରି, ବଜାରରେ ସବୁ ଖାଉଟି ଦ୍ରବ୍ୟର ଆକାଶଛୁଆଁ ଦରବୃଦ୍ଧି. ତଥାପି କିଛି ଲୋକ ବିକାଶର ସ୍ଲୋଗାନ ଦେଉଛନ୍ତି ଓ ସୁଶାନର ନାରା ଦଉଛନ୍ତି, ଏଥ୍ପାଇଁ ଆମର ସଚେତନତା ଅଭାବ ଏକମାତ୍ର ଦାୟୀ. ଲୋକେ ସଚେତନ ନ’ହେଲେ ଭଲ ଓ ମନ୍ଦିର ପାର୍ଥକ୍ୟ ଜାଣିପାରିବେ ନାହିଁ, ନିଜେହିଁ ନିଜ ପାଇଁ କାଳ ହେବେ। ତେଣୁ ଏ ମହାମାରୀ ଓ ବାତ୍ୟା ଆମକୁ ଶିକ୍ଷା ଦେଲା, ସଚେତନ ହୋଇ ଆମେ ଆମ ହକ ପାଇଁ ସ୍ୱର ଉଠେଇବା, କାହାର ପୁରସ୍କାର ଓ ପ୍ରଲୋଭନରେ ଆମ ଦୁଃଖ ଘୁଞ୍ଚିବ ନାହିଁ, ଆମକୁ ଖାଦ୍ୟ, ପାନୀୟ, ସ୍ବାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେବା ଏକ ଉତ୍ତରଦାୟୀ ସରକାରର କର୍ତ୍ତବ୍ୟ ବୋଲି ଆମକୁ ମନେରଖୁବାକୁ ହେବ।