Breaking

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ବିଜେପି: ବିଜେଡି

ବିଜେପିର ଗୁମର ଖୋଲିଲେ ଲେଖାଶ୍ରୀ ସାମନ୍ତସିଂହାର

0

ଭୁବନେଶ୍ୱର : ଓଡିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୈାଣସି ତଥ୍ୟ ଆଧାରରେ ମିଛ, ଭିତିହୀନ ଏବଂ ନିରାଧାର ଅଭିଯୋଗ ଆଣନ୍ତି, ଯାହା ସେମାନଙ୍କର ଅଭ୍ୟାସ । ୨୦୧୯ ମସିହାରେ ମଧ୍ୟ ଏଭଳି ତଥାକଥିତ ଚାର୍ଜଶିଟ୍ ଓଡିଶା ବିଜେପି ପକ୍ଷରୁ ଅଣାଯାଇଥିଲା, ଯେତେବେଳେ ସେମାନେ ବୁଝିଯାଇଥିଲେ ଯେ, ଅତି ଦୟନୀୟ ଭାବେ ସେମାନେ ହାରିବାକୁ ଯାଉଛନ୍ତି ବୋଲି କହିଛନ୍ତି ବିଜେଡି ନେତ୍ରୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ।
ଡକ୍ଟର ସାମନ୍ତସିଂହାର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ୨୦୨୪ରେ ମଧ୍ୟ ସେମାନେ ଅତି ଶୋଚନୀୟ ଭାବେ ହାରିବାକୁ ଯାଉଥିବା ଜାଣିସାରିଲେଣି । ଆଉ ସେଥିପାଇଁ ସେମାନେ ବିନା କୈାଣସି ତଥ୍ୟ ପ୍ରମାଣ ଆଧାରରେ ଏଭଳି ମିଛ, ଭିତିହୀନ ଏବଂ ନିରାଧାର ଅଭିଯୋଗ ମାନ ଆଣିଛନ୍ତି । କିଛି ଉଦାହରଣ ଉପରେ ନଜର ପକାନ୍ତୁ, କିଭଳି ଚାର୍ଜଶିଟ୍ ନାଁରେ ଭିତିହୀନ ଏବଂ କପୋଳକଳ୍ପିତ କଥା ଉଲ୍ଲେଖ କରାଯାଇଛି ।
କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ଦେଶରେ ଓଡିଶା ଏକମାତ୍ର ରାଜ୍ୟ, ଯେଉଁଠି ଚାଷୀଙ୍କ ଆୟ ଦୁଇଗୁଣା ହୋଇଛି । ହେଲେ ଓଡିଶାକୁ କୃଷି କ୍ଷେତ୍ରରେ ସମାଲୋଚନା କରାଯାଉଛି । କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ଦେଶରେ ସବୁଠାରୁ କମ୍ ବେକାରୀ ହାର ଓଡିଶାରେ । ହେଲେ ମିଛ ତଥ୍ୟ ଉପସ୍ଥାପନ କରାଯାଇ, ଓଡିଶାର ଛବିକୁ ମଳିନ କରିବାକୁ ଚେଷ୍ଟା କରାଯାଉଛି ।
ମହିଳା ସୁରକ୍ଷା ନେଇ ସେମାନେ ଓଡିଶାକୁ ସମାଲୋଚନା କରୁଛନ୍ତି ଯେତେବେଳେ ବିଜେପି ଶାସିତ ରାଜ୍ୟ ଗୁଡିକରେ ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ଓଡିଶା ତୁଳନାରେ ଢେର୍ ଅଧିକ । ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟର ଛବିକୁ ମଳିନ କରିବା ଓଡିଶା ବିଜେପିର ପୁରୁଣା ଅଭ୍ୟାସ । ବର୍ତମାନର ଓଡିଶା ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କର ନୂଆଦିଲ୍ଲୀ ସ୍ଥିତ ଓଡିଶା ନିବାସର କେଳେଙ୍କାରୀ ବାବଦରେ ସମସ୍ତେ ଜାଣିଛନ୍ତି, ଯେଉଁଥିପାଇଁ ୨୦୦୮ରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇଥିଲା । ଏଭଳି ଜଣେ ବ୍ୟକ୍ତି ଯଦି ଓଡିଶା ବିଜେପିର ସଭାପତି ଭାବେ ଦାୟିତ୍ୱ ତୁଲାଇବେ, ତେବେ ଦଳ ଭିତରେ ମହିଳା କେତେ ସୁରକ୍ଷିତ, ଏଥିରୁ ବୁଝିଯାଆନ୍ତୁ ।
ସମସ୍ତେ ଜାଣିଛନ୍ତି ଓଡ଼ିଶାର ହାଇସ୍କୁଲ ଗୁଡ଼ିକର ଶ୍ରେଣୀ ଗୃହ, ଓଡିଶାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରେଣୀ ଗୃହଠାରୁ ଯଥେଷ୍ଟ ଉନ୍ନତ ମାନର । ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଛନ୍ତି, କିନ୍ତୁ ନିଜ ଗାଁରେ ଗୋଟିଏ ବି ସ୍ମାର୍ଟ କ୍ଲାସରୁମ୍ କରିବାରେ ବିଫଳ ହୋଇଛନ୍ତି । ଅନ୍ୟପଟେ ଓଡ଼ିଶା ସରକାର ରାଜ୍ୟରେ ୭୦୦୦ ସ୍କୁଲର ରୂପାନ୍ତରଣ କରିଛନ୍ତି । କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି ଯେ, ଗତ ଦୁଇ ବର୍ଷ ଧରି ବିତ୍ତୀୟ ପରିଚାଳନାରେ ଓଡିଶା ଶ୍ରେଷ୍ଠ ରାଜ୍ୟ ତଥାପି, ଏଭଳି ମିଛ ଦସ୍ତାବିଜ ଉପସ୍ଥାପନ କରାଯାଇ, ରାଜ୍ୟର ଛବିରେ ଆଞ୍ଚ ଅଣାଯାଉଛି ।
ବିଦ୍ୟୁତୀକରଣ ସମ୍ପର୍କରେ ମଧ୍ୟ ମିଛ କୁହାଯାଇଛି । ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବିଦ୍ୟୁତ୍ ଯୋଗାଣ କରାଯାଇପାରିବ ନାହିଁ । ଏହା କେବଳ କେନ୍ଦ୍ରର ନିଷ୍ପତି ଦ୍ୱାରା ସମ୍ଭବ । ଏ କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ମିଛରେ ରାଜ୍ୟ ବିଜେପି ଟାର୍ଗେଟ୍ କରୁଛି ।
ସମସ୍ତେ ଜାଣନ୍ତି ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମିଛ ଅଭିଯୋଗ କରିବାରେ ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତିକରଣ କରିବାରେ ମାହିର । ସେ ଶିଶୁଙ୍କ ଅପରାଧ ହେଉ ଅବା ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ । ଏଭଳି ନେତାଙ୍କୁ ପ୍ରଶ୍ରୟ ଦେଉଥିବା ଦଳ ଅନ୍ୟକୁ ଉପଦେଶ ଦେବାର କୌଣସି ନୈତିକତା ନାହିଁ । ଏଭଳି ଭିତିହୀନ ଏବଂ ମିଛ କହିବାକୁ ଅନେକ ବିରୋଧ କରିଥିବା କଥା ମୁଁ ଦଳରେ ଥିବା ସମୟରୁ ଜାଣିଥିଲି । ହେଲେ ସେତେବେଳେ ସେମାନେ ଚାପ ସୃଷ୍ଟି କରିବା ସହ କହୁଥିଲେ, ଆମେ ନିର୍ବାଚନ ହାରିବାକୁ ଯାଉଛୁ, ତେଣୁ ଏଭଳି କରିବାକୁ ହିଁ ପଡିବ ।
ପୁଣି ଥରେ ଏହାକୁ ଦୋହରାଇବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ କାରଣ ଓଡିଶା ବିଜେପି ଭଲ ଭାବେ ଜାଣିଛି, ୨୦୨୪ ନିର୍ବାଚନ ସେମାନେ ହାରିବାକୁ ଯାଉଛନ୍ତି । ଏଭଳି ମିଛ ଏବଂ ଭିତିହୀନ ଅଭିଯୋଗ ଆଣିବାର ଅଭ୍ୟାସ ପାଇଁ ହିଁ ଓଡିଶା ବିଜେପି ଓଡିଶାରେ ଆଗକୁ ବଢିପାରୁନାହିଁ ବୋଲି ଡକ୍ଟର ସାସନ୍ତସିଂହାର କହିଛନ୍ତି ।

loading...

Leave A Reply

Your email address will not be published.