Breaking

ମା’ ଆସୁଛନ୍ତି : ଝାରପଡ଼ାରେ ‘ଆଲବର୍ଟ ମ୍ୟୁଜିୟମ୍‌’

0

ଭୁବନେଶ୍ବର: ୭ ବର୍ଷ ଧରି ରାଜଧାନୀବାସୀଙ୍କୁ ଆକର୍ଷିତ କରୁଥିବା ଝାରପଡ଼ା ଦୁର୍ଗାପୂଜା ମଣ୍ଡପ ଏଥର ମଧ୍ୟ ନିଆରା ତୋରଣରେ ଝଲସିବ। ରାଜସ୍ଥାନର ‘ଆଲବର୍ଟ ମ୍ୟୁଜିୟମ୍‌’ରେ ଆବିର୍ଭାବ ହେବେ ମା’। ପଶ୍ଚିମବଙ୍ଗର କାରିଗର ପ୍ରତାପ ଚନ୍ଦ୍ର ଗିରିଙ୍କ ସହ ୫୦ଜଣ ସହଯୋଗୀ କାରିଗର ଦେଢ଼ ମାସ ହେଲା ତୋରଣ ନିର୍ମାଣରେ ଲାଗି ପଡ଼ିଛନ୍ତି। ବାଉଁଶ, କାଠ ବିଟ୍‌, ପ୍ଲାଏ, ଫାଇବର, ସନପେକ୍‌, ୟୁନିଫୋମ୍‌, କାଚ ମାଳି ଓ କାଚ ରଙ୍ଗିନ୍‌ ପାଇପ୍‌ ତୋରଣରେ ବ୍ୟବହାର ହେବ।

ଓଡ଼ିଶା କାରିଗର ସନ୍ତୋଷ କୁମାର ବେହେରାଙ୍କ ଦ୍ବାରା ୧୨ଫୁଟ ଉଚ୍ଚତା ବିଶିଷ୍ଟ ମା’ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପ୍ରସ୍ତୁତି ଚାଲିଛି। ୨୦ ଫୁଟ୍‌ ଉଚ୍ଚତାର ବୁଲେନ୍‌ ଓ ସୁନେଲି ମେଢ଼ ତିଆରି କରାଯାଇଛି। ମା’ଙ୍କ ସହ ପାର୍ଶ୍ବ ଦେବତାମାନେ ରୂପା ଅଳଙ୍କାରରେ ଭକ୍ତଙ୍କୁ ଦର୍ଶନ ଦେବେ। ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ଗୋଟିଏ ପ୍ରବେଶ ପଥ ରହିଥିବା ବେଳେ ଭିତର ପାର୍ଶ୍ବରେ ୪ଟି ପ୍ରସ୍ଥାନ ରଖାଯାଇଛି। ତୋରଣ ଭିତରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ହୋଇଛି। ୩ଟି ମୁଖ୍ୟ ଗେଟ୍‌ ସମେତ ୫ଟି ଗେଟ୍‌ରେ ବିଭିନ୍ନ ପୌରାଣିକ, ଆଧୁନିକ ଓ ଆଦିବାସୀଙ୍କ କଥାବସ୍ତୁକୁ ଏଲ୍ଇଡି ଓ ମେକାନିକାଲ ଷ୍ଟ୍ରକ୍‌ଚର୍‌ରେ ପ୍ରଦର୍ଶିତ କରାଯିବ। ସପ୍ତମୀ, ନବମୀ ଓ ଦଶମୀ ତିଥିରେ ଭକ୍ତଙ୍କ ପାଇଁ ଖେଚୁଡ଼ି ଭୋଗର ବ୍ୟବସ୍ଥା ହୋଇଥିବା ବେଳେ ଅଷ୍ଟମୀ ଦିନ ହାଲୁଆ ଭୋଗ ପ୍ରଦାନ କରାଯିବ। ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଭଜନ ଓ ‌େମଲୋଡି ସନ୍ଧ୍ୟା ଅନୁଷ୍ଠିତ ହେବ। ଗାୟକ ନିରଜ ବକ୍ସି ଓ ସୋହିନୀ ମିଶ୍ରଙ୍କ ଦଳ ସଙ୍ଗୀତ ପରିବେଷଣ କରିବେ। ପ୍ରତିବର୍ଷ ପରି ଏଥର ମଧ୍ୟ ଦଶମୀ ଦିନ ସନ୍ଧ୍ୟା ୭ଟାରେ ରାବଣ ପୋଡ଼ି ଅନୁଷ୍ଠିତ ହେବ। ୪୦ ଫୁଟର ରାବଣ ପୋଡ଼ି ସାଙ୍ଗକୁ ବିଭିନ୍ନ ପ୍ରକାର ଆତସବାଜି କାର୍ଯ୍ୟକ୍ରମ ହେବ ବୋଲି ପୂଜା କମିଟିର ସଭାପତି ଶିଖର ଚନ୍ଦ୍ର ଜେନା ଓ ସମ୍ପାଦକ ଧରଣୀଧର ଜେନା କହିଛନ୍ତି।

loading...

Leave A Reply

Your email address will not be published.