Breaking

ଦୁର୍ଗାପୂଜାରେ ‘ରୁଦ୍ରାଣୀ’ ଅବତାରରେ ଦର୍ଶନ ଦେବେ ଝିଲିକ

0

ଭୁବନେଶ୍ବର:ଦଶହରା’ରେ ପ୍ରେକ୍ଷାଳୟରେ ‘ରୁଦ୍ରାଣୀ’ ଅବତାରରେ ଦର୍ଶକଙ୍କୁ ଦର୍ଶନ ଦେବେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ l କାରଣ ଚଳିତ ସେପ୍ଟେମ୍ବର ଶେଷ ସପ୍ତାହରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ତାଙ୍କର ବହୁ ପ୍ରତିକ୍ଷୀତ ଓଡିଆ ସିନେମା ‘ରୁଦ୍ରାଣୀ’ l ଯାହାକୁ ନେଇ ଦର୍ଶକଙ୍କ ମହଲରେ ଉତ୍ସାହ ବଢ଼ିଯାଇଛି l ଝିଲିକ ମୋସନ ପିକ୍‌ଚର୍ସ ବ୍ୟାନରରେ ନିର୍ମିତ ଏହି ସିନେମାରେ ପ୍ରଯୋଜନା ସହ ମୁଖ୍ୟ ଭୂମିକାରେ ନିଜେ ଝିଲିକ ଅଭିନୟ କରିଛନ୍ତି l ଏହା ତାଙ୍କ ପ୍ରଯୋଜନା ସଂସ୍ଥାର ପ୍ରଥମ ସିନେମା ହୋଇଥିବାବେଳେ ଏଥିରେ ଅଭିନୟ ତାଙ୍କ ଜୀବନର ଶ୍ରେଷ୍ଠ ଅଭିନୟ ବୋଲି ସେ କହିଛନ୍ତି l

ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦର ସିନେମା ହେଉଛି ‘ରୁଦ୍ରାଣୀ’ l ଯେଉଁଥିରେ ମିଛର ଉହାଡ ଭିତରେ କେମିତି ସତ୍ୟ ଲୁଚିଯାଏ ଓ ସତ୍ୟର ସନ୍ଧାନ କରିବା କେତେ କଷ୍ଟକର ତାହା ଚିତ୍ରଣ ହୋଇଛି l ଏମିତି ଏକ ଘଟଣାର ପର୍ଦ୍ଦାଫାଶ କରିବାକୁ ଝିଲିକ ନେଇଛନ୍ତି ‘ରୁଦ୍ରାଣୀ’ ଅବତାର l ବଡ଼କଥା ହେଲା ଏ ସିନେମା ସୁଟିଂ ବେଳେ ଝିଲିକ ଚାରି ମାସର ଗର୍ଭବତୀ ଥାଇ ସୁଟିଂ କରିଥିଲେ l କାହାଣୀରେ ନାରୀଶକ୍ତିକୁ ଗୁରୁତ୍ୱ ମିଳିଛି l ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କେ ମୂରଲୀ କ୍ରିଷ୍ଣା l ମୂରଲୀଙ୍କ ସହ ଝିଲିକ ପୂର୍ବରୁ ‘ଜଗା ହାତରେ ପଘା’ ସିନେମା କରି ସାରିଛନ୍ତି l ସେହି ଚଳଚ୍ଚିତ୍ରଟି ବେଶ ସଫଳତା ପାଇଥିବା ବେଳେ ଏ ସିନେମାକୁ ନେଇ ପୂରା ଟିମ୍ ଆଶାବାଦୀ ରହିଛି l ଏହାର ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ ଓ କ୍ୟାମେରା ପରିଚାଳନା କରିଛନ୍ତି ଈଶ୍ୱର ବାରିକ l ପ୍ରେମ ଆନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜକ ଭାବେ ଅରୁଣ ସ୍ବାଇଁ ଓ ଋତୁରାଜ ଖଟୁଆ ରହିଛନ୍ତି l ସିନେମାରେ ବିଭିନ୍ନ ଚରିତ୍ରରେ ଶୁଭାଶିଷ ଶର୍ମା (ମଣ୍ଟୁ) , ଲୋହିତାକ୍ଷ ପଟ୍ଟନାୟକ, ନବାଗତା ମୁସ୍କାନ, ବାପି ବାବୁ, ବବି ମିଶ୍ର, ପିଣ୍ଟୁ ନନ୍ଦ, ଭିକି ମିଶ୍ର, ଜୀବନ ପଣ୍ଡା, ଇଲୁ ବାନାର୍ଜୀ, ଟିଲୁ, ପ୍ରତିଭା ପଣ୍ଡା, ଶୁଭଙ୍କରୀ, ଅନୁରାଧା, ଗୁଡୁ, ଅମର, ସରୋଜ, ଧରିତ୍ରୀ ପ୍ରମୁଖ ଅଭିନୟ କରିଛନ୍ତି l

loading...

Leave A Reply

Your email address will not be published.