Breaking

ମକର ସଂକ୍ରାନ୍ତି ପାଇଁ ସବୁଠି ଉତ୍ସବର ମାହୋଲ

0

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ଏଥିପାଇଁ ପଲ୍ଲୀଠୁ ସହର ସବୁଠି ଉତ୍ସବର ମାହୋଲ। ଘରେ ଘରେ ମକର ଚାଉଳ ସାଙ୍ଗକୁ ପିଠା ପଣାରେ ସାରା ପରିବେଶ ମହକି ଉଠୁଛି। ପ୍ରଥମେ ଦେବାଦେବୀଙ୍କୁ ଅର୍ପଣ କରାଯିବା ପରେ ସମସ୍ତ ପାଇଛନ୍ତି ମକର ଚାଉଳ। ଏହି ଅବସରରେ ବିଭିନ୍ନ ସ୍ଥାନରେ ଗୁଡ଼ି ଉଡ଼ା ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥାଏ।
ସେହିପରି ମକର ବେଶରେ ବିଭୂଷିତ ହୋଇ ରତ୍ନସିଂହାସନରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହି ବେଶରେ ମହାପ୍ରଭୁଙ୍କର ସର୍ବାଙ୍ଗ ନୀତି କରାଯାଇଥାଏ। ନୂଆଲୁଗା ଓ ଚୂଳ ମାଳ ଲାଗି କରାଯାଇ ଅଳଙ୍କାରରେ ବିଭୂଷିତ କରାଯାଇଥାଏ। ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ସର ଓ ଖୁଆ ଆଦିରେ ପ୍ରସ୍ତୁତ ମକର ଭୋଗ ଲାଗି ହୋଇଥାଏ। ମହାଲକ୍ଷ୍ମୀ ଧନୁ ସଂକ୍ରାନ୍ତିଠାରୁ ପୁଷମାସ କରିବାକୁ ପିତ୍ରାଳୟ ଯାଇଥିଲେ। ମହାସାଆନ୍ତାଣି ଚାଉଳ, ଖୁଆ ଆଦି ଧରି ଶ୍ରୀମନ୍ଦିରକୁ ଫେରିଥିଲେ। ତେଣୁ ମହାଲକ୍ଷ୍ଣୀ ଆଣିଥିବା ଜିନିଷକୁ ମିଶ୍ରଣ କରାଯାଇ ମକର ଚାଉଳ ପ୍ରସ୍ତୁତ ହେବାର ଲୋକକଥା ରହିଛି। ମକର ସଂକ୍ରାନ୍ତି ଅବସରରେ ଶ୍ରୀକ୍ଷେତ୍ରରେ ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଚକ୍ରମଣୋହୀ ହେବା ସହ ଇଷ୍ଟଦେବାଦେବୀଙ୍କୁ ପୂଜା କରାଯାଇଥାଏ। ଅନ୍ୟପକ୍ଷରେ ଆଜିର ଦିନରେ ସୂର୍ଯ୍ୟଦେବଙ୍କ ପ୍ରଖର କିରଣ ପୃଥିବୀ ଉପରେ ପଡ଼ିଥାଏ। ଶାସ୍ତ୍ରମତରେ ଆଜିଠାରୁ ସୂର୍ଯ୍ୟଦେବ ଉତ୍ତରାୟଣ ଗତି କରନ୍ତି।

ଏହି ଦିନରେ ମୟୂରଭଂଜର ଲୋକଉତ୍ସବ ଟୁସୁ ପର୍ବ ମଧ୍ୟ ଧୁମଧାମରେ ପାଳନ କରାଯାଇଥାଏ। ସେହିପରି ଜିଲ୍ଲାର ବିଭିନ୍ନ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ ପକାଇଥାଆନ୍ତି।

loading...

Leave A Reply

Your email address will not be published.