Breaking

ଋତୁସ୍ରାବ ସମ୍ପର୍କିତ ଭେଦଭାବ ଓ ଲଜ୍ୟାକୁ ଦୂରେଇବା ପାଇଁ ପିଲାମାନଙ୍କ ଦ୍ୱାରା ଚଳଚ୍ଚିତ୍ର ନିର୍ମାଣ

କଲ୍ଲୋଳ ୨୦୨୧-ଶିଶୁ ମହୋତ୍ସବ

0

ଭୁବନେଶ୍ୱର: : ପ୍ରସଙ୍ଗଭିତିକ ପ୍ରମାଣିକ ଚିତ୍ର ଯେତେ ମନଛୁଆଁ ହୁଏ ଜନଜୀବନର ସମସ୍ୟା ଗୁଡିୁକ ବୁଝାଇବା ସେତେ ସହାୟକ ହୋଇଥାଏ, ଯାହା ଅନ୍ୟ କୌଣସି ଯୋଗାଯୋଗ ମାଧ୍ୟମରେ ହୋଇନଥାଏ ବୋଲି ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳ-୨୦୨୧’ର ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଶା ଫିଲ୍ମ ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା ଅଭିନେତା କୁନା ତ୍ରିପାଠୀ କହିଛନ୍ତି । ସେ କହିଛନ୍ତି ଯେ, କଲ୍ଲୋଳର ଏହି ପ୍ରୟାସ ସବୁଦିନିଆ ହେବା ଦରକାର । ଏହିଭଳି ସଚେତନତା ବାର୍ତ୍ତାରେ ଲୋକମାନେ ଅଧିକରୁ ଅଧିକ ସହଯୋଗ କରିବା ପାଇଁ ବ୍ୟକ୍ତିଗତ ଭାବରେ ଅନୁରୋଧ କରିବି । ପିଲାଙ୍କ ଦ୍ୱାରା ପ୍ରସ୍ତୁତ ସିନେମା ଗୁଡିକ ଲୋକଙ୍କ ମନକୁ ନିଶ୍ଟିତ ଛୁଇଁବ ।
ସୂଚନାଯୋଗ୍ୟ କି ସ୍ୱେଚ୍ଛାସେବୀ ସଂଗଠନ ‘ଆଇନା’ ଓ ୟୁନିସେଫ୍ ଓଡିଶା ସହଭାଗିତାରେ, ଆୟୋଜିତ ‘କଲ୍ଲୋଳ-୨୦୨୧’ର ଶିଶୁ ମହୋତ୍ସବ ଶୁକ୍ରବାର ସ୍ଥାନୀୟ କ୍ରାଉନ ହୋଟେଲଠାରେ “ଋତୁସ୍ରାବ ସମ୍ବନ୍ଧୀୟ ପରିଚ୍ଛନ୍ନତା” ବିଷୟରେ ଶିଶୁମାନଙ୍କ ଦ୍ୱାରା ପ୍ରସ୍ତୁତ ୬ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଯାଇଛି । ୨୬ ଜଣ ପିଲାଙ୍କ ଦ୍ୱାରା ନିର୍ମିତ ଚଳଚିତ୍ରଗୁଡିକ ମାସିକ ଋତୁସ୍ରାବ ଓ ଏହି ସମୟର ସ୍ୱଚ୍ଛତା ଉପରେ ଆଧାରିତ । ରାଜାଧାନୀ ଭୁବନେଶ୍ୱରର ତପୋବନ ହାଇସ୍କୁଲ ଓ କଳାହାଣ୍ଡି ଜିଲ୍ଲ୍‌ାର ମାଣିକେଶ୍ୱରୀ ହାଇସ୍କୁଲରେ ୯ ଦିନିଆ କର୍ମଶାଳା ଆୟୋଜିତ କରାଯାଇଥିଲା । ଏହି ୯ ଦିନିରେ ପ୍ରଥମ ତିନିଦିନ ସ୍କ୍ରିପ୍ଟ ଲେଖାପାଇଁ ଥିଲା , ଚତୁର୍ଥ ଓ ପଂଚମ ଦିନ ଚଳଚିତ୍ର ନିର୍ମାଣ ପ୍ରକିୟାରେ ବ୍ୟବହୃତ ଯାନ୍ତ୍ରିକ ଉପକରଣର ପରିଚାଳନା ଏବଂ ଶେଷ ଚାରିଦିନ ସୁଟିଂ ଓ ଏଡିଟିଂ ପାଇଁ ରଖାଯାଇଥିଲା ।
ଅନୁସୂଚିତ ଜାତି ଓ ଜନଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ପୁନମ ଗୁହା କହିଥିଲେ, ପିରିୟଡ ବା ଋତୁସ୍ରାବ ଏକ ଗୁରୁତ୍ୱପୁର୍ଣ୍ଣ ଏବଂ ସମ୍ବେଦନଶୀଳ ପ୍ରସଙ୍ଗ, ଯାହା ବିଷୟରେ ଖୋଲାଖୋଲି ଆଲୋଚନା କରିବା ଆବଶ୍ୟକ । ତେଣୁ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ସିନେମା ଗୁଡିକ ସମାଜରେ ନିଶ୍ଚିତ ରୂପରେ ପରିବର୍ତନ ଆଣିବ ।
ଅଲମ୍ପିଆନ୍ ଦୂତି ଚାନ୍ଦ ନିଜର ବକ୍ତବ୍ୟରେ କହିଥିଲେ, ସାଧାରଣତଃ ପିରିୟଡକୁ ଗୋଟିଏ ପାପ ବା ଅଶୁଦ୍ଧ ବୋଲି ଧରାଯାଏ ଓ ଅନେକ ଲୋକ ତାକୁ ଘୃଣ୍ୟ ଦୃଷ୍ଟିରେ ମଧ୍ୟ ଦେଖିଥାନ୍ତି । ଯାହା ନାରୀ ଜାତି ପାଇଁ ବହୁତ କଷ୍ଟସାଧ୍ୟ ହୋଇଥାଏ । ପ୍ରତ୍ୟେକ ସ୍କୁଲ-କଲେଜ ତଥା ବଜାର ଓ ସପିଂ ମଲ୍ ଗୁଡିକରେ ନାରୀମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ରହିବା ନିହାତି ଆବଶ୍ୟକ ଯଦ୍ୱାରା ନାରୀମାନଙ୍କୁ ଆଉ ଅସୁବିଧାର ସମ୍ମୁଖିନ ହେବାକୁ ପଡିବନି । ଆନ୍ତର୍ଜାତିକ ଓଡିଶୀ ନୃତ୍ୟ କଳାକାର ଶାଶ୍ୱତ ଯୋଶୀ କହିଥିଲେ, କଲ୍ଲୋଳ ସବୁବେଳେ ନୂଆ ନୂଆ ବିଷୟବସ୍ତୁ ଉପରେ କାମ କରି ଆସୁଛି । ବିଶେଷ କରି ଚଳିତ ଥର ମହିଳାମାନଙ୍କ ପରିଚ୍ଛନ୍ନତା ଦିଗରେ ନିଆଯାଇଥିବା ପଦେକ୍ଷପ ଖୁବ୍ ପ୍ରଶଂସନୀୟ ।
ସମାରୋହରେ ୟୁନିସେଫ୍ ଓଡିଶାର ମୁଖ୍ୟ ଡକ୍ଟର ମୋନିକା ନେଲସନ୍ କହିଥିଲେ, “କଲ୍ଲୋଳ ପିଲାମାନଙ୍କୁ ତାଙ୍କ ଅଧିକାର ଜାଣିବା ଏବଂ ସାବ୍ୟସ୍ତ କରିବା ପାଇଁ ଏକ ସୁଯୋଗ ଦେଇଆସୁଛି । ଆଗକୁ ମଧ୍ୟ ଆମର ଏହି ପ୍ରୟାସ ଜାରି ରହିବ । ଋତୁସ୍ରାବକୁ ନେଇ ସମାଜରେ ଚାଲିଥିବା ଭୁଲଧାରଣାକୁ ଭାଙ୍ଗିବା ଏବଂ ଏହା ସହିତ ଜଡିତ ଭୟ ଓ ଲଜ୍ଜାକୁ ଦୂର କରିବା ଦିଗରେ ଏହା ପ୍ରଥମ ପଦକ୍ଷେପ ହେବ ବୋଲି ମୋର ବିଶ୍ୱାସ ।
ଏହି ଅବସରରେ ଆଇନାର ସମ୍ପାଦିକା ଶ୍ରୀମତୀ ସ୍ନେହ ମିଶ୍ର କହିଥିଲେ, “କଲ୍ଲୋଳର ସପ୍ତମ ସଂସ୍କରଣରେ ପିରିୟଡ ଭଳି ଭିନ୍ନ ପ୍ରସଙ୍ଗକୁ ନେଇ କାର୍ଯ୍ୟ କରିବା କଷ୍ଟସାଧ୍ୟ ମନେ ହେଉଥିଲା । ପିଲାଙ୍କଦ୍ୱାରା ପ୍ରସ୍ତୁତ ସିନେମାଗୁଡିକୁ ଦେଖିଲା ପରେ ଆମର ସବୁ ପରିଶ୍ରମ ଫଳପ୍ରଦ ହୋଇଛି ବୋଲି ଅନୁଭବ ହେଲା ।
ଅନ୍ୟ ମାନଙ୍କ ମଧ୍ୟରେ ୟୁନିସେଫର ୱାସ୍ ବିଶେଷଜ୍ଞ ସିପ୍ରା ସକ୍ସେନା କହିଥିଲେ କଲ୍ଲୋଳର ଏଭଳି ଅଗ୍ରଗତି ଦେଖି ଆମେ ବହୁତ ଖୁସି ଅଛୁ । ସେହିପରି ପାର୍ଟନର୍ସ ଭାବରେ ଓଡିଶା ମେନଷ୍ଟ୍ରୁଆଲ ହେଲ୍‌ଥ ହାଇଜିନ୍ ଏଲାଏନ୍‌ସର ସଦସ୍ୟ ବିକାଶ ପତି ଏବଂ ଆଇ.ଆର୍‌.ସିର କାର୍ଯ୍ୟକର୍ତା ସାଇନି ସାହା ପ୍ରମୁଖ ମଧ୍ୟ ନିଜର ବହୁମୂଲ୍ୟ ମନ୍ତବ୍ୟ ରଖିଥିଲେ । ଫିଲ୍ମଗୁଡିକ ପ୍ରସ୍ତୁତ କରିଥିବା ଦୁଇଟି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରଷ୍କୃତ କରାଗଲା । ଶିଶୁ କଳାକାର ଖୁସି ଓ ଦର୍ଶିଲ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ପ୍ରକଳ୍ପ ପ୍ରବନ୍ଧକ ସ୍ମ୍ରିତି ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦିବଙ୍ଗତ ସେନାମୁଖ୍ୟ ବିପିନ ରାୱତଙ୍କ ସମେତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟମାନଙ୍କପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

loading...

Leave A Reply

Your email address will not be published.