Breaking

ପୋଲିସ୍‌ କବଜାରେ ଲୁଟେରା ଗ୍ୟାଙ୍ଗ: ୯ ଜଣ ଲୁଟେରା ଗିରଫ

ବ୍ୟାପକ ସାମଗ୍ରୀ ଜବତ : ଜଣେ ଫେରାର

0

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ :

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ବଡ଼ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ୍‌ । ତୁମୁଡ଼ିବନ୍ଧ ମଦ ଦୋକାନରୁ ବଡ଼ ଧରଣର ଲୁଟ୍‌ ଘଟଣାର ପର୍ଦ୍ଧାଫାଶ କଲା ତୁମୁଡ଼ିବନ୍ଧ ପୋଲିସ୍‌ । ତୁମୁଡ଼ିବନ୍ଧ ଥାନା ରାମପୁର ଛକରେ ଥିବା ନୂଆ ମଦ ଦୋକାନରୁ ଲୁଟ୍‌ କରିଥିଲେ କିଛି ଦୁବୃର୍ତ୍ତ । ଅଭିଯୋଗ ପ୍ରକାରେ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍‌ । ସମସ୍ତ ଲୁଟ୍‌ ସାମଗ୍ରୀ ଜବତ କରିବା ସହ ଲୁଟ୍‌ରେ ବ୍ୟବହୃତ ଅଟୋକୁ ଜବତ କରିଛି ପୋଲିସ୍‌ । ଘଟଣାରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗର ୯ ଜଣଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ଅନ୍ୟଜଣେ ଏବେବି ଫେରାର୍‌ ଥିବା ଜଣାପଡ଼ିଛି । ସମସ୍ତ ଲୁଟେରା ତୁମୁଡ଼ିବନ୍ଧ ଓ ବାଲିଗୁଡ଼ା ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ବିରୋଧରେ ପୁର୍ବରୁ ଅନେକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏଥିସହିତ ସେମାନଙ୍କ ନିକଟରୁ ମୋବାଇଲ, ଗୋଟିଏ ଖେଳଣା ପିସ୍ତଲ୍‌, ଗୋଟିଏ ଧାରୁଆ ଛୁରୀ ପୋଲିସ୍‌ ଜବତ କରିଥିବା ଜଣାପଡ଼ିଛି । ଗତ ୧୦ତାରିଖ ରାତିରେ ସେଲ୍ସ ମ୍ୟାନ୍‌ ଓ ତାଙ୍କ ସହଯୋଗୀଙ୍କୁ ଖଟରେ ବାନ୍ଧି ମଦ ଦୋକାନରେ ଥିବା ପାଖାପାଖି ୬ଲକ୍ଷ ଟଙ୍କାର ମଦ ସହ ଦୋକାନରେ ଥିବା ଇନଭର୍ଟର, ୟୁପିଆଇ ମେସିନ୍‌ ସହ ସେଲ୍ସ ମ୍ୟାନଙ୍କ ସ୍କୁଟି ଓ ସିସି କ୍ୟାମେରାର ହାର୍ଡ ଡିସ୍କ ମଧ୍ୟ ଲୁଟ୍‌ କରିଥିବା ଅଭିଯୋଗ ହୋଇଥିଲା । ଏହା ତୁମୁଡ଼ିବନ୍ଧ ପୋଲିସ୍‌ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଥିଲା । ସମସ୍ତଙ୍କ ଚେଷ୍ଟା ବଳରେ ଘଟଣାର ତିନିଦିନ ମଧ୍ୟରେ ଆମେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛୁ ବୋଲି ବାଲିଗୁଡ଼ା ଏସଡିପିଓ ମନୋଜ ପୁଜାରୀ କହିଛନ୍ତି l ଅନ୍ୟ ପଟେ ଆଖପାଖ ଥାନାରେ ଏହି ଗ୍ୟାଙ୍ଗର ପୂର୍ବରୁ ଏଭଳି ଅନେକ ମାମଲା ରହିଛି ଯାହାର ବର୍ତ୍ତମାନ ସମୟରେ ଆମେ ଅଧିକ ତଦନ୍ତ ଜାରି ରଖିଛୁ ବୋଲି ବାଲିଗୁଡ଼ା ଏସଡିପିଓ ଶ୍ରୀ ପୂଜାରୀ କହିଛନ୍ତି ।

loading...

Leave A Reply

Your email address will not be published.