Breaking

କାରକୁ ଗୁଳି କରି ଡାକ୍ତରଙ୍କ ଠାରୁ ୫୦ ଲକ୍ଷ ଲୁଟ୍‌

0

ଖୁଣ୍ଟୁଣୀ: ୫୫ ନମ୍ବର ଜାତୀୟ ରାଜପଥର କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂରେ ଆଜି ଦୁର୍ବୃତ୍ତମାନେ କାର୍‌ ଉପରକୁ ଗୁଳି କରି ଜଣେ ଡାକ୍ତରଙ୍କ ନିକଟରୁ ୫୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୁଲିସ୍‌ ତନାଘନା ଆରମ୍ଭ କରିଛି। ଖବର ପାଇ କଟକ ଗ୍ରାମାଞ୍ଚଳ ଏସ୍‌ପି, ଚୌଦ୍ବାର ଏସ୍‌ଡିପିଓଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କ ଟେର୍‌ ମିଳିପାରି ନ ଥିବା ଜଣାପଡ଼ିଛି।

ପୁଲିସ୍‌ର ସୂଚନା ମୁତାବକ, ଢେଙ୍କାନାଳ ସହରର ଡାକ୍ତର ବିନୟ କୁମାର ମହାପାତ୍ର ଜମି କିଣିବା ପାଇଁ ଆଜି ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କା ନେଇ ନିଜ ଚେଭ୍ରୋଲେଟ୍‌ କାର୍‌ (ଓଡି୦୬ଡି୭୨୭୨)ରେ ଢେଙ୍କାନାଳ ଫେରୁଥିଲେ। ଅପରାହ୍ନ ପ୍ରାୟ ୪ଟାରେ ଡାକ୍ତର ମହାପାତ୍ରଙ୍କୁ କେଟିଏମ୍‌ ବାଇକ୍‌ରେ ପିଛା କରୁଥିବା ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତ ହଠାତ୍‌ ଜାତୀୟ ରାଜପଥର କପୁରସିଂସ୍ଥିତ ପରମେଶ୍ୱରୀ ଷ୍ଟିଲ୍‌ ପ୍ଲାଣ୍ଟ ସମ୍ମୁଖରେ କାର ଆଗକୁ ଚାଲି ଆସିଥିଲେ। ଦୁର୍ବୃତ୍ତମାନେ ଗାଡ଼ି ଅଟକାଇବା ପାଇଁ ଉଦ୍ୟମ କରି ସଫଳ ହୋଇ ନ ଥିଲେ। ଏହାପରେ ସେମାନେ କାର ଉପରକୁ ଏକ ରାଉଣ୍ଡ ଗୁଳିଚାଳନା କରିବା ସହିତ ବନ୍ଧୁକରେ ଗାଡ଼ି ଆଗ କାଚକୁ ଶକ୍ତ ଆଘାତ ଦେଇଥିଲେ। ଏଥିରେ ଭୟଭୀତ ହୋଇ କାର ଚାଳକ ଗାଡ଼ି ଅଟକାଇ ଦେଇଥିଲେ। ଦୁର୍ବୃତ୍ତମାନେ କାର ଆଗରେ ବସିଥିବା ଡାକ୍ତର ବିନୟ କୁମାର ମହାପାତ୍ର ଓ ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଆଖି ପିଛୁଳାକେ ୫୦ ଲକ୍ଷ ଟଙ୍କା ଥିବା ବ୍ୟାଗ୍‌ ଲୁଟିନେଇ ଚୌଦ୍ୱାର ଆଡ଼କୁ ପଳାଇ ଯାଇଥିଲେ। ଲୁଟ୍‌ର ଶିକାର ହୋଇଥିବା ଡାକ୍ତର ପ୍ରଥମେ ଖୁଣ୍ଟୁଣୀ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ। ସଂଗେ ସଂଗେ ଖୁଣ୍ଟୁଣୀ ପୁଲିସ ଏ ନେଇ ଗୁରୁଡ଼ିଝାଟିଆ ଥାନାକୁ ସୂଚନା ଦେଇଥିଲା। ଗୁରୁଡ଼ିଝାଟିଆ ଥାନାଧିକାରୀ ବିଜୟ କୁମାର ବିଶି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ। ଖବର ପାଇ କଟକ ଗ୍ରାମାଞ୍ଚଳ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ, ଚୌଦ୍ୱାର ଏସ୍‌ଡିପିଓ ପ୍ରଶାନ୍ତ ମଲ୍ଲ ମଧ୍ୟ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

loading...

Leave A Reply

Your email address will not be published.