Breaking

ଆଜିଠୁ ଖଣ୍ଡଗିରି କୁମ୍ଭମେଳା : ଆଧ୍ୟାତ୍ମିକତା ଓ ଆଧୁନିକତାର ମହାମିଳନ

0

ଖଣ୍ଡଗିରି:ପବିତ୍ର ମାଘ ସପ୍ତମୀ ଅବସରରେ ଖଣ୍ଡଗିରିରେ ଆରମ୍ଭ ହେଉଛି ମହାପ୍ରସିଦ୍ଧ କୁମ୍ଭମେଳା। ତେଣୁ ତପ ସାଧନ ପାଇଁ ସୋମବାର ସନ୍ଧ୍ୟାରୁ ଖଣ୍ଡଗିରି ପାହାଡ଼ ଉପରେ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଲେଣି ସାଧୁସନ୍ଥମାନେ। ସେମାନେ ନିଜ ନିଜ ଅସ୍ଥାୟୀ ମଠରେ ହୋମ ଯଜ୍ଞ କରିବା ପାଇଁ ସଜବାଜ ହୋଇ ସାରିଲେଣି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୩ ଶହରୁ ଅଧିକ ସନ୍ଥ ପହଞ୍ଚି ଗଲେଣି। ଅର୍କ କ୍ଷେତ୍ର କୋଣାର୍କ- ଚନ୍ଦ୍ରଭାଗାରେ ବୁଡ଼ ପକାଇ ମଙ୍ଗଳବାର ଆହୁରି ଅଧିକ ସଂଖ୍ୟାରେ ସାଧୁସନ୍ଥମାନେ ଆସିବେ। ମା’ ବାରଭୂଜା ପୀଠରେ ପ୍ରସିଦ୍ଧ ରାମ ଚରିତ ପାରାୟଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସେଠାରେ ଖଣ୍ଡଖିରି ପ୍ରସାଦ ବ୍ୟଞ୍ଜନ ପ୍ରସ୍ତୁତ ହେବ ଓ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯିବ।

ଯାତ୍ରା ଜଗିବ ସିସି କ୍ୟାମେରା :
କମିସନରେଟ୍‌ ପୁଲିସ ପକ୍ଷରୁ ଏହି ମେଳା ପାଇଁ ବ୍ୟପାକ ପ୍ରସ୍ତୁତି ସରିଛି। ୨୦ଟି ସିସି କ୍ୟାମେରା ମେଳାର ବିଭିନ୍ନ ସ୍ଥାନରେ ଲାଗିବ। ଏକ ଅସ୍ଥାୟୀ ପୁଲିସ ଫାଣ୍ଡି ମଧ୍ୟ ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବ। ନିୟୋଜିତ ହେବାକୁ ଥିବା ୪ ପ୍ଲାଟୁନ୍‌ ପୁଲିସ ବଳ ମଧ୍ୟରୁ କେବଳ ଗୋଟିଏ ପ୍ଲାଟୁନ୍‌ ଖଣ୍ଡଗିରି ଟ୍ରାଫିକ୍‌ ଛକରେ ଯାନବାହାନ ନିୟନ୍ତ୍ରଣ କରିବେ। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍‌ ପୁଲିସ ସହ ୫୦ ଜଣ ସ୍ୱେଚ୍ଛାସେବୀ ମଧ୍ୟ ନିୟୋଜିତ ହେବେ। ଭୋର୍‌ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ ଛକକୁ ପୁଲିସ ଜଗି ରହିବ। ସେହିଭଳି ମେଳା ଭିତରେ କିଛି ପୁଲିସ କର୍ମଚାରୀ ସାଧା ପୋଷାକରେ ବୁଲିବେ। ପକେଟମାର୍‌ଙ୍କୁ ଜଗିବା ପାଇଁ ଚଳିତ ବର୍ଷ ବିଶେଷ ପ୍ରସ୍ତୁତି ହୋଇଥିବା ସୂଚନା ମିଳିଛି। ଯାତ୍ରାପେଣ୍ଡାଲମାନଙ୍କରେ ବି ସିସି କ୍ୟାମେରା ରହିବ ଓ ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ମଧ୍ୟ ପୁଲିସ କର୍ମଚାରୀ ନିୟୋଜିତ ହେବେ।

loading...

Leave A Reply

Your email address will not be published.