Breaking

ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ମୁକେଶ ଅମ୍ବାନୀ

0

ପୁରୀ :ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି। ଅପରାହ୍ନରେ ସେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାଖାପାଖି ଦୁଇ ଘଣ୍ଟା ସେଠାରେ ବିତାଇବେ। ଅମ୍ବାନୀ ମହାପ୍ରଭୁ ଜଗନ୍ନାଥଙ୍କୁ ନିଜ ଝିଅ ଇଶା ଅମ୍ବାନୀଙ୍କ ବାହାଘର ପାଇଁ ନିମନ୍ତ୍ରଣପତ୍ର ଦେବେ ବୋଲି ଜଣାପଡିଛି। ତେବେ ଅମ୍ବାନୀ ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବେ, ଗର୍ଭଗୃହକୁ ଯିବେ ନାହିଁ। ଅମ୍ବାନୀଙ୍କ ପୁରୀ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି।
ମୁକେଶ ଅମ୍ବାନୀଙ୍କ ଦର୍ଶନ କିଭଳି ଶୃଙ୍ଖଳିତ ହେବ ସେ ନେଇ ମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହିତ ପୁରୀ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ଅମ୍ବାନୀଙ୍କ ଗସ୍ତକୁ ନେଇ ମଧ୍ୟ ପୁଲିସ ପ୍ରଶାସନର ପ୍ରସ୍ତୁତି ଜୋରରେ ଚାଲିଛି। ଆଜି ତାଳବଣିଆରେ କାର୍ କେଡ୍ ବ୍ୟବସ୍ଥା ସହିତ ହେଲିପ୍ୟାଡ୍ରେ ଟ୍ରାଏଲ୍ ଲ୍ୟାଣ୍ଡିଂ ବ୍ୟବସ୍ଥା କରାଯାଇଛି। ଆସନ୍ତା କାଲି ସେ ଭୁବନେଶ୍ବରଠାରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ କାର୍ଯ୍ୟକ୍ରମ ସାରି ଅପରାହ୍ନରେ ପୁରୀ ଯାଇ ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ଜଣାପଡିଛି। ମୁକେଶଙ୍କ ସହିତ ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ ମଧ୍ୟ ପୁରୀ ଆସୁଛନ୍ତି।
ଝିଅ ଇଶାଙ୍କ ବାହାଘର ପାଇଁ ପୂର୍ବରୁ ମୁକେଶ ଅମ୍ବାନୀ ବଦ୍ରିନାଥ ଓ କେଦାରନାଥ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଠାକୁରଙ୍କୁ ନିମନ୍ତ୍ରଣପତ୍ର ଦେଇସାରିଛନ୍ତି ଏବଂ ସେ ଦର୍ଶନ ବେଳେ ନଗଦ ଅର୍ଥ ଓ ଉପହାର ସେଠାକାର ମନ୍ଦିର ପରିଚାଳନା କମିଟିକୁ ଦାନ କରିଥିଲେ। ଏ ଦୃଷ୍ଟିରୁ ମୁକେଶ ଶ୍ରୀମନ୍ଦିରକୁ ଏକ ବଡ ଅଙ୍କ ଦାନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି ଏବଂ ଅନ୍ୟପକ୍ଷରେ ଆଜି ଜେଏସ୍ଡବ୍ଲୁ ଗ୍ରୁପ୍ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଓ ବେଦାନ୍ତ ଗ୍ରୁପର ମୁଖ୍ୟ ଅନୀଲ ଅଗ୍ରୱାଲ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଅଗ୍ରୱାଲ ରାତି ୮ଟା ରେ ଏବଂ ସଜ୍ଜନ ଜିନ୍ଦଲ ସନ୍ଧ୍ୟା ୬ଟା ୩୦ ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସୂଚନା ମିଳିଛି।

loading...

Leave A Reply

Your email address will not be published.