Breaking

ଭୁବନେଶ୍ୱର ମହାନଗର ନିଗମ ୟୁଜର୍ସ ଫି ତୁରନ୍ତ ପ୍ରତ୍ୟାହାର କରନ୍ତୁ –କଂଗ୍ରେସ

0

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ:

ଭୁବନେଶ୍ୱର ମହାନଗର ନିଗମ ଏବେ ନିଗମ ଅଂଚଳରେ ଥିବା ଅଧିବାସୀ
ମାନଙ୍କ ପାଖରୁ ୟୁଜର୍ସ ଫି ଜୋରଜବରଦସ୍ତି ଆଦାୟ କରୁଛନ୍ତି । ୨୦୧୫ ମସିହାରେ ପ୍ରଥମତଃ ଭୁବନେଶ୍ୱର ମହାନଗର ନିଗମ ୟୁଜର୍ସ ଫି ଆଦାୟ କରିବା ପାଇଁ ଏକ ନିଷ୍ପତି ନେଇଥିଲା । ସେହି ସମୟରେ ଏହି ଫି ବିରୁଦ୍ଧରେ ଭୁବନେଶ୍ୱର ମହାନଗର ଅଂଚଳର କିଛି ନାଗରିକ ସଂଗଠନମାନେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏ ବାବଦରେ ଏକ କେଶ୍ ଦାୟର କଲେ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନର ୟୁଜର୍ସ ଚାର୍ଜେସ୍ ରେଗୁଲେସନ, ୨୦୧୫ କୁ ତତ୍‌କ୍ଷଣାତ୍ ବନ୍ଦ କରିବା ପାଇଁ ଏକ ନିଷିଦ୍ଧାଦେଶ ଜାରି କରିଥିଲେ । କିନ୍ତୁ ଯେତେବେଳେ ସାରା ରାଜ୍ୟରେ ବିଶେଷ କରି ଭୁବନେଶ୍ୱର ମହାନଗର ନିଗର ଅଂଚଳର ଅଧିବାସୀମାନେ କରୋନା ମହାମାରୀ ପ୍ରକୋପରେ ପୀଡିତ ଏବଂ ସେମାନଙ୍କର ଆୟ ବହୁମାତ୍ରାରେ କମିଯାଇଛି, ରୋଜଗାର ନାହିଁ, ରୋଜଗାରର ପନ୍ଥା ମଧ୍ୟ ବନ୍ଦ । ସେହି ସମୟରେ କିଛି କୁଚକ୍ରୀ ଅଣଓଡିଆ ଅମଲାତନ୍ତ୍ରୀ ଏକ ନିର୍ଦ୍ଦିଷ୍ଟ ଅଣଓଡିଆ ଅମଲାତନ୍ତ୍ରୀର ତୃତୀୟ ମହଲାର ନିର୍ଦ୍ଦେଶରେ ବାରମ୍ବାର କେତେବେଳେ ହୋଲ୍ଡିଂ ଟ୍ୟାକ୍ସ / ପ୍ରପର୍ଟି ଟ୍ୟାକ୍ସ ତ କେତେବେଳେ ୟୁଜର୍ସ ଚାର୍ଜେସ୍ ଆଦାୟ କରିବାରେ ଲାଗିଛନ୍ତି । ଏହାର କିଛିଦିନ ପୂର୍ବରୁ ଜିଲ୍ଲା କଂଗ୍ରେସ ଏହି ହୋଲ୍ଡିଂ ଟ୍ୟାକ୍ସ ବିରୁଦ୍ଧରେ ଆନ୍ଦୋଳନ ଚଳାଇବା ଯୋଗୁଁ ସରକାର ବାଧ୍ୟ ହୋଇ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ବନ୍ଦ କଲେ । କିନ୍ତୁ ଏବେ ୟୁଜର୍ସ ଚାର୍ଜେସ ଆଦାୟ କରିବାରେ ଲାଗିଛନ୍ତି । ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତିଙ୍କ ପୌରହିତ୍ୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନ୍‌ଗୋ କହିଲେ ଯେ ଏହି ୟୁଜର୍ସ ଚାର୍ଜେସ୍ ଆଦାୟ ସଂପୂର୍ଣ୍ଣ ଆଇନ୍‌ର ବିରୁଦ୍ଧାଚରଣ କରୁଛି ଏବଂ ଓଡିଶା ମ୍ୟୁନିସିପାଲ ଆକ୍ଟର ୨୦୦୩ ର ବିରୁଦ୍ଧାଚରଣ କରୁଛି । ସାଧାରଣତଃ ୟୁଜର୍ସ ଚାର୍ଜେସ୍ ଯଦି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ଭୁବନେଶ୍ୱର ମ୍ୟୁନିସିପାଲ ଅଧିନରେ ଥିବା କୌଣସି ଜାଗାକୁ ନିଜସ୍ୱ ଉଦ୍ଦେଶ୍ୟରେ ବ୍ୟବହାର କରେ ତେବେ ତା ପାଖରୁ ୟୁଜର୍ସ ଫି ଆଦାୟ କରାଯିବା ଉଚିତ୍ । ଏହାର ଅର୍ଥ ନୁହେଁ ସବୁ ଲୋକଙ୍କ ପାଖରୁ ୟୁଜର୍ସ ଫି ଆଦାୟ କରାଯିବ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ କହିଲେ ଯେ ଯଦି ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ ଏବଂ ସହରାଚଂଳ ବିକାଶ ମନ୍ତ୍ରୀ ଏହି ୟୁଜର୍ସ ଫି ଆଦାୟକୁ ତୁରନ୍ତ ବନ୍ଦ ନକରନ୍ତି ତେବେ ଏହି ଆନ୍ଦୋଳନ ବହୁ ତିବ୍ରତର ହେବ । କଂଗ୍ରେସ ଲୋକମାନଙ୍କ ସ୍ୱାର୍ଥ ପାଇଁ ଏହି ଲଢ଼େଇ ସବୁ ସ୍ତରରେ ଲଢ଼ିବ । ଆମେ ରାଜ୍ୟ ସରକାର ତଥା ଭୁବନେଶ୍ୱର ମହାନଗର ନିଗମକୁ ମାତ୍ର ଏକମାସ ସମୟ ଦେଲୁ । ଏହି ସମୟ ଭିତରେ ୟୁଜର୍ସ ଫି ଆଦାୟ ବନ୍ଦ କରନ୍ତୁ ଏବଂ ଏହାକୁ ଶୀଘ୍ର ପ୍ରତ୍ୟାହାର କରନ୍ତୁ । ଶ୍ରୀ ଦାସ ମହାନଗର ନିଗମ ଅଧିବାସୀମାନଙ୍କୁ ନିବେଦନ କରିଛନ୍ତି ଯେ ଏହି ୟୁଜର୍ସ ଫି ଦିଅନ୍ତୁ ନାହିଁ ଏବଂ ଏହି ଲଢ଼େଇରେ ଆମକୁ ସହଯୋଗ କରନ୍ତୁ ।
ବରିଷ୍ଠ କଂଗ୍ରେସ ନେତା ତଥା ଆଇନ୍‌ଜୀବୀ ଶ୍ରୀ ଶିବାନନ୍ଦ ରାୟ କହିଲେ ଯେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ, ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ହୋଇନାହିଁ, ସମସ୍ତ ରାସ୍ତା ଅତି ଖରାପ ଅବସ୍ଥାରେ ଅଛି, କିନ୍ତୁ ଫି କାହା ପାଇଁ ଆଦାୟ କରାଯାଉଛି । ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କହିଲେ ଯେ ଏ ରାଜ୍ୟ ସରକାର ତଥା ଭୁବନେଶ୍ୱର ମହାନଗର ନିଗମର ଅଧିକାରୀବୃନ୍ଦଙ୍କ ମିଳିତ ଷଡଯନ୍ତ୍ରରେ ସହରବାସୀ ଶିକାର ହେଉଛନ୍ତି ଏବଂ ଏଭଳି ପରିସ୍ଥିତିରେ ଲୋକମାନଙ୍କ ପାଖରୁ ଜୋର ଜବରଦସ୍ତି କରବ । ଫି ଆଦାୟ କରିବା ଏକ ଗଣତାନ୍ତ୍ରିକ ସରକାରର ଧର୍ମ ନୁହେଁ । ବରିଷ୍ଠ ମହିଳା କଂଗ୍ରେସ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର କହିଲେ ଯେ ମହାନଗର ନିଗମ ଅଧିବାସୀମାନେ କାହିଁକି ସରକାରଙ୍କୁ କର ଦେବେ? ମହାନଗର ନିଗମ ଯେଉଁ ପ୍ରାଇଭେଟ୍ ଫାର୍ମ ମାନଙ୍କୁ ବିଭିନ୍ନ ସଫେଇ କାମରେ ନିୟୋଜିତ କରିଛନ୍ତି ସେମାନଙ୍କୁ ସାମାନ୍ୟ ଉପକରଣଟିଏ ମଧ୍ୟ ଦେଉନାହାନ୍ତି । ମଇଳା କୁଢ଼ କୁଢ଼ ପଡି ରହୁଛି, ରାସ୍ତାଘାଟ ପରିଷ୍କାର ହେଉନାହିଁ ବୋଲି କହିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ତଥା ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସ ଭୁବନେଶ୍ୱରବାସୀଙ୍କ ଉଦ୍ଦେଶ୍ୟରେ ହୋଲ୍ଡିଂ ଟ୍ୟାକସ୍ ଲଢ଼େଇରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇବା ସହ ଅନୁରୋଧ କରିଛନ୍ତି ଆଗାମୀ ଦିନରେ ୟୁଜର୍ସର୍ ଫି ଲଢ଼େଇରେ ସହଯୋଗ କରିବାକୁ ଏବଂ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.