Breaking

କୁହୁଳୁଛି ପୂର୍ବ-ଛାତ୍ରନେତାଙ୍କ ଅସନ୍ତୋଷ : ସିଲଟ ଧରି ଜଣାଇଲେ ପ୍ରତିବାଦ

0

କୁହୁଳୁଛି ପୂର୍ବ ଛାତ୍ରନେତାଙ୍କ ଅସନ୍ତୋଷ ସିଲଟ ଧରି ଜଣାଇଲେ ପ୍ରତିବାଦ
ଭୂବନେଶ୍ବର : ପ୍ରକାଶଙ୍କ ପ୍ରତି ପୋଲିସର ଅମାନବୀୟ ଆଚରଣକୁ ପୂର୍ବତନ ଛାତ୍ରନେତାମାନେ ତୀବ୍ର ନିନ୍ଦା କରିଛନ୍ତି। ଓଡିଶା ଷ୍ଟୁଡେଣ୍ଟ ଲିଡ଼ର୍ସ ଫୋରମ ପକ୍ଷରୁ ‘ସିଲଟ ପ୍ରତିବାଦ’ କରାଯାଇଛି । ବାଣୀ ବିହାରର ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ଛାତ୍ର ନେତା ପ୍ରକାଶ ତ୍ରିପାଠୀଙ୍କ ପ୍ରତି କମିଶନରେଟ ପୋଲିସ ଯେଉଁ ଭଳି ଭାବେ ଅମାନୁଷିକ ଆଚରଣ ପ୍ରଦର୍ଶନ କରିଛି ତାହା ବର୍ବରତାର ସବୁସୀମା ଟପିଯାଇଛି । ଏକ ଗଣ୍ଡଗୋଳ ଘଟଣାରେ ଶହୀଦ ନଗର ଥାନାରେ ପ୍ରକାଶ ତ୍ରିପାଠୀ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କୁ ନିର୍ମମ ଭାବେ ମାଡ ମାରିବା ସହ ସିଲଟ ଧରାଇ ଫଟୋ ଉଠାଇ ତାହାକୁ ଭାଇରାଲ କରାଇବା ପଛରେ କିଛି ନିହିତ ମନ୍ଦ ଉଦେ୍ଧଶ୍ୟ ରହିଛି ବୋଲି ଅଭିଯୋଗ କରିଛି ରାଜ୍ୟବ୍ୟାପୀ ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରନେତାମାନଙ୍କୁ ନେଇ ଗଠିତ ସଂଗଠନ ‘ଓଡିଶା ଷ୍ଟୁଡେଣ୍ଟ ଲିଡ଼ର୍ସ ଫୋରମ’ ଘୋର ନିନ୍ଦା କରିଛି । ଜଣେ ଛାତ୍ର ନେତାଙ୍କ ଏଭଳି ଅମାନବୀୟ ଆଚରଣ ପ୍ରଦର୍ଶନ ସମଗ୍ର ଛାତ୍ର ସମାଜ ପାଇଁ ଘୋର ଅପମାନ । ତେଣୁ ପୋଲିସର ଏପରି ମାତ୍ରଧିକ ଅମାନବୀୟ କାର୍ଯ୍ୟକଳାପ ଏହାକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦର ସ୍ୱର ତୀବ୍ର କରାଯିବା ସହ ଅଦାଲତ ଓ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବୁ ବୋଲି ଫୋରମ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଛାତ୍ରନେତାମାନେ ଚେତାବନୀ ଦେଇଛି । ଏହା ସହିତ ସେମାନେ ବିଭିନ୍ନ ସ୍ଲୋଗାନ ଲେଖାଥିବା ସିଲଟ ଧରି ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଆଜି ରେଡକ୍ରସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳମତ ନିର୍ବିଶେଷରେ ପୂର୍ବତନ ଛାତ୍ରନେତା ରେଭେନ୍ସା ମହାବିଦ୍ୟାଳୟର ପୂର୍ବତନ ସଭାପତି ବଦ୍ରୀ ମହାନ୍ତି, ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ସଂଗ୍ରାମ କେଶରୀ ଦାସ, ନିର୍ମଳ କୁମାର ପଣ୍ଡ, ରେଭେନ୍ସା ଛାତ୍ର ସଂସଦର ପୂର୍ବତନ ସମ୍ପାଦକ ମନୋଜ ସାହୁ , ରେଭେନ୍ସାର ପୂର୍ବତନ ସଭାପତି ସଞ୍ଜିବ ପତ୍ରୀ, ବିଜେବି କଲେଜର ପୂର୍ବତନ ସଭାପତି ସଚ୍ଚି ନନ୍ଦନ ନାୟକ, ପୂର୍ବତନ ଛାତ୍ର ନେତା ତଥା ଏବିଭିପି ଅଧିବକ୍ତା ପରିଷଦର ସଦସ୍ୟ ଧୀତବ୍ରତ ନାୟକ, ସତ୍ୟନାରାୟଣ ପଣ୍ଡା ଓ ସ୍ୱାଧୀନ ଶତପଥୀ ପ୍ରମୁଖ କହିଛନ୍ତି ଯେ ପ୍ରକାଶ ତ୍ରିପାଠୀ ଯଦି କିଛି ଅପରାଧ କରିଛନ୍ତି ତେବେ ତାକୁ ଗିରଫ କରାଯାଉ ଓ ଅଦାଲତରେ ପେସ କରାଯାଉ । କୌଣସି ଅପରାଧୀ ବା ଅପରାଧ ସପକ୍ଷରେ ଫୋରମ କୌଣସି ଓକିଲାତି କରିବ ନାହିଁ । ଯଦି ପ୍ରକାଶ ଅପରାଧ କରିଥିବେ ବୋଲି ଅଦାଲତରେ ସାବ୍ୟସ୍ତ ହେବ ତେବେ ମାନ୍ୟବର ଅଦାଲତ ଦଣ୍ଡବିଧାନ କରିବେ । ହେଲେ ପ୍ରକାଶ ଥାନାରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ମାଡ ମାରିବା, ଦେହରୁ କପଡା ଖୋଲିବା ଓ ତାଙ୍କୁ ସିଲଟ ଧରାଇବା ଭଳି ଅଧିକାର ପୋଲିସକୁ ଦେଲା କିଏ? ଏହା ମାନବାଧିକାରର ଖୋଲା ଉଲ୍ଲଂଘନ । ରାଜ୍ୟରେ ଅତୀତରେ ଧରିଥିବା ଅଭ୍ୟାସଗତ-ମୋଷ୍ଟ ୱାଣ୍ଟେଡ୍‌ ଓ ଚିଟଫଣ୍ଡ ମାଫିଆ ମାନଙ୍କୁ ଗିରଫ କଲାବେଳେ ପୋଲିସ କେତେଜଣଙ୍କୁ ଏମିତି ସିଲଟ ଧରାଇଛି ଓ ଏପରି ଅମାନୁଷିକ ମାଡ ମାରିଛି । ରାଜ୍ୟରେ ହୋଇଥିବା ହାଜତ ମୃତ୍ୟୁ ଘଟଣାର ଅଭିଯୁକ୍ତ ପୋଲିସ ଅଧିକାରୀମାନଙ୍କୁ ପୋଲିସ କେତେ ଜଣକୁ ସିଲଟ ଧରାଇଛି ବୋଲି ପୂର୍ବତନ ଛାତ୍ର ନେତାମାନେ ପ୍ରଶ୍ନ କରିଛନ୍ତି । ଅପରାଧୀମାନଙ୍କ ପ୍ରତି ପୋଲିସ ଦରଦ ଦେଖାଉଥିବା ବେଳେ ପ୍ରକାଶ ତ୍ରିପାଠୀଙ୍କ ଭଳି ଜଣେ ଆଇନକୁ ସମ୍ମାନ ଦେଉଥିବା ଆଇନ ଓ ପିଏଚଡ଼ି ଡିଗ୍ରିଧାରୀ ଛାତ୍ର ନେତାଙ୍କୁ ଏପରି ବର୍ବର ଆଚରଣ ଘଟଣାର ପ୍ରମାଣିତ ହୋଇଯାଇଛି ରାଜ୍ୟରେ ଆଇନ ତା ବାଟରେ ଯାଉନାହିଁ । ପୋଲିସର ଏପରି ମାତ୍ରାଧିକ ଆଚରଣ ସମଗ୍ର ଛାତ୍ର ସମାଜ ପ୍ରତି ଅପମାନ ଓ ଏହାରି ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବ ବୋଲି ଛାତ୍ର ନେତାମାନେ ଚେତାବନୀ ଦେଇଛନ୍ତି । ଏହା ସହିତ ପ୍ରକାଶଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିବାଦରେ ମାନ୍ୟବର ଅଦାଲତ ଓ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେବୁ ବୋଲି ଛାତ୍ରନେତାମାନେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ନେତା ନରେଶ ମହାନ୍ତି, ତାପସ ସେଠୀ, ସନ୍ତୋଷ ସେଠୀ, ଜ୍ୟୋତି ପ୍ରକାଶ ଆଚାର୍ଯ୍ୟ, ରାଜ କିଶୋର ମହାପାତ୍ର, ମାନସ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.