Breaking

ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୧୯ ଉଦ୍‌ଘାଟିତ

0

ଭୁବନେଶ୍ୱର:ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ଓ ଅଭିବୃଦ୍ଧିକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି । ଆଜି ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ମେଳା-୨୦୧୯କୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ୩ ଲକ୍ଷ ୬୭ ହଜାରେରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ରାଜ୍ୟରେ ପ୍ରତିଷ୍ଠିତ ହୋଇଥିବାବେଳେ ସେମାନେ ୧୭୮୬୩ କୋଟି ଟଙ୍କା ପୁଂଜିନିବେଶ କରିଛନ୍ତି । ଏହି ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ୧୪ ଲକ୍ଷ ୬୧ ହଜାରୁ ଊଦ୍ଧ୍ୱର୍ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ସେ ଆହୁରି କହିଲେ ଯେ ଅପ୍ରେଲ ୨୦୧୫ଠାରୁ ଅଦ୍ୟାବଧି ଜିଲ୍ଲାସ୍ତରୀୟ ଏକକ ବାତାୟନ କମିଟିମାନଙ୍କ ଦ୍ୱାରା ୨୭୬୫ କୋଟିର ୭୨୪ଟି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି । ୪୦୦ରୁ ଊଦ୍ଧ୍ୱର୍ ଏମ୍‌ଏସ୍‌ଏମ୍‌ଇ, ୪୦ଟି ଷ୍ଟାର୍ଟଅପ୍‌ଙ୍କ ବ୍ୟତୀତ
୪ଟି ଦେଶ ଯଥା ଇରାନ, ବଙ୍ଗଳାଦେଶ, ଦକ୍ଷିଣ କୋରିଆ ଓ କାମ୍ବୋଡିଆରୁ ଆସିଥିବା ୩୨ଜଣ ଉଦ୍ୟୋଗୀ ଏହି ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରୁଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା ସେମାନଙ୍କୁ ଶୁଭେଚ୍ଛା ଜଣାଇ ଓଡ଼ିଶାରେ ବ୍ୟବସାୟର ସୁଯୋଗ ନେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ କହିଲେ ଯେ ଏମ୍‌ଏସ୍‌ଏମ୍‌ଇମାନଙ୍କର ବିକାଶ ଏବଂ ସେମାନଙ୍କ ଉନ୍ନତି ନିମନ୍ତେ ଏକ ଅନୁକୂଳ ବାତାବରଣ ପ୍ରଦାନ କରିବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରହିଆସିଛି । ଉଦ୍ୟୋଗୀମାନଙ୍କ ନିମନ୍ତେ ଉତ୍ତମ ଏମ୍‌ଏସ୍‌ଏମ୍‌ଇ ଓ ଖାଦ୍ୟପ୍ରକି୍ରୟାକରଣ ନୀତି ଆଦି ପ୍ରଣୟନ କରିବା ସହିତ ସେମାନଙ୍କୁ ଋଣ ସୁବିଧା ପ୍ରଦାନ ମାଧ୍ୟମରେ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଏହିଭଳି ବାଣିଜ୍ୟ ମେଳା ଆୟୋଜନ କରିଥିବାରୁ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟର ଶାସନ ସଚିବ ଶ୍ରୀ ଅରୁଣ କୁମାର ପଣ୍ଡା ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଥିଲେ । କ୍ଲଷ୍ଟର ପାଣ୍ଠି ପ୍ରଦାନ, ଜେଡ୍‌, ଜେମ୍‌ ଓ ଡିଜିଟାଲ୍‌ ବିପଣନ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇର ଅଭିବୃଦ୍ଧି ପାଇଁ ସେ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେ କହିଥିଲେ ଯେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ପୁଂଜିନିବେଶ ବୃଦ୍ଧି ଦ୍ୱାରା ନିଯୁକ୍ତି ଆଶାୟୀଙ୍କ ଅପେକ୍ଷା ନିଯୁକ୍ତି ପ୍ରଦାନକାରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ । ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା କହିଲେ ଯେ ଏହି ବାଣିଜ୍ୟ ମେଳାର ବିଷୟବସ୍ତୁ ହେଲା ‘ନବପ୍ରବର୍ତ୍ତନ, ଔଦ୍ୟୋଗିକତା ଓ ଷ୍ଟାର୍ଟଅପ୍‌’ । ଷ୍ଟାର୍ଟଅପ୍‌ ଓଡ଼ିଶା ପୋର୍ଟାଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୧୭ ମଇ ମାସରେ ଲୋକାର୍ପିତ ହେବା ପରେ ଷ୍ଟାର୍ଟଅପ୍‌ ଓଡ଼ିଶା ଉଦ୍ୟମ ଅଧିକ ଗତିଶୀଳ ହୋଇପାରିଛି । ଗତ ୨୦ ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୩୫୦ଟି ଷ୍ଟାର୍ଟଅପ୍‌ ଷ୍ଟାର୍ଟଅପ୍‌ ଓଡ଼ିଶା ଉଦ୍ୟମରେ ପଂଜୀକୃତ ହୋଇଛନ୍ତି । ଅଦ୍ୟାବଧି ଷ୍ଟାର୍ଟଅପ୍‌ ଓଡ଼ିଶା ନୀତି ଅନ୍ତର୍ଗତ ୬୧ଟି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଷ୍ଟାର୍ଟଅପ୍‌ମାନଙ୍କୁ ସହାୟତା ଦେବା ପାଇଁ ୧୧ଟି ଇନ୍‌କୁ୍ୟବେଟର, ୧୨ଟି ନୋଡାଲ ଏଜେନ୍ସି ବ୍ୟତୀତ ୧୧୦ ମେଣ୍ଟରଙ୍କୁ ନେଇ ଏକ ନେଟୱାର୍କ କାମ କରୁଛି । ଏକ ସଶକ୍ତ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ର ବିକାଶ କରିଥିବାରୁ ଭାରତ ସରକାରଙ୍କ ଡିଆଇପିପି ଓଡ଼ିଶାକୁ ୨୦୧୮ ମସିହା ପାଇଁ ରାଜ୍ୟ ଷ୍ଟାର୍ଟଅପ୍‌ ର୍ୟାଙ୍କରେ ‘ଟପ୍‌ ପର୍ଫମର’ ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି । ୨୦୨୦ ମସିହା ସୁଦ୍ଧା୧୦୦୦ଟି ଷ୍ଟାର୍ଟଅପ୍‌ ସ୍ଥାପନ ଲକ୍ଷ୍ୟରେ ଓଡ଼ିଶା ପହଞ୍ଚିପାରିବ ବୋଲି ଶ୍ରୀ ଗୁପ୍ତା ଦୃଢ଼ ଆଶାପୋଷଣ କରିଥିଲେ । ଶ୍ରୀ ଗୁପ୍ତା କହିଥିଲେ ଯେ ରାଜ୍ୟ ସରକାର ନବପ୍ରବର୍ତ୍ତନ ଏବଂ ଷ୍ଟାର୍ଟଅପ୍‌ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଏନ୍‌ଏସ୍‌ଆଇସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟର ଯୁଗ୍ମ ଶାସନ ସଚିବ ଶ୍ରୀ ସୁଧୀର ଗର୍ଗ କହିଲେ ଏମ୍‌ଏସ୍‌ଏମ୍‌ଇ ହେଉଛି ଅର୍ଥନୀତିର ମେରୁଦଣ୍ଡ । ଏନ୍‌ଏସ୍‌ଆଇସି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ବିକାଶ ନିମନ୍ତେ ପ୍ରଚେଷ୍ଟାରତ ରହିଛି । ଏହାଛଡ଼ା ଏନ୍‌ଏସ୍‌ଆଇସି ଋଣ ପ୍ରଦାନ, ବିପଣନ ସହାୟତା, କଞ୍ଚାମାଲ ଯୋଗାଣ, ବୈଷୟିକ ସହାୟତା ଆଦି ଏମ୍‌ଏସ୍‌ଏମ୍‌ଇମାନଙ୍କୁ ପ୍ରଦାନ କରୁଛି ।ରାଜ୍ୟ ସରକାର ପ୍ରଦାନ କରୁଥିବା ସୁବିଧାସୁଯୋଗର ଲାଭ ନେବାକୁ ସେ ଏମ୍‌ଏସ୍‌ଏମ୍‌ଇମାନଙ୍କୁ ଆହ୍ୱାନ ଦେଇଥିଲେ । ପରିଶେଷରେ ଡିଇପିଏମ୍‌ ଶ୍ରୀ ଶରଣ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରଣବ ଜ୍ୟୋତି ନାଥ, ଓଏସ୍‌ଆଇସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.କେ.ଜେନା ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.