Breaking

ରାଜସ୍ୱ ଆୟର ବିଶ୍ଳେଷଣ ନିମନ୍ତେ ଜିଏସ୍‌ଟି କାଉନ୍‌ସିଲ୍‌ ଦ୍ୱାରା ଗଠିତ ମନ୍ତ୍ରୀଗୋଷ୍ଠୀରେ ଅର୍ଥ ମନ୍ତ୍ରୀ ଶ୍ରୀ ବେହେରା ।

0

ଭୁବନେଶ୍ୱର:ଭାରତ ସରକାରଙ୍କ ଦ୍ୱାରା ସାରା ଦେଶରେ ଦ୍ରବ୍ୟ ଓ ସେବାକର(ଜିଏସ୍‌ଟି) ପ୍ରଚଳନ ହେବା ପରେ ସଂଗୃହୀତ ରାଜସ୍ୱ ଆୟର ବିଶ୍ଳେଷଣ କରିବା ନିମନ୍ତେ ଜିଏସ୍‌ଟି କାଉନ୍‌ସିଲ୍‌ ଦ୍ୱାରା ଗଠିତ ଏକ ସାତଜଣିଆ ମନ୍ତ୍ରୀଗୋଷ୍ଠୀରେ ଓଡ଼ିଶା ଅର୍ଥ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ଅନ୍ୟତମ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ୩୧ତମ ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ମନ୍ତ୍ରୀଗୋଷ୍ଠୀ ଜିଏସ୍‌ଟି ପ୍ରଚଳନ ପୂର୍ବରୁ ଏବଂ ଜିଏସ୍‌ଟି ପ୍ରଚଳନ ପରେ ରାଜ୍ୟୱାରୀ ରାଜସ୍ୱ ଆଦାୟର ଧାରା ସଂପର୍କରେ ବିଶ୍ଳେଷଣ କରିବେ । ଜିଏସ୍‌ଟି ଦ୍ୱାରା ସେବାକ୍ଷେତ୍ର ସମେତ ଅର୍ଥନୀତିର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଢାଞ୍ଚାଗତ ପରିବର୍ତ୍ତନ ଓ ରାଜସ୍ୱ ଆଦାୟ କ୍ଷେତ୍ରରେ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରିବ । ଏହି ମନ୍ତ୍ରୀଗୋଷ୍ଠୀ ଜିଏସ୍‌ଟିର ପରିକଳ୍ପନା ଏବଂ ଏହାର କାର୍ଯ୍ୟାନ୍ୱୟନ କରିବା ସମୟରେ ଅନୁମାନ କରାଯାଉଥିବା ରାଜସ୍ୱ ଆୟ ଓ ପ୍ରକୃତରେ ସଂଗୃହୀତ ହେଉଥିବା ରାଜସ୍ୱ ମଧ୍ୟରେ ବ୍ୟବଧାନର କାରଣ ଅନୁଧ୍ୟାନ କରିବ । ପ୍ରମୁଖ ଉପଭୋକ୍ତା ରାଜ୍ୟଗୁଡ଼ିକରେ ଆଶାନୁରୂପଠାରୁ କମ ଟିକସ ଆଦାୟ ସଂପର୍କରେ କମିଟି ଅନୁଧ୍ୟାନ କରିବ । ଏଥି ସହିତ ଏହି ମନ୍ତ୍ରୀଗୋଷ୍ଠୀ ରାଜସ୍ୱ ଆଦାୟ ଓ ବିଶେଷ କରି ଜିଏସ୍‌ଟି ଆଦାୟ କ୍ଷେତ୍ରରେ ଅଧିକ ନିଅଣ୍ଟିଆ ରାଜ୍ୟଗୁଡ଼ିକର ରାଜସ୍ୱ ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଓ ନୀତି ନିର୍ଦ୍ଧାରଣ ନିମନ୍ତେ ସୁପାରିଶ କରିବେ । ବିହାରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସୁଶିଲ କୁମାର ମୋଦିଙ୍କ ଆବାହକତ୍ତ୍ୱରେ ଗଠିତ ଏହି ମନ୍ତ୍ରୀ ଗୋଷ୍ଠୀରେ ଓଡ଼ିଶା ସମେତ କର୍ଣ୍ଣାଟକ, କେରଳ, ପଞ୍ଜାବ, ହରିୟାଣା ଏବଂ ଗୋଆର ଅର୍ଥମନ୍ତ୍ରୀମାନେ ସଦସ୍ୟ ରହିବେ । ସୂଚନା ଯୋଗ୍ୟ ଯେ ଜିଏସ୍‌ଟିର ସଫଳ ରୂପାୟନ କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତିର ବ୍ୟବହାର ଓ ଏ ଦିଗରେ ଉପୁଜୁଥିବା ସମସ୍ୟାର ସମାଧାନ ନିମନ୍ତେ ଅତୀତରେ ଗଠିତ ୫ ଜଣିଆ ମନ୍ତ୍ରୀ ଗୋଷ୍ଠୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ କ୍ଷତିଗ୍ରସ୍ତ ରାଜ୍ୟ ନିମନ୍ତେ ଅତିରିକ୍ତ ସେସ୍‌ ଆଦାୟ ନିମନ୍ତେ ଗଠିତ ୭ ଜଣିଆ ମନ୍ତ୍ରୀ ଗୋଷ୍ଠୀରେ ମଧ୍ୟ ମନ୍ତ୍ରୀ ଶ୍ରୀ ବେହେରା ସଦସ୍ୟ ଅଛନ୍ତି ।

loading...

Leave A Reply

Your email address will not be published.