Breaking

କେବଳ ଆକସନ୍ ପ୍ରେମୀ ନୁହନ୍ତି, ସବୁ ଶ୍ରେଣୀର ଦର୍ଶକଙ୍କୁ ରୋମାଞ୍ଚିତ କରିବ ‘କମାଣ୍ଡୋ’ : ପ୍ରେମ୍ ପରିଜା

0

ଭୁବନେଶ୍ୱର: ଦେଶର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ଡିଜନି+ ହଟଷ୍ଟାରରେ ୱେବସିରିଜ୍ ‘କମାଣ୍ଡୋ’ ଶୁକ୍ରବାର ରିଲିଜ୍ ହୋଇଛି। ଏହାର ଦିନକ ପରେ ‘କମାଣ୍ଡୋ’ର ପ୍ରମୋସନ୍ ଲାଗି ଭୁବନେଶ୍ବର ଆସି ପହଞ୍ଚିଛନ୍ତି ଏଥିରେ ମୁଖ୍ୟ ଭୂମିକାରେ ଥିବା ଓଡ଼ିଆ ପୁଅ ପ୍ରେମ୍ ପରିଜା। ଗତକାଲି ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ହାଇଅକ୍ଟେନ୍ ଆକ୍ସନ୍ ଡ୍ରାମା ‘କମାଣ୍ଡୋ’ର ଗ୍ରାଣ୍ଡ ଲଞ୍ଚିଂରେ ଯୋଗ ଦେଇ ସିଧା ଜନ୍ମମାଟି ଓଡ଼ିଶାକୁ ଆସିଛନ୍ତି ପ୍ରେମ। ଆଉ ଏଥିସହ ଜାତୀୟସ୍ତରର ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ କୌଣସି ୱେବସିରିଜରେ ମୁଖ୍ୟଚରିତ୍ରରେ ଅଭିନୟ କରିଥିବା ପ୍ରଥମ ଓଡ଼ିଆ କଳାକାର ହେବାର ଗୌରବ ମଧ୍ୟ ଅର୍ଜନ କରିଛନ୍ତି ସେ।

ଗତକାଲି ଡିଜନି+ ହଟଷ୍ଟାରରେ ‘କମାଣ୍ଡୋ’ର ପ୍ରସାରଣ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରେମ୍ କହନ୍ତି-‘‘ଲଞ୍ଚିଂ ଇଭେଣ୍ଟ୍ ପରେ ମୁଁ ଓ ବିପୁଲ ସାର୍ ଦେଶ ଲାଗି ଜୀବନ ଦେଇଥିବା ବୀର କମାଣ୍ଡୋମାନଙ୍କ ସ୍ମୃତି ବହନ କରୁଥିବା ଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛୁ। ମୁଁ ଯେଉଁସ୍ଥାନକୁ ଯାଉଛି, ମତେ ବହୁତ ଶ୍ରଦ୍ଧା ଓ ଆଶୀର୍ବାଦ ମିଳୁଛି, ଆଉ ମୋ ଜନ୍ମମାଟି ଓଡ଼ିଶାରେ ମଧ୍ୟ ମତେ ସେଭଳି ଢ଼େର ଭଲପାଇବା ମିଳିବ ବୋଲି ଆଶା କରୁଛି।’’

ଏଭଳି ଏକ ବଡ଼ ପ୍ରୋଜେକ୍ଟରେ ସୁଯୋଗ ପାଇବା ପ୍ରସଙ୍ଗରେ ସେ କହିଛନ୍ତି- ‘‘ମୁଁ କିଛି ବର୍ଷ ହେଲା ମୁମ୍ବାଇରେ ରହି ଅଭିନୟର ପ୍ରଶିକ୍ଷଣ ନେଉଥିଲି ଏବଂ ବିଭିନ୍ନ ଫିଲ୍ମ ଓ ସିରିଜରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରୁଥିଲି। ବିପୁଲ୍ ଶାହଙ୍କ ‘କମାଣ୍ଡୋ’ ପାଇଁ ଅଡିସନ୍ ହେଉଥିବା ଜାଣି ସେଥିରେ ଅଂଶଗ୍ରହଣ କଲି। ମୋ ଭଳି ୧୧୦୦୦ କଳାକାର ମୁଖ୍ୟଭୂମିକା ପାଇଁ ଅଡିସନ୍ ଦେଇଥିଲେ। ଯଦିଓ ମୋର ପୂରା ପ୍ରସ୍ତୁତି ଥିଲା କିନ୍ତୁ ମତେ ଯେ ନିର୍ଦ୍ଦେଶକ ବାଛିବେ ତାହା ମୁଁ ଭାବି ପାରୁ ନଥିଲି। ଶେଷରେ ମୁଁ ସଫଳ ହେଲି। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ହେଲା । ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନକରି କୃତଜ୍ଞତା ଜଣାଇଛି। ପିଲାଦିନେ ଟିଭି ସାମ୍ନାରେ ବସି ଘରେ କହୁଥିଲି କି ଦିନେ ମୁଁ ହିରୋ ହେବି,ଆଉ ଆଜି ମୋର ସେ ସ୍ବପ୍ନ ସଫଳ ହୋଇଛି।’’

ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସହକାରୀ-ନିର୍ଦ୍ଦେଶକରୁ କ୍ୟାରିୟର ଆରମ୍ଭ କରି ପରେ ଅଭିନୟ କ୍ଷେତ୍ରରେ ପାଦ ରଖିଥିବା ପ୍ରେମ୍ ନିଜର ପ୍ରଥମ ବଡ଼ ସଫଳତା ବିଷୟରେ କହନ୍ତି-‘‘ ମୁଁ ଏହି ୱେବସିରିଜରେ ଜଣେ କମାଣ୍ଡୋର ଭୂମିକା ତୁଲାଇଛି। ଆପଣମାନେ ଜାଣନ୍ତି କମାଣ୍ଡୋମାନେ କୌଣସି ଅପରେସନରେ ଥିବା ବେଳେ କିପରି ପ୍ରତିକୂଳ ପରିସ୍ଥିତିର ସାମ୍ନାକରି ଅତ୍ୟନ୍ତ କଷ୍ଟସାଧ୍ୟ ମନେ ହେଉଥିବା କାମକୁ ନିଜ ଦକ୍ଷତା ବଳରେ ସଫଳ କରନ୍ତି। ସେଭଳି ଏକ ଚରିତ୍ରର ଉଚିତ ରୂପାୟନ ଉଭୟ ଶାରୀରିକ ଓ ମାନସିକ ଦୃଷ୍ଟିରୁ ଏକ ବଡ଼ ଚାଲେଞ୍ଜ ଥିଲା। ଏଣୁ ଏପରି ଏକ ଚରିତ୍ରକୁ ଦର୍ଶକଙ୍କ ନିକଟରେ ବାସ୍ତବ ଭାବେ ତୋଳି ଧରିବା ଲାଗି ମୁଁ ଶତପ୍ରତିଶତ ପ୍ରଚେଷ୍ଟା କରିଛି।’’

ଏହି ବହୁଚର୍ଚ୍ଚିତ ୱେବସିରିଜର ନିର୍ଦ୍ଦେଶନା ଓ ପ୍ରୟୋଜନା ଦାୟିତ୍ୱରେ ଅଛନ୍ତି ବିପୁଲ୍ ଅମୃତଲାଲ ଶାହ। ଅଦା ଶର୍ମା, ଅମିତ ସିଆଲ, ତିଗ୍ମାଂଶୁ ଧୁଲିଆ, ମୁକେଶ ଛାବ୍ରା ପ୍ରମୁଖ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ। ସେହିପରି ବୈଭବ ତତ୍ୱବାଦୀ, ଶ୍ରେୟା ସିଂହ ଚୌଧୁରୀ ଓ ଇସ୍ତେୟାକ୍ ଖାନ୍ ମଧ୍ୟ ବିଭିନ୍ନ ଭୂମିକାରେ ଏଥିରେ ଅଭିନୟ କରିଛନ୍ତି।

୨୦୧୩ ମସିହାରେ ପ୍ରଥମେ ‘କମାଣ୍ଡୋ’ ଫ୍ରାଞ୍ଚାଇଜି ଆରମ୍ଭ ହୋଇଥିଲା। ପ୍ରଥମ ସିରିଜ୍ ‘କମାଣ୍ଡୋ-ଏ ୱାନ୍ ମ୍ୟାନ୍ ଆର୍ମି’ରେ ବିଦ୍ୟୁତ୍ ଜମଓ୍ୱାଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ପ୍ରାୟ ୧୦ ବର୍ଷ ଧରି ‘କମାଣ୍ଡୋ’ର ବିଭିନ୍ନ ସଂସ୍କରଣ ଆକ୍ସନ ପ୍ରେମୀ ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି।

loading...

Leave A Reply

Your email address will not be published.