Breaking

କୋଭିଡ଼ ପରବର୍ତ୍ତୀ ସବୁଜ ପୁନରୁଦ୍ଧାର ଯୋଜନାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ ଉଦ୍ଦେଶ୍ୟରେ ଗ୍ରୀନ୍‌ପିସ୍ ଇଣ୍ଡିଆ ପକ୍ଷରୁ ଉତ୍ତମତା ଅଭିମୁଖୀ ଅୟମାରମ୍ଭ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କୋଭିଡ଼-୧୯ ମହାମାରୀ ଆମ ଉପଲବ୍ଧ ଖାଦ୍ୟ ବ୍ୟବସ୍ଥାର ସୀମିତତା ଏବଂ ଦୁର୍ବଳତା ପଦାରେ ପକାଇ ଦେଇଛି । ସକ୍ଷମ ଓ ସୁସ୍ଥ ରହିବା ସହ ବିଭିନ୍ନ ସଂକ୍ରମଣ ଓ ଅସୁସ୍ଥତା ବିରୋଧରେ ଆମର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ ସହଜଭାବେ ପାଇବାର ଆବଶ୍ୟକତା ଉପରେ ମଧ୍ୟ ଏହା ଆଲୋକପାତ କରିଛି । ବର୍ତ୍ତମାନ ଏହି ବ୍ୟବସ୍ଥାକୁୁ ସୁଦୃଢ଼ କରିବା ସହ ପୁଣିଥରେ ରଣନୀତି ସ୍ଥିର କରିବାର ସମୟ ଆସିଛି । ଚାଷୀମାନେ ଖାଲି ଯେ ଉତ୍ତମ ମୂଲ୍ୟ ପାଇବା ନିମନ୍ତେ ସଂଘର୍ଷ କରୁଛନ୍ତି ତା ନୁହେଁ, ଯୋଗାଣ ଶୃଙ୍ଖଳ ବିପର୍ଯ୍ୟସ୍ତ ହୋଇପଡ଼ିଥିବାର କଷ୍ଟ ମଧ୍ୟ ସହୁଛନ୍ତି । ଲକ୍ ଡାଉନ୍ ସମୟରେ ବଜାର ସୁବିଧା ନ ମିଳିବା ଏହି ବ୍ୟବସ୍ଥାର ଭଙ୍ଗୁରତା ଏବଂ ଫାଟ ଗୁଡ଼ିକ ଦର୍ଶାଉଛି । ଆମେ ବିଶ୍ୱାସ କରୁଛୁ ଯେ ଭବିଷ୍ୟତର ପସନ୍ଦଗୁଡ଼ିକ ଅନ୍ତର୍ଭୁକ୍ତ, ସାମଗ୍ରିକ ଏବଂ ବ୍ୟାପକ ବ୍ୟବସ୍ଥାଗତ ପରିବର୍ତ୍ତନଗୁଡ଼ିକୁ ପୃଷ୍ଠଭୂମି ଭାବେ ରଖିବ ଯାହା ଆମକୁ କୋଭିଡ-୧୯ ଠାରୁ ବି ଅଧିକ ତୀବ୍ର ପାରିବେଶିକ, ଅର୍ଥନୈତିକ ଅଥବା ସ୍ୱାସ୍ଥ୍ୟଗତ ସଂକଟକୁ ମୁକାବିଲା କରିବା ଶକ୍ତିସଂପନ୍ନ ଏବଂ ସ୍ଥିତିସ୍ଥାପକ କରି ପାରିବ । ଏହି ଦାବି ଉଠାଇବା ପାଇଁ ଗ୍ରୀନ୍‌ପିସ୍ ଇଣ୍ଡିଆ ସ୍ଥାନୀୟ ଗୋଷ୍ଠୀମାନଙ୍କ ସହ ମିଶି ଏକ ଉତ୍ତମ ଭବିଷ୍ୟତର ଶପଥ ନେବା ଏବଂ ସେହି ଦିଗରେ ଆଗେଇବା ନିମନ୍ତେ କାଳିଆକନ ନଦୀ ବ୍ଲକ, ପୁରୀ, ଓଡ଼ିଶାଠାରେ ଭାରତର ଜନସାଧାରଣଙ୍କ ପାଇଁ ଏକ ଉତ୍ସାହମୂଳକ ବାର୍ତ୍ତା ଅୟମାରମ୍ଭ କରିଛି ।

ଉତ୍ତମତା ଅଭିମୁଖୀ ପୁନରୁଦ୍ଧାର ସମ୍ବନ୍ଧୀତ ଏକତା ଓ ସମର୍ଥନ ବ୍ୟକ୍ତ କରିବା ନିମନ୍ତେ ଚାଷୀ ଓ ଖାଉଟୀଙ୍କ ପାଇଁ ଗ୍ରୀନ୍‌ପିସ୍ ଇଣ୍ଡିଆ ସୁଯୋଗ ମଧ୍ୟ ସୃଷ୍ଟି କରିଛି । ଭାରତର ୧୬ଟି ରାଜ୍ୟର ଚାଷୀ, ଯଥା- ଦିଲ୍ଲୀ ଏନ୍‌ସିଆର, ବିହାର, ଗୁଜରାଟ, ହରିଆନା, କେରଳ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ପଞ୍ଜାବ, ତେଲଙ୍ଗାନା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଜାମ୍ମୁ ଓ କାଶ୍ମୀର ଏବଂ ଆସାମଙ୍କ ପକ୍ଷରୁ କୋଭିଡ଼ ପରବର୍ତ୍ତୀ ସବୁଜ ପୁନରୁଦ୍ଧାର ଯୋଜନା ମାଧ୍ୟମରେ ସ୍ଥାୟୀ ଚାଷ ଅଭ୍ୟାସର ଦାବି ଉଠାଇଛନ୍ତି ଯାହା ଉତ୍ପାଦକତା ବୃଦ୍ଧି କରିବା ସହ ପରିବେଶ ସହ ଏକ ପାରସ୍ପରିକ ଉପକାରୀ ସମ୍ପର୍କ ବଜାୟ ରଖିବାରେ ସହାୟକ ହୋଇପାରିବ ।

ଗ୍ରୀନ୍‌ପିସ୍ ଇଣ୍ଡିଆର ବରିଷ୍ଠ ପ୍ରଚାରକ ଇସ୍ତେୟାକ୍ ଅହମଦ କୁହନ୍ତି – “ଆମର ଖାଦ୍ୟ ବ୍ୟବସ୍ଥା ଅଧିକ ସ୍ଥିତିସ୍ଥାପକ, ପରିବେଶ ଦୃଷ୍ଟିରୁ ସ୍ଥାୟୀ, ସାମାଜିକ ଭାବେ ଭାଗିଦାରୀସଂପନ୍ନ ଏବଂ ସହଜଲବ୍ଧ କରିବା ନିମନ୍ତେ ଯୋଜନା ଓ ନିଷ୍ପତ୍ତିଗୁଡ଼ିକର ପୁନଃକଳ୍ପନା କରିବାର ସମୟ ଆସିଛି। ଆମେ ଏଭଳି ସମାଧାନଗୁଡ଼ିକ ଖୋଜିବା ଓ ଗବେଷଣା କରିବା ଉଚିତ ଯେଉଁଗୁଡ଼ିକ ମଧ୍ୟରେ ଅସୁରକ୍ଷିତଙ୍କୁ ସଶକ୍ତ କରିବା, ଫସିଲ ଜାଳେଣି ଉପରେ ଆମର ନିର୍ଭରଶୀଳତାକୁ କମ୍ କରିବା ସହ ଦ୍ରୁତ ଭାବେ ବୃଦ୍ଧି ପାଉଥିବା ପରିବେଶ ପରିବର୍ତ୍ତନର ଆହ୍ୱାନକୁ ହ୍ରାସ କରିବା ନିମନ୍ତେ ନବୀକରଣଯୋଗ୍ୟ ଜାଳେଣି ବ୍ୟବହାର ଦିଗକୁ ଆଗେଇ ନେବାର ସାମର୍ଥ୍ୟ ରହିଥିବ ।”

କୋଭିଡ଼ ପରବର୍ତ୍ତୀ ପୁନରୁଦ୍ଧାର ଯୋଜନା ବାବଦରେ ଗ୍ରୀନ୍‌ପିସ୍ ଇଣ୍ଡିଆ ଦାବି କରୁଛି ଯେ ଭବିଷ୍ୟତର ଯୋଜନାଗୁଡ଼ିକ ଯେପରି ପରିବେଶ ପରିବର୍ତ୍ତନ ପ୍ରସଙ୍ଗଗୁଡ଼ିକ ହ୍ରାସ ଓ ସମାଧାନ କରିବା ସମ୍ବନ୍ଧୀତ ହୋଇଥିବ ତାହା ସରକାର ନିଶ୍ଚିତ କରନ୍ତୁ । ଆମେ ଏଭଳି ବିକଳ୍ପ ଆପଣାଇବା ଦରକାର ଯାହା ଫସିଲ ଜାଳେଣିରୁ ନବୀକରଣଯୋଗ୍ୟ ଶକ୍ତି ଦିଗକୁ ସହଜରେ ବାଟ କଢ଼ାଇ ନେବ ।

ନବୀକରଣଯୋଗ୍ୟ ଶକ୍ତି ଏବଂ ପରିବେଶ ଆବଶ୍ୟକ ନିଯୁକ୍ତିର ବିକେନ୍ଦ୍ରୀକୃତ ମଡ଼େଲକୁ ପ୍ରୋତ୍ସାହିତ କରାଯିବା ଉଚିତ । କୃଷି କ୍ଷେତ୍ରରେ ଆମର ନୀତିଗୁଡ଼ିକ ଏପରି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବା ଦରକାର ଯାହା ଫଳରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ସମାନ ଗତିରେ ସ୍ୱାଭାବିକ ଏବଂ ପରିବେଶଭିତ୍ତିକ ଚାଷ ଅଭ୍ୟାସ ଦିଗକୁ ଆଗେଇ ଯାଇପାରିବେ । ଆମକୁ ଏକଥା ମଧ୍ୟ ନିଶ୍ଚିତ କରିବାକୁ ପଡ଼ିବ ଯେ ଆମର ଖାଦ୍ୟ ବ୍ୟବସ୍ଥା ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା, ନିରାପତ୍ତା ଓ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବ, ତେବେ ପରିବେଶକୁ ଶୋଷଣ କରିବ ନାହିଁ । ଭବିଷ୍ୟତ ପାଇଁ ଯୋଜନା କରିବା ବେଳେ ଆମକୁ ମନେ ରଖିବାକୁ ହେବ ଯେ ମାଟିର ସ୍ୱାସ୍ଥ୍ୟ, ବୃକ୍ଷଲତା, ଜୈବ ବିବିଧତା, ଜଳ ସଂପଦ, ପଶୁପକ୍ଷୀ, ପରିବେଶ ଏବଂ ମଣିଷ ସମସ୍ତେ ପରସ୍ପର ସହ ସଂପର୍କିତ ।

ଇସ୍ତେୟାକ୍ କୁହନ୍ତି – “ଯେତେବେଳେ ଏହି ମହାମାରୀ ଶେଷ ହୋଇଯିବ, ଏକ ଅନୁଷ୍ଠାନ ଏବଂ ସମାଜ ଭାବେ ଆମର ଭବିଷ୍ୟତ ସାମର୍ଥ୍ୟର ନିର୍ଣ୍ଣୟ ହେବ ଆମେ ଗ୍ରହଣ କରିଥିବା ପସନ୍ଦଗୁଡି଼କ ଭିତ୍ତିରେ । ଆମର ଦାୟିତ୍ୱ ହେବ ପ୍ରତି ବ୍ୟକ୍ତି ଏବଂ ସେମାନଙ୍କ ସ୍ଥିତିସ୍ଥାପକତାର କାହାଣୀକୁ ପ୍ରଗତିଶୀଳ ସମ୍ଭାବନାର ନୂତନ ଦୃଶ୍ୟପଟ୍ଟ ସହ ସଂଯୁକ୍ତ କରିବା । ଗ୍ରୀନ୍‌ପିସ୍ ଇଣ୍ଡିଆ ବିଶ୍ୱାସ କରେ ଯେ କୋଭିଡ଼-୧୯ ହେଉଛି ଏକ ଅବାଂଛିତ ବ୍ୟାଘାତ ଯାହା ବର୍ତ୍ତମାନକୁ ପୁଣିଥରେ ଦେଖିବା ପାଇଁ ଆମ ସମାଜକୁ ପୂର୍ବାପେକ୍ଷା ଅଧିକ ସଂଗଠିତ କରିଛି ଏବଂ ଭାରତ ନିମନ୍ତେ ଏକ ଉପଯୁକ୍ତ ଓ ସ୍ଥାୟୀ ଭବିଷ୍ୟତ ପୁନଃକଳ୍ପନା କରିବାର ସୁଯୋଗ ଦେଇଛି ।”
ସାମୂହିକ ଆଶା, ବିଶ୍ୱାସ ଏବଂ ସଂକଟକୁ ସୁଯୋଗରେ ପରିଣତ କରିବାର ଲକ୍ଷ୍ୟକୁ ପ୍ରତିଫଳିତ କରୁଥିବା ଏବଂ ଜଳବାୟୁ ସୁରକ୍ଷିତ, ସମାନତାଭିତ୍ତିକ, ସ୍ଥାୟୀ ଏବଂ ସ୍ଥିତିସ୍ଥାପକ ଭାରତ ନିର୍ମାଣର ଦିଗ ଦୃଢ଼ତାର ସହ ନିର୍ଦ୍ଧାରଣ କରୁଥିବା ସବୁଜ ପୁନରୁଦ୍ଧାର ଯୋଜନାକୁ ସରକାର ନିଶ୍ଚିତ ଭାବେ ବିଚାରକୁ ନେବା ଉଚିତ ।

loading...

Leave A Reply

Your email address will not be published.