Breaking

ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୩ ତମ ପ୍ରତିଷ୍ଠା ଦିବସ

0

ଭୁବନେଶ୍ୱର, ୧୭.୦୧.୨୦୨୩: ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ପ୍ରତିଷ୍ଠାନର କାର୍ଯ୍ୟାଳୟ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଆନ୍ତର୍ଜାତୀୟ ଦିବ୍ୟ ଜୀବନ ସଂଘ ଋଷିକେଶର ଉପ-ସଭାପତି ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ ମହାରାଜ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଉଦ୍‌ଘାଟନ ଅଭିଭାଷଣରେ ଶ୍ରୀଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ସମସ୍ତଙ୍କର ପ୍ରୟାସ ଜାରି ରଖିବାକୁ ଉପଦେଶ ଦେଇଥିଲେ । ଆଜି ଶ୍ରୀଜଗନ୍ନାଥ ବିଶ୍ୱର ରହସ୍ୟମୟ ବିଗ୍ରହ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ଦୀର୍ଘ ୪୨ ବର୍ଷର ନିରବଚ୍ଛିନ୍ନ ଗବେଷଣା ପ୍ରକ୍ରିୟାକୁ ସ୍ୱାମୀଜୀ ଭୂୟସୀ ପ୍ରଶଂସା କରି ଭବିଷ୍ୟତରେ ଗବେଷଣାର ବିଷୟକୁ ଆହୁରି ପ୍ରଶସ୍ତ ଓ ବିସ୍ତୃତ କରିବା ଲାଗି ଉପଦେଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ପ୍ରସାନ୍ଦ ହରିଚନ୍ଦନ ବିଶ୍ୱଠାକୁର ଶ୍ରୀ ଜଗନ୍ନାଥଙ୍କୁ ନେଇ ନିଜେ କିପରି ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା ଜାରି ରଖିଛନ୍ତି ତାହାର କେତୋଟି ଉଦାହରଣ ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ସୁଭଦ୍ରାଙ୍କ ବାଡ଼ଗାହୀ ଦଇତାପତି ଶ୍ରୀଯୁକ୍ତ ରାମଚନ୍ଦ୍ରଦାଶ ମହାପାତ୍ର ମହାପ୍ରଭୁଙ୍କ ଗୁଣଗାନ କରିବା ସହିତ ଆଧ୍ୟାତ୍ମିକ ଚେତନାର ସମସ୍ତେ ଉଦ୍‌ବୁଦ୍ଧ ହେବା ଲାଗି ନିଜର ମତ ରଖିଥିଲେ । ଶ୍ରୀ ମହାପାତ୍ର ଶ୍ରୀଜଗନ୍ନାଥଙ୍କୁ ଜୀବନ୍ତ ଠାକୁର ରୂପେ ପ୍ରତିପାଦନ କରିଥିଲେ । ପ୍ରତିଷ୍ଠାନର ସମ୍ପାଦକ ପ୍ରଫେସର୍ ନାରାୟଣ ସାହୁ ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୩ ତମ ପ୍ରତିଷ୍ଠା ଦିବସକୁ ସ୍ମରଣ କରି ବିଗତ ଦିନଗୁଡ଼ିକରେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ କିପରି ସେମାନଙ୍କର ବହୁମୂଲ୍ୟ ସମୟ ଗବେଷଣା ଲବ୍ଧ ଜ୍ଞାନ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ପାରିଛନ୍ତି, ଏହାର ଏକ ବିବରଣୀ ପ୍ରଦାନ କରିଥିଲେ । ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର୍ ହରେକୃଷ୍ଣ ଶତପଥୀ, ଶ୍ରୀ କୃପାସିନ୍ଧୁ ସାହୁ, ଡ଼. ଅଭୟ ନାୟକ, ମନୋଜ କୁମାର ରଥ, ପ୍ରବୀର ପଟ୍ଟନାୟକ, ପୀତବାସ ରାଉତରାୟ, ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ, ଡ଼ା. ଭାସ୍କର ମିଶ୍ର ପ୍ରଭୃତି ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୀଜଗନ୍ନାଥଙ୍କୁ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିବା ଲାଗି ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସଭାପତି ପ୍ରଫେସର୍ ସୁରେନ୍ଦ୍ର ନାଥ ଦାଶ ଅନୁଷ୍ଠାନର ଆଭିମୁଖ୍ୟ ସହ ବିଗତ ୪୨ ବର୍ଷର ପ୍ରତିଷ୍ଠାନର କାର୍ଯ୍ୟକଳାପ ଉପରେ ସଂକ୍ଷେପ ଆଭାସ ପ୍ରଦାନ କରିଥିଲେ । ଭାଷଣ ପ୍ରସଙ୍ଗରେ ପ୍ରଫେସର୍ ଦାଶ ଆଖିରେ ଆଖି ମିଶାଇବାକୁ ଶ୍ରୀମନ୍ଦିର ଯିବାର ଆବଶ୍ୟକତା ନାହିଁ ବରଂ ନିଜର ଭାବ ରାଜ୍ୟରେ, କଳ୍ପନା ରାଜ୍ୟର ମହାପ୍ରଭୁଙ୍କ ଆଖି ସହ ଆଖି ମିଶାଇବାକୁ ସେ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନ ତରଫରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ଅନ୍ତରାଷ୍ଟ୍ରୀୟ ଆଲୋଚନାଚକ୍ର ଲାଗି ଭିତ୍ତିଭୂମି ଉପରେ ଆଲୋକପାତ କରିଥିଲେ । ପ୍ରତିଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ଶ୍ରୀ ଅଲେଖ କୁମାର ଦାଶଙ୍କୁ ମହାପ୍ରଭୁଙ୍କର ଗୀତଗୋବିନ୍ଦ ଖଣ୍ଡୁଆ ସହ ନୀଳଚକ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଆଜି ପ୍ରତିଷ୍ଠାନର ନୂତନ କର୍ମକର୍ତ୍ତାମାନେ ଦାୟିତ୍ୱ ଗ୍ରହଣ କରିଥିଲେ । ସର୍ବଶେଷରେ ଶ୍ରୀ ପ୍ରଫୁଲ୍ଲ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.