Breaking

ବାଙ୍ଗାଲୋର ଓଡ଼ିଶା ସାଂସ୍କୃତିକ ସଂଘ ପକ୍ଷରୁ ଉତ୍କଳ ଦିବସ ପାଳନ

0

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ:

ବେଙ୍ଗାଲୁରୁର ସର୍ବପୁରାତନ ଓଡ଼ିଆ ଅନୁଷ୍ଠାନ ଓଡ଼ିଶା ସାଂସ୍କୃତିକ ସଂଘ (ଓ.ସି.ଏ) ତରଫରୁ ଉତ୍କଳ ଦିବସ ଅନ୍‍ଲାଇନ୍‍ ଯୋଗେ ମହାସମାରୋହରେ ପାଳନ କରାଯାଇଛି । ଓ.ସି.ଏ ଦ୍ୱାରା ଏହି ଉପଲକ୍ଷେ ଏକ ଭର୍ଚ୍ଚୁଆଲ ସଭା ଏବଂ ୟୁ.ଟିଉବ୍‍ ଜରିଆରେ ରଙ୍ଗାରଙ୍ଗ୍‍ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଭିଡିଓ କନ୍‍ଫରେନ୍ସ ଜରିଆରେ ଉପସ୍ଥିତ ବରେଣ୍ୟ ଅତିଥିବୃନ୍ଦ ବେଙ୍ଗାଲୁରୁରେ ଓଡ଼ିଶାର ଭାଷା, ସାହିତ୍ୟ, କଳା,ସଂସ୍କୃତି,ଐତିହ୍ୟ ଓପରମ୍ପରାକୁ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ଓ.ସି.ଏ ର ଦୀର୍ଘ କାଳର ସକ୍ରୀୟ ପ୍ରୟାସକୁ ଭୂରୀଭୂରୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଓ.ସି.ଏ ର ସମ୍ପାଦକ ସୀମିତା ଷଡ଼ଙ୍ଗୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଡିଜିଟାଲ ମହୋତ୍ସବକୁ ସମ୍ବୋଧନ କରି ମୁଖ୍ୟ ଅତିଥି କେନ୍ଦ୍ରୀୟ ବେଙ୍ଗାଲୁରୁର ସାଂସଦ ପି.ସି. ମୋହନ ଓଡ଼ିଶାର ମହତ୍ୱ ଏବଂ ଓଡ଼ିଆଙ୍କର ମହନୀୟତା ଅନନ୍ୟ ଓ ଅତୁଳନୀୟ ବୋଲି ଦର୍ଶାଇଥିଲେ । ଜଗନ୍ନାଥଙ୍କର ରଥାଯାତ୍ରାରେ ସାମିଲ ହେବା ତଥା କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ଜୀବଦ୍ଦଶାରେ ଥରୁଟିଏ ପାଇଁ ଦର୍ଶନ କରିବା ସମସ୍ତ ଭାରତୀୟଙ୍କର ସ୍ୱପ୍ନ ଥାଏ ବୋଲି ସେ ସୂଚାଇଥିଲେ । ବେଙ୍ଗାଲୁରୁରେ ଅବସ୍ଥାନ କରୁଥିବା ଓଡ଼ିଆମାନଙ୍କର ଏହି ମହାନଗରର ଆର୍ଥିକ ଓ ବୌଦ୍ଧିକ ବିକାଶ ଦିଗରେ ବ୍ୟାପକ ଯୋଗଦାନ ରହିଥିବା ଶ୍ରୀ ମୋହନ ପ୍ରକାଶ କରିଥିଲେ । ଶ୍ରୀ ମୋହନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ବିଶିଷ୍ଟ ଷ୍ଟାର୍ଟଅପ୍‍ ବିଶେଷଜ୍ଞ ପ୍ରଣବ ପାଣି ବେଙ୍ଗାଲୁରୁରେ ବସବାସ କରୁଥିବା ୧୦ ଲକ୍ଷ ଓଡ଼ିଆ ବେଶ୍‍ ପ୍ରତିଷ୍ଠିତ, ପ୍ରଗତିଶୀଳ ଓ ଶାନ୍ତିପ୍ରିୟ ବୋଲି ଉଲ୍ଲେଖ କରିଥିଲେ । ମହାନଗରର ମୋଟ୍‍ ଜନସଂଖ୍ୟାର ୧୦ଭାଗ ଓଡ଼ିଆ ହୋଇଥିବାବେଳେ ଏହାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସେମାନଙ୍କର ଯୋଗଦାନ ଶକଡ଼ା ୯ପ୍ରତିଶତ ବୋଲି ଶ୍ରୀ ପାଣି ସୂଚାଇଥିଲେ ।ଇଣ୍ଟରନେଟ୍‍ ସମାବେଶରେ ପୌରହିତ୍ୟ କରି ଓ.ସି.ଏ ର ସଭାପତି ଡ. ସୌଦାମିନୀ ମହାପାତ୍ର ଉତ୍କଳ ଦିବସ ପାଳନର ଗୁରୁତ୍ୱ ଏବଂ ଓ.ସି.ଏ ର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥିଭାବରେ ଯୋଗଦେଇ ଅଷ୍ଟ୍ରେଲିଆସ୍ଥିତ ଓଡ଼ିଆ ସମାଜର ସଭାପତି ଡ. ନଳିନୀ ପତି, କୋଭିଡ୍‍ ମହାମାରୀର ସଂକଟ ବିଶ୍ୱଭରି ଓଡ଼ିଆମାନଙ୍କୁ ଏକତ୍ରିତ ହୋଇ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଶିକ୍ଷା ଦେଇଥିବା ଦର୍ଶାଇ ଓଡ଼ିଶା ଏବଂ ପ୍ରବାସୀ ଓଡ଼ିଆଙ୍କର ବୃହତ୍ତର ହୀତ ସକାଶେ ଏହି ପରମ୍ପରାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ରାଜ୍ୟ ସଂସ୍କୃତି ବିଭାଗର ପ୍ରମୁଖ ସଚୀବ ବିଷ୍ଣୁପଦ ସେଠୀ, ୩୦୦୦ ବର୍ଷର ଐତିହ୍ୟ ଏବଂ ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡ଼ିଶା, ଏହାର ଉନ୍ନତ କଳା, ଭାସ୍କର୍ଯ୍ୟ, ସାହିତ୍ୟ ଓ ଭାଷା ପାଇଁ ବିଶ୍ୱବିଦୀତ ବୋଲି ବର୍ଣ୍ଣନା କରିଥିଲେ ।
୧୯୭୦ ମସିହାରେ ପ୍ରତିଷ୍ଠା ହୋଇଥିବା ଓ.ସି.ଏ ର ସଂସ୍ଥାପକ ବରିଷ୍ଠ ସଦସ୍ୟ ଡ. ସି.ଆର୍‍. ଓାହୁ, ତାରା ପ୍ରସାଦ ମହାପାତ୍ର ଏବଂ ସୀତିକଣ୍ଠ ଷଡ଼ଙ୍ଗୀ ଉତ୍କଳ ଦିବସର ଶୁଭକାମନା ପ୍ରଦାନ କରିଥିଲେ । ଓଡ଼ିଶା ସୋସାଇଟି ଅଫ୍‍ ଆମେରିକାଜ୍‍ (ଓସା)ର ପୂର୍ବତନ ସଭାପତି ଲଲାଟେନ୍ଦୁ ମହାନ୍ତି, ଓଡ଼ିଆ ଭାଷାର ଗାରିମା ଓ ଗାମ୍ଭୀର୍ଯ୍ୟକୁ ନେଇ ଆମର ଯୁବପିଢ଼ୀ ଗର୍ବ ଏବଂ ଗୌରା ବାନ୍ୱିତ ଅନୁଭବ କଲେ, ଆମର ଜାତି ପ୍ରକୃତରେ ଉଚ୍ଚ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହା ପାତ୍ର,ଅହରହ ନିଜର ମାଟିର ବାସ୍ନାକୁ ଝୁରୁଥିବା ଏବଂ ଭିଟାମାଟି ସହିତ ସଦାସର୍ବଦା ଯୋଡ଼ି ହୋଇ ରହିବାର ମାନସିକତାରଖିଥିବା ପ୍ରବାସୀ ଓଡ଼ିଆମାନେ ପ୍ରକୃତରେ ଅମର କଳା ଓ ସଂସ୍କୃତିର ପ୍ରଚାରକ ଓ ପ୍ରସାରକ ବୋଲି କହିଥିଲେ । ଓଡ଼ିଶା ସମାଜ, ୟୁ.ଏ.ଇ ର ସଭାପତି ଅମୀୟ ମିଶ୍ର, ସାରା ପୃଥିବୀର ଓଡ଼ିଆ ସମ୍ପ୍ରଦାୟକୁ ଏକ ମଞ୍ଚ ତଳେ ଏକଜୁଟ୍‍ କରି ଆମର ମାତୃପ୍ରଦେଶର ସର୍ବାଙ୍ଗୀନ କଲ୍ୟାଣ ସାଧନ ଉଦ୍ଦେଶ୍ୟରେ ନିକଟରେ ବିଶ୍ୱ ଓଡ଼ିଶା ସମାଜ ଗଠନ କରାଯାଇଥିବା ସୂଚନା ଦେଇଥିଲେ । ଓଡ଼ିଶା ସମାଜ ୟୁ.କେ ର ସଭାପତି ସୁମନ୍ତ ମାନସିଂହ, ସମ୍ବଳ ଓ ଶକ୍ତିରେ ଭରପୂର ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଆହ୍ୱାନ ଜଣାଇଥିଲେ । ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଓଡ଼ିଶା ବାହାରେ ରହୁଥିବା ପାଖାପାଖି ୨କୋଟି ପ୍ରବାସୀ ଓଡ଼ିଆଙ୍କର ତନ, ମନ ଓ ଧନକୁ ରାଜ୍ୟର କଲ୍ୟାଣ କଳ୍ପେ ବିନିଯୋଗ କରାଯିବା ପାଇଁ ଏନ୍‍.ଆର୍‍ ଓ ମନ୍ତ୍ରଣାଳୟ ଗଠନ କରାଯିବାକୁ ପ୍ରସ୍ତାବ ଆଗତ କରିଥିଲେ । ପ୍ରଖ୍ୟାତ ଚିତ୍ରତାରକା କୁନା ତ୍ରିପାଠୀ,ଓଡ଼ିଆମାନେ ହୀନମନ୍ୟତାକୁ ଦୂରେଇ ଦେଇ ନିଜର ଭାଷା, କଳା, ସଂସ୍କୃତି, ସାହିତ୍ୟ, ଭାସ୍କର୍ଯ୍ୟ ଏବଂ ପରମ୍ପରା ପାଇଁ ଗର୍ବ ଅନୁଭବ କଲେ ଆମର ଦେଶୀ ଓ ପ୍ରବାସୀ ସଂଘଗୁଡ଼ିକର ଜଙ୍ଘ ମଜଭୂତ ହୋଇପାରିବ ବୋଲି ଦମ୍ଭ ପ୍ରକାଶ କରିଥିଲେ । ଓ.ସି.ଏ ର ଉପ-ସଭାପତି ବସନ୍ତ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର ଆୟୋଜନକୁ ସୁପରିଚାଳନା କରିବାରେ ଓ.ସି.ଏ ର ସମ୍ପାଦକ ସୀମିତା ଷଡ଼ଙ୍ଗୀ, ଦୁଇ ସହସମ୍ପାଦକ ସବିତା ପ୍ରଧାନ, ଆଶୁତୋଷ ମିଶ୍ର, କୋଷାଧ୍ୟକ୍ଷ ମନୋରଞ୍ଜନ ଆରଣ ଓ ସଦସ୍ୟ ଶଶି ଭୂଷଣ ବେହେରା ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଓ.ସି.ଏ ର କାର୍ଯ୍ୟକାରୀ ବୋର୍ଡ ସଦସ୍ୟ ସୁବ୍ରତ ସାହୁ ବେଶ୍‍ ସୁନ୍ଦର, ସାବଲୀଳ ଓ ସୁଚାରୁ ଢଙ୍ଗରେ ମଞ୍ଚ ସଞ୍ଚାଳନ କରିଥିଲେ । ସୋନାଲିକା ମିଶ୍ର ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ତାପସ ବେହେରାଙ୍କର ସଂଯୋଜନାରେ ଉପସ୍ଥାପିତ ବିବିଧ ଆକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ୧୫ଟି ଓଡ଼ିଆ ସଙ୍ଗୀତ ଏବଂ ଓଡ଼ିଶୀ, ସମ୍ବଲପୁରୀ ତଥା ଆଧୁନିକ ଆଦି ତିନି ପ୍ରକାରର ନୃତ୍ୟ ସ୍ଥାନ ପାଇଥିଲା । ବିଶେଷ କରି ଦିଲ୍ଲୀପ ସାହୁଙ୍କ ତତ୍ତ୍ୱାବଧାନରେ ବରଗଡ଼ର କଳାଜୀବୀ ଟ୍ରୁପ୍‍ ଦ୍ୱାରା ପ୍ରସ୍ତୁତ ସମ୍ବଲପୁରୀ ନୃତ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡ଼ିଶାର ସଭାପତି ଆଶୁତୋଷ ଦାଶ ଲାଇଭଷ୍ଟ୍ରିମିଂ ନେଇ ବୈଷୟିକ ସହାୟତା ପ୍ରଦାନ କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଶିବ ରଞ୍ଜନ ବିଶ୍ୱାଳ, ସୂର୍ଯ୍ୟ ମହାପାତ୍ର, ବିଶ୍ୱଜିତ ଦାସ, ଦିଲ୍ଲୀପ ବଳ, ସୁବ୍ରତ ପରିଡ଼ା, ସୁଧାଂଶୁ ପାଣିଗ୍ରାହୀ, ବିନୋଦ ପଣ୍ଡା, ସାଧନା ମହାପାତ୍ର, ଅଭିମନ୍ୟୁ ଗଡ଼ତିଆ, ବାଦଲ ନାୟକ, କିରିଟି ସାହୁ ଏବଂ ପୂଣ୍ୟତୋୟ ଖୁଣ୍ଟିଆ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

loading...

Leave A Reply

Your email address will not be published.