Breaking

ଚିତ୍ତାକର୍ଷକ ଫ୍ୟାସନ ସୋ ମାଧ୍ୟମରେ “ମହିଳା ହିଁ ପରିବର୍ତ୍ତନର ସୁତ୍ରଧର”କୁ ପ୍ରୋତ୍ସାହିତ କରିବ ସ୍ମୃତିର ଓଡ଼ିଶା

0

ଚଳିତ ୨୦୨୧କୁ ଏକ ସ୍ମୃତିପୂର୍ଣ୍ଣ ଅଧ୍ୟାୟ ହିସାବରେ ଏକ ହୃଦୟସ୍ପର୍ଶୀ ବିଦାୟ ଦେଉଛନ୍ତି ଭୁବନେଶ୍ୱର ବାସୀ । ଡ଼ିସେମ୍ବର ୧୯ ତାରିଖ, ରବିବାରରେ ହୋଟେଲ ତାଜ୍ ଭିଭାନ୍ତାରେ ଏକ ଆକର୍ଷକ କାର୍ଯ୍ୟକ୍ରମରେ ମିସ୍ ଏବଂ ମିସେସ୍ ଇଣ୍ଡିଆ ଗ୍ଳୋବାଲ ୨୦୨୧ ଘୋଷଣା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନେକ ସମ୍ମାନୀୟ ଅତିଥି, ଫ୍ୟାସନ ମଡ଼େଲ ଏବଂ ଫ୍ୟାସନ ଜଗତର ଅନେକ ନାମୀଦାମୀ ଚେହେରା ଉପସ୍ଥିତ ରହି ଏକ ଆଦର୍ଶ ବିଷୟବସ୍ତୁକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାର ସାଂସ୍କୃତିକ ସୌନ୍ଦର୍ଯ୍ୟକୁ ଉପସ୍ଥାପନ କରିଥିଲେ ।
ଉପସ୍ଥିତ ଅତିଥିବୃନ୍ଦଙ୍କ ମଧ୍ୟରେ ସୂର୍ଯ୍ୟ ନାରାୟଣ ପାତ୍ର (ମାନ୍ୟବର ବାଚସ୍ପତି, ଓଡ଼ିଶା ବିଧାନସଭା) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥିମାନଙ୍କ ମଧ୍ୟରେ ସିନେମା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ୱାର୍ଲ୍ଡ ଓଡ଼ିଶା ସୋସାଇଟି ଅଧ୍ୟକ୍ଷ ଶ୍ରୀ କିଶୋର ଦ୍ୱିବେଦୀ, ଅଭିନେତ୍ରୀ ନିତୁ କୋଇରାଲା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସଭାର ଶୋଭାବର୍ଦ୍ଧନ କରିଥିଲେ । ବିଚାରକ ମଣ୍ଡଳୀ ଭାବେ ନେହାଲ ଚୁଡ଼ାସମା, ମିସ୍ ଇଣ୍ଡିଆ ୟୁନିଭର୍ସ ୨୦୧୮, ମିସ୍ ଇଣ୍ଡିଆ ଡ଼ିମ୍ପଲ ପଟେଲ, ମିସ୍ ଗ୍ଲୋବ ୨୦୧୬ ଆଦି ଉପସ୍ଥିତ ଥିଲେ ।
ସ୍ମୃତିର ଓଡ଼ିଶା ଚାରିଟେବଲ୍ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ “ୱିମେନ୍ ଆଜ୍ ଚେଞ୍ଜ ମେକର” ଅର୍ଥାତ୍ “ମହିଳା ହିଁ ପରିବର୍ତ୍ତନର ସୂତ୍ରଧର” ପରି ଏକ ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଥିଲା । ଏକ ପ୍ରତିଷ୍ଠିତ ଦାତବ୍ୟ ଅନୁଷ୍ଠାନ ଭାବେ “ସ୍ମୃତିର ଓଡ଼ିଶା” ବାଳିକା, ଝିଅ ଏବଂ ମହିଳା ତଥା ସର୍ବୋପରି ସମାଜର ଭବିଷ୍ୟତକୁ ସୁଦୃଢ କରିବା ଦିଗରେ ନାନା କାର୍ଯ୍ୟକ୍ରମ ତଥା ପଦକ୍ଷେପ ଗ୍ରହଣ କରିଆସିଛି । ଉକ୍ତ କାର୍ଯ୍ୟକ୍ରମଟି ସେମାନଙ୍କ ସ୍ୱପ୍ନ ଏବଂ ତାଙ୍କୁ ସାହାଯ୍ୟ କରିବାର ଟ୍ରଷ୍ଟର ଇଚ୍ଛାଶକ୍ତି ମଧ୍ୟରେ ଏକ ବନ୍ଧ ଭାବେ କାର୍ଯ୍ୟ କରିବ ।
ଓଡ଼ିଶାର ସାଂସ୍କୃତିକ ପରିପାଟିକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏବଂ ବିଶ୍ୱ ଦରବାରରେ ପରିଚିତ କରାଇବା ହିଁ ମିସ୍ ଏବଂ ମିସେସ୍ ଇଣ୍ଡିଆ ଗ୍ଳୋବାଲ ୨୦୨୧ର ଲକ୍ଷ୍ୟ । ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ବିଶେଷ ବ୍ୟକ୍ତିମାନଙ୍କୁ ମଧ୍ୟ ଉକ୍ତ ମଞ୍ଚରେ ସମ୍ମାନିତ କରାଯାଇଥିଲା । ଚଳିତବର୍ଷ ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସେଭେନ୍ ଲିଜେଣ୍ଡରି ଏବଂ ଆଇକନିକ ସମ୍ମାନରେ ସମ୍ମାନିତ ହୋଇଛି । ଫ୍ୟାସନ ସୋ ରେ ଉପାର୍ଜନ ସମସ୍ତ ଅର୍ଥ ମହିଳା ସଶକ୍ତିକରଣ ଏବଂ ଜଗନ୍ନାଥଧାମ ପୁରୀରେ ଏକ ବୃଦ୍ଧାଶ୍ରମର ନିର୍ମାଣ ନିମନ୍ତେ ପ୍ରଦାନ କରାଯିବ ।
ପରିଶେଷରେ ସ୍ମୃତିର ଓଡ଼ିଶାର ଅଧ୍ୟକ୍ଷ ବରିଷ୍ଠ ଦଇତାପତି ଶ୍ରୀ ରାମଚନ୍ଦ୍ର ଦାସମହାପାତ୍ର, ସଭାପତି ଜାହିଦା ଅହମଦ, ମୁଖ୍ୟ ପୃଷ୍ଠପୋଷକ ଜୟଶ୍ରୀ ମହାନ୍ତି, ବିଚାରମଣ୍ଡଳୀ ଅଧ୍ୟକ୍ଷ ଡ଼କ୍ଟର ଚିଦାତ୍ମିକ ଖଟୁଆ, ସାଧାରଣ ସମ୍ପାଦକ ଡ଼କ୍ଟର ରଜନୀକାନ୍ତ ମିଶ୍ର ଏବଂ କାର୍ଯ୍ୟକ୍ରମ ପରିଚାଳକ ରୋହିତ ମାଥୁରଙ୍କୁ ଧନ୍ୟବାଦ ଜ୍ଞାପନ ହୋଇଥିଲା ।

loading...

Leave A Reply

Your email address will not be published.