Breaking

ଧୋନି ଆଉ ୨ ବର୍ଷ କ୍ରିକେଟ୍‌ ଖେଳିପାରିବେ: ମାଲିଙ୍ଗା

0

ଲିଡ୍‌ସ : ଚଳିତ ବିଶ୍ବକପ୍‌ରେ ଭାରତୀୟ ଦଳର ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଫିନିସର୍‌ ଭାବେ ପରିଗଣିତ ଧୋନି ଚଳିତ ବିଶ୍ବକପ୍‌ରେ ଧିମା ବ୍ୟାଟିଂ କରୁଥିବା ଅଭିଯୋଗ ହୋଇଆସୁଛି। ଧୋନି ବିଶ୍ବକପ୍‌ ପରେ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇପାରନ୍ତି ବୋଲି ଆଲୋଚନା ହେଉଥିବା ବେଳେ ଭିନ୍ନମତ ପୋଷଣ କରିଛନ୍ତି ଶ୍ରୀଲଙ୍କାର ଖ୍ୟାତନାମା ଦ୍ରୁତ ବୋଲର ଲାସିଥ୍‌ ମାଲିଙ୍ଗା।
ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ମାଲିଙ୍ଗା କହିଥିଲେ ଧୋନି ଆଉ ବର୍ଷେ ଦୁଇବର୍ଷ ଭାରତ ତରଫରୁ ମ୍ୟାଚ୍‌ ଖେଳିପାରିବେ। ଗତ ୧୦ ବର୍ଷରେ ଧୋନିଙ୍କଠାରୁ ଭଲ ଫିନିସର୍‌ ସେ ଦେଖିନାହାନ୍ତି। ତାଙ୍କ ନିକଟରେ ଥିବା ଅଭିଜ୍ଞତା ଓ ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ନେବାର ଦକ୍ଷତା ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରି ଧୋନି କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ଉଚିତ୍‌। ଧୋନିଙ୍କ ଉପସ୍ଥିତି ଭାରତୀୟ ଦଳକୁ ଶକ୍ତିଶାଳୀ ଭାବେ ଗଢ଼ି ତୋଳିଛି ବୋଲି ମାଲିଙ୍ଗା କହିବା ସହ ଭାରତୀୟ ଦଳ ଯେକୌଣସି ଦଳକୁ ପରାସ୍ତ କରିବାକୁ ସକ୍ଷମ ବୋଲି ମତ ଦେଇଛନ୍ତି।
ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଧୋନି ଓ କେଦାର ଯାଦବ ଧିମା ବ୍ୟାଟିଂ କରିଥିବାରୁ ସେମାନଙ୍କୁ ବେଶ୍‌ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ବିଶ୍ବକପ୍‌ରେ ଭାରତୀୟ ଦଳର ଅଧିନାୟକ କୋହଲିଙ୍କ ନେତୃତ୍ବ ନେବା ଶୈଳୀ ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ମାଲିଙ୍ଗା କହିଥିଲେ ଭାରତୀୟ ଦଳରେ ବେଶ୍‌ ଭଲ ଖେଳାଳି ଥିବାରୁ କୋହଲିଙ୍କୁ ବିଶେଷ କିଛି ଚିନ୍ତା କରିବାକୁ ପଡ଼ୁ ନାହିଁ। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା ଓ ମହମ୍ମଦ ସାମିଙ୍କ ସଂପର୍କରେ ମତ ଦେଇ ମାଲିଙ୍ଗା କହିଥିଲେ ଏହି ଦୁଇ ଦ୍ରୁତ ବୋଲର ଅଧିକାଂଶ ସମୟରେ ସଠିକ୍‌ ଲାଇନ୍‌ ଲେନ୍‌ଥରେ ବୋଲିଂ କରୁଛନ୍ତି। ଉଭୟ ଦ୍ରୁତ ଗତିରେ ବୋଲିଂ କରିବାକୁ ସକ୍ଷମ ଥିବାରୁ ସେମାନଙ୍କୁ ମୁକାବିଲା କରିବା ବିଶ୍ବର ଯେକୌଣସି ବ୍ୟାଟସମ୍ୟାନ୍‌ଙ୍କ ନିମନ୍ତେ କଷ୍ଟକର। ସେହିପରି ଚଳିତ ବିଶ୍ବକପ୍‌ରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ୍‌ ଓ କୁଲଦୀପ ଯାଦବ ବେଶ୍‌ ଭଲ ପ୍ରଦର୍ଶନ କରିଥିବା ମାଲିଙ୍ଗା ମତ ଦେଇଛନ୍ତି।
ବିଶ୍ବକପ୍‌ ସେମିଫାଇନାଲ ଦୌଡ଼ରୁ ଶ୍ରୀଲଙ୍କା ବାଦ୍‌ ପଡ଼ିବା ସଂପର୍କରେ ମତ ଦେଇ ମାଲିଙ୍ଗା କହିଥିଲେ ବର୍ଷା ଯୋଗୁଁ ପାକିସ୍ତାନ ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ବାତିଲ ହୋଇଯାଇଥିଲା। ଶ୍ରୀଲଙ୍କା ବର୍ତ୍ତମାନ ସୁଦ୍ଧା ୩ଟି ମ୍ୟାଚ୍‌ ଜିତିଥିବା ବେଳେ ଏହି ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିଲେ ହୁଏତ ସେମିଫାଇନାଲରେ ପ୍ରବେଶ ଆଶା ରହିଥାନ୍ତା। ଶ୍ରୀଲଙ୍କା ଦଳର ବ୍ୟାଟସମ୍ୟାନ୍‌ ଅଭିକ୍ଷା ଫର୍ଣ୍ଣାଣ୍ଡୋ ଓ ଅଧିନାୟକ ଦିମୁଥ୍‌ କରୁଣାରତ୍ନେଙ୍କୁ ଉଚ୍ଚପ୍ରଶଂସା କରିଥିଲେ ମାଲିଙ୍ଗା। ଏହି ଖେଳାଳିମାନେ ଭବିଷ୍ୟତରେ ଶ୍ରୀଲଙ୍କାକୁ ଏକ ମଜଭୁତ୍‌ ଦଳ ଭାବେ ଗଢ଼ି ତୋଳିପାରିବେ ବୋଲି ମାଲିଙ୍ଗା ଆଶାବ୍ୟକ୍ତ କରିଛନ୍ତି। ଭବିଷ୍ୟତ ପାଇଁ ତାଙ୍କର ଯୋଜନା କ’ଣ ବୋଲି ପ୍ରଶ୍ନର ଉତ୍ତରରେ ମାଲିଙ୍ଗା କହିଥିଲେ ସ୍ବଦେଶରେ ପହଞ୍ଚିବା ପରେ ସେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଏହାପରେ ଭବିଷ୍ୟତ ସଂପର୍କରେ ଯାହାକିଛି ନିଷ୍ପତ୍ତି ନେବେ।

loading...

Leave A Reply

Your email address will not be published.