Breaking

ଜାତୀୟ ଚିଲିକା ପକ୍ଷୀ ଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ –ମୁଖ୍ୟମନ୍ତ୍ରୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଜାତୀୟ ଚିଲିକା ପକ୍ଷୀ ଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ।
ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ଏକ ଭିଡିଓ ବାର୍ତ୍ତା ଜରିଆରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ ଯେ, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶା ସମ୍ବଳ ଓ ସୌନ୍ଦର୍ଯ୍ୟରେ ଭରପୁର । ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଏହା କେବଳ ତୀର୍ଥସ୍ଥଳୀ ନୁହେଁ, ୧୦ ଲକ୍ଷରୁ ଉଦ୍ଧ୍ୱର୍ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀମାନଙ୍କ ସମାଗମ ପାଇଁ ଏହା ସୁପ୍ରସିଦ୍ଧ । ଏସିଆର ବୃହତ୍ତମ ଖାରିପାଣି ହ୍ରଦ ଚିଲିକାକୁ ପ୍ରତିବର୍ଷ ସେମାନଙ୍କର ଆଗମନ ଅତ୍ୟନ୍ତ ଆକର୍ଷଣୀୟ । ଏହି ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ପକ୍ଷୀପ୍ରେମୀ ପର୍ଯ୍ୟଟକମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱାଗତ କରି ଓଡ଼ିଶା ପର୍ଯ୍ୟଟନ ଓ ଇକୋଟୁର ଓଡ଼ିଶାର ଏହି ଅନନ୍ୟ ଉଦ୍ୟମ ଅଭିନନ୍ଦନୀୟ ବୋଲି କହିଥିଲେ । ରାଜ୍ୟର ସାତକୋଶିଆ ଗଣ୍ଡ, ଭିତରକନିକା ଜାତୀୟ ଉଦ୍ୟାନ, ଚନ୍ଦକା ଡମପଡ଼ା ଅଭୟାରଣ୍ୟ ଓ ଅନ୍ୟ ଆକର୍ଷଣୀୟ ସ୍ଥାନଗୁଡ଼ିକୁ ପରିଦର୍ଶନ କରି ପର୍ଯ୍ୟଟକମାନେ ଅପାର ଆନନ୍ଦ ପାଆନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଲେ ଯେ, ଚିଲିକା ହ୍ରଦ ୧୯୮୧ ମସିହାରେ ଦେଶର ପ୍ରଥମ ରାମ୍‌ସାରସ୍ଥଳୀ ଭାବେ ସ୍ୱୀକୃତି ପାଇଥିଲା । କେବଳ ଆମ ରାଜ୍ୟ କାହିଁକି, ସାରା ବିଶ୍ୱର ଆର୍ଦ୍ରଭୂମିଗୁଡ଼ିକ ମଧ୍ୟରେ ଚିଲିକାର ସ୍ଥାନ ସ୍ୱତନ୍ତ୍ର । ଚିଲିକା ହ୍ରଦ ଓଡ଼ିଶା ପର୍ଯ୍ୟଟନର ଆତ୍ମା କହିଲେ ଅତୁ୍ୟକ୍ତି ହେବ ନାହିଁ । ବିଦେଶାଗତ ପକ୍ଷୀଙ୍କ ବୃହତ୍ତମ ଆଶ୍ରୟସ୍ଥଳ ଭାବେ ଏସିଆ ଉପମହାଦେଶରେ ଚିଲିକା ହ୍ରଦ ସୁଖ୍ୟାତି ବହନ କରିଛି । ଶୀତ ଦିନରେ ସୁଦୂର ସାଇବେରିଆଠାରୁ ଆରମ୍ଭ କରି ସାରା ପୃଥିବୀର କୋଣ ଅନୁକୋଣରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ପ୍ରାୟ ୧୯୦ ପ୍ରଜାତିର ୧୨ ଲକ୍ଷରୁ ଉଦ୍ଧ୍ୱର୍ ପକ୍ଷୀ ମଙ୍ଗଳାଯୋଡ଼ିକୁ ଆସିବା ଚିଲିକାର ଅନନ୍ୟ ବିଶେଷତ୍ୱ । ପକ୍ଷୀ ପର୍ଯ୍ୟଟନକୁ ଅଗ୍ରାଧିକାର ଦେଉଥିବା ଚିଲିକାର ଏହି ଜାତୀୟ ଚିଲିକା ପକ୍ଷୀ ଉତ୍ସବରେ ପକ୍ଷୀ ବିଶେଷଜ୍ଞମାନେ ଯୋଗଦେଇ ପକ୍ଷୀ ଶିକାର ନିରୋଧ ସମ୍ବନ୍ଧୀୟ ସଚେତନତା, ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀମାନଙ୍କ ବିଷୟରେ ବହୁବିଧ ତଥ୍ୟ ଓ ପକ୍ଷୀ ସଂରକ୍ଷଣ ସଂକ୍ରାନ୍ତୀୟ ବିଭିନ୍ନ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥାନ୍ତି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ । ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଲେ ଯେ, ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ପକ୍ଷୀପ୍ରେମୀ ପର୍ଯ୍ୟଟକମାନେ ଅଧିକରୁ ଅଧିକ ସଂଖ୍ୟାରେ ଆସିଲେ ସେମାନେ ରାଜ୍ୟ ପାଇଁ ପର୍ଯ୍ୟଟନ ରାଷ୍ଟ୍ରଦୂତ ରୂପେ ସାବ୍ୟସ୍ତ ହେବେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ କୁମାର ମହାପାତ୍ର କହିଲେ ଯେ, କୋଭିଡ୍‌ କଟକଣା ସତ୍ତେ୍ୱ ରାଜ୍ୟ ତଥା ରାଜ୍ୟ ବାହାରୁ ୫୫ ଜଣ ପକ୍ଷୀପ୍ରେମୀ ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ନାମ ପଞ୍ଜିକରଣ କରିବା ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଡ. ମୋନା ଶର୍ମା ପରିବେଶ ପର୍ଯ୍ୟଟନ ଦୃଷ୍ଟିରୁ ଓଡ଼ିଶା ବାସ୍ତବରେ ଭାରତର ସ୍ୱର୍ଗ ବୋଲି ମତବ୍ୟକ୍ତ କରିଥିଲେ ।
ଚିଲିକା ଉପରେ ଏକ ଭିଡିଓ ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ହରିଶଙ୍କର ଉପାଧ୍ୟାୟ ଓ ପର୍ଯ୍ୟଟନ ବିଭାଗ ତରଫରୁ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ୍‌ ରାମଚନ୍ଦ୍ର ଯାଦବ ପ୍ରକୃତି ଓ ପରିବେଶ ପର୍ଯ୍ୟଟନର ଉତ୍କର୍ଷ ସାଧନ ଉଦ୍ଦେଶ୍ୟରେ ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।
ଏହି ଉତ୍ସବରେ ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ଅଜିତ୍‌ ପଟ୍ଟନାୟକ, ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟିର ଡ. ଏସ୍‌. ବାଲଚନ୍ଦ୍ରନ୍‌ଙ୍କୁ ମନ୍ତ୍ରୀ ଶ୍ରୀ ଆରୁଖ ଓ ମନ୍ତ୍ରୀ ପାଣିଗ୍ରାହୀ ସମ୍ବର୍ଦ୍ଧିତ କରିଥିଲେ । ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ସ୍ୱାଗତ ଭାଷଣ ଦେଇଥିଲେ । ଓ.ଟି.ଡି.ସି.ର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ହରିଶଙ୍କର ଉପାଧ୍ୟାୟ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ୍‌ ରାମଚନ୍ଦ୍ର ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.