Breaking

ଉତ୍କଳମଣି ଗୋପବନ୍ଧୁ ଥିଲେ ମଣିଙ୍କ ଭିତରେ ମଣି

କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୨୧

0

ଭୁବନେଶ୍ୱର: ଉତ୍କଳମଣି ଗୋପବନ୍ଧୁ ଦାଶ ଏକ ଉତ୍କୃଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ , କାରଣ ସେ ଜେଲ ଜୀବନର ବ୍ୟଥା ଓ ବେଦନାକୁ ସାରସ୍ୱତ ସାଧନାରେ ଲଗାଇ ଜଣେ ନିର୍ଭୀକ ଲେଖକର ପରିଚୟ ଦେଇଥିଲେ ବୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାତି , ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ତଥା ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଗୋପାଳକୃଷ୍ଣ ଗାନ୍ଧୀ ଭାରତର ସମ୍ମାନଜନକ ତଥା ବହୁ ପ୍ରତୀକ୍ଷିତ ସାହିତ୍ୟିକ କାର୍ଯ୍ୟକ୍ରମ କଳିଙ୍ଗ ସାହିତ୍ୟ ମହୋତ୍ସବ ର ଉଦଘାଟନୀ ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଛନ୍ତି ।

ଆଜିର ଲେଖକ ଗୋପବନ୍ଧୁଙ୍କ ଜୀବନାଦର୍ଶକୁ ପାଥେୟ କରି ନିର୍ଭୀକ ଭାବେ ଲେଖନୀ ଚାଳନା କରିବା ଉଚିତ ବୋଲି ସେ ନୂଆଦିଲ୍ଲୀରୁ ଭିଡିଓ ସନ୍ଦେଶ ଜରିଆରେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଶ୍ରୀଯୁକ୍ତ ଗାନ୍ଧୀଙ୍କୁ ତାଙ୍କର ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ରଚିତ ଇଂରାଜୀ ପୁସ୍ତକ ନିମନ୍ତେ କଳିଙ୍ଗ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା ।

ଜବାହର ବିଶ୍ୱବିଦ୍ୟାଳୟ ରେ ଛାତ୍ର ଅବସ୍ଥାରେ ବାନ୍ଧି ଜୟନ୍ତ ଦାସଙ୍କ ଜରିଆରେ ସେ ଓଡିଶା ସହ ପରିଚିତ ହୋଇଥିଲେ ବୋଲି ସେ କହିଥିଲେ ।

ମାନ୍ୟବର ଓଡ଼ିଶା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ଉତ୍ସବର ଉଦଘାଟନ କରିଥିଲେ । ଉଦଘାଟନୀ ସମାରୋହରେ ନେପାଲ ରାଷ୍ଟ୍ରଦୂତ ଶ୍ରୀ ରାମ ପ୍ରସାଦ ସୁବେଦୀ , ପଦ୍ମଭୂଷଣ ଡଃ ସୀତାକାନ୍ତ ମହାପାତ୍ର, ପଦ୍ମ ଭୂଷଣ ଶ୍ରୀ ରାମକାନ୍ତ ରଥ ପ୍ରମୁଖ ଯୋଗ ଦେଇଥିଲେ ।

ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ଏହି ଉତ୍ସବକୁ ଓଡିଶା ସରକାରଙ୍କ ସମର୍ଥନ ରହିଛି ଓ କଳିଙ୍ଗ ସାହିତ୍ୟ ମହୋତ୍ସବ ଓଡିଶାର ଭାଷା ଓ ସଂସ୍କୃତିକୁ ଦୁନିଆର କୋଣ ଅନୁକୋଣକୁ ନେଇ ଯିବ ବୋଲି ଆଶା ବ୍ୟକ୍ତ କରିଥିଲେ । ସମାରୋହରେ ମନ୍ତ୍ରୀ କହିଥିଲେ ଯେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ରାଜ୍ୟର ସବୁ ସ୍ଥାନୀୟ ପ୍ରତିଭାମାନଙ୍କୁ ସ୍ୟାଟେଲାଇଟ ମ୍ୟାପ ଜରିଆରେ ଚିହ୍ନଟ କରିବା ପ୍ରକ୍ରିୟା ଓରସାକ ଦ୍ୱାରା ଆରମ୍ଭ କରିସାରିଛି ଓ ଖୁବଶୀଘ୍ର ଦେଶ ବିଦେଶର ବ୍ୟକ୍ତିମାନେ ଓଡିଶାର ସ୍ଥାନୀୟ ପ୍ରତିଭାଙ୍କୁ ଡିଜିଟାଲ ମାଧ୍ୟମରେ ଦେଖିପାରିବାର ଓ ଯୋଗାଯୋଗ କରିବାର ସୁଯୋଗ ପାଇପାରିବେ ବୋଲି କହିଥିଲେ ।

କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲଏଫ) ଉଭୟ ଅଭିଜ୍ଞ ତଥା ଯୁବ ସାହିତ୍ୟିକଙ୍କୁ ଆକର୍ଷିତ କରି ଭାରତର ଏକ ଅଗ୍ରଣୀ ସାହିତ୍ୟ ମଞ୍ଚ ଭାବରେ ଉଭା ହୋଇଛି । ପୂର୍ବାପେକ୍ଷା ବୃହତ ଉତ୍ସବର ଅଷ୍ଟମ ସଂସ୍କରଣରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ନାମକୁ ଏକ ମଞ୍ଚକୁ ଆଣି ସାହିତ୍ୟର ବିଭିନ୍ନ ସ୍ୱରରେ ଥିବା ସମାନତା ଉପରେ ଆଲୋଚନା, ବିତର୍କ ଏବଂ ଅନୁସନ୍ଧାନ ହେବ ବୋଲି କେଏଲଏଫର ପ୍ରତିଷ୍ଠାତା ନିର୍ଦ୍ଦେଶକ ଶ୍ରୀ ରଶ୍ମୀ ରଂଜନ ପରିଡା କହିଛନ୍ତି ।

କଳିଙ୍ଗ ସାହିତ୍ୟ ମହୋତ୍ସବର ଅଷ୍ଟମ ସଂସ୍କରଣରେ ୩୦ଟି ବର୍ଗରେ ପୁସ୍ତକ ପୁରସ୍କାର ପ୍ରଦାନ କରାଯାଇଥିଲା । ଗତବର୍ଷ କୋଭିଡ ଉପଲକ୍ଷେ ମହୋତ୍ସବର ଆୟୋଜନ ହୋଇପାରି ନ ଥିବାରୁ ଏଥର ଅନେକ ବର୍ଗରେ ଏକାଧିକ ଲେଖକଙ୍କୁ ପୁରସ୍କୃତ କରାଯାଇଥିଲା ।

ପଦ୍ମଶ୍ରୀ ଶ୍ରୀନିବାସ ଉଦଗାତାଙ୍କୁ କଳିଙ୍ଗ ସାହିତ୍ୟ ପୁରସ୍କାର ଏବଂ ଅରୁଣ କମଲଙ୍କୁ କଳିଙ୍ଗ ସାହିତ୍ୟିକ ଆନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଅଣ-କାଳ୍ପନିକ ବର୍ଗ ପାଇଁ ସନ୍ଦୀପ ବାମଜାଇଙ୍କ ପୁସ୍ତକ “ପ୍ରିନ୍ସଷ୍ଟାନ୍‌: ନେହେରୁ, ପଟେଲ ଏବଂ ମାଉଣ୍ଟବ୍ୟାଟେନ୍ ମେଡ୍ ଇଣ୍ଡିଆ” କୁ ସମାନ ବର୍ଗର ଅନ୍ୟ ଦୁଇଟି ପୁସ୍ତକ ମଧ୍ୟରେ ଚୟନ କରାଯାଇଥିଲା ।ଶିଶୁ ସାହିତ୍ୟ ବିଭାଗ ପାଇଁ ସୁଧା ମୂର୍ତ୍ତି ତାଙ୍କ ପୁସ୍ତକ “ଗ୍ରାଣ୍ଡପାରେଣ୍ଟସ ବ୍ୟାଗ୍ ଅଫ୍ ଷ୍ଟୋରୀ” ପାଇଁ ମନୋନୀତ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦିବ୍ୟା ଦତ୍ତଙ୍କୁ ମହିଳା ଲେଖକ ଭାବରେ ପୁରସ୍କୃତ କରାଯାଇଥିଲା

ଏଥିରେ ୫୦ ରୁ ଅଧିକ ପୁସ୍ତକ ଉନ୍ମୋଚନ ହେବ ଯାହାକି ୧୦ ଟି ଭାଷାକୁ ପ୍ରତିନିଧିତ୍ୱ କରିବ । ତିନିଦିନିଆ ସାହିତ୍ୟ କାର୍ଯ୍ୟକ୍ରମ ସହିତ ଏକକାଳୀନ ଚାଲିବାକୁ ଥିବା କଳିଙ୍ଗ କଳା ମହୋତ୍ସବରେ ସମୁଦାୟ ୧୦୦ କଳାକାର ଦର୍ଶକଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ ।

loading...

Leave A Reply

Your email address will not be published.