Breaking

ଟାଇଟ୍ ହେଲା ଟ୍ବିନ୍ ସିଟି ଟ୍ରାଫିକ୍ କଟକଣା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ଚାଳକଙ୍କୁ ୧୦ ଗୁଣା ଅଧିକ ଜରିମାନା ଦେବାକୁ ପଡ଼ିବ। ହେଲମେଟ୍ ନ ପିନ୍ଧି ଧରାପଡ଼ିଲେ ହଜାରେ, ବାଇକରେ ତିନିଜଣ ଗଲେ ଜରିମାନା ୫ହଜାର, ଆଉ ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ଆସନ୍ତା ସେପ୍ଟେମ୍ବରରୁ ଏହି ନୂଆ ଟ୍ରାଫିକ୍ ଆଇନ ଲାଗୁ ହେବାକୁ ଯାଉଛି। ବିଭିନ୍ନ ଛକରେ ଏ ନେଇ ସଚେତନତା ହୋର୍ଡିଂ ଲଗାଯିବା ସହ ବ୍ଲକିଂ-ଚେକିଂ ବେଳେ ଚାଳକଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ସଚେତନ କରାଯାଉଛି।ଏହି ସଂଶୋଧିତ ନିୟମ ଅନୁଯାୟୀ, ନାବାଳକମାନେ ଗାଡ଼ି ଚଳାଉଥିଲେ ତାଙ୍କ ଅଭିଭାବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ୨୫ ହଜାର ଟଙ୍କା ଜରିମାନା ଦେବା ସହ ଗାଡ଼ିର ପଞ୍ଜୀକରଣ ରଦ୍ଦ କରାଯିବ। ସେହିଭଳି ଯେଉଁ ଯାନ (ଯାତ୍ରୀ ଓ ମାଲବାହୀ)ଗୁଡ଼ିକ ନିର୍ଦ୍ଧାରିତ ଆକାରରୁ ବଡ଼ ତିଆରି ହୋଇଥିବ, ସେଥିପାଇଁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଆମ୍ବୁଲାନ୍ସ ବା ଅନ୍ୟ କୌଣସି ଜରୁରୀକାଳୀନ ଯାନକୁ ବାଟ ନ ଛାଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି। ସେହିଭଳି ଧାର୍ଯ୍ୟ ପରିମାଣଠାରୁ ଅଧିକ ଯାତ୍ରୀଙ୍କୁ ନେଲେ ଯାତ୍ରୀ ପିଛା ହଜାରେ ଟଙ୍କା ଜରିମାନା ଦେବାକୁ ପଡ଼ିବ। ବଡ଼ କଥା ହେଉଛି, ଏନଫୋର୍ସମେଣ୍ଟ ଅଧିକାରୀ ଏହି ଆଇନ ଉଲ୍ଲଂଘନ କଲେ ସେମାନଙ୍କ ପାଇଁ ଜରିମାନା ଦର ଦୁଇଗୁଣ ରହିବ। ଅନ୍ୟ ଜରିମାନାଗୁଡ଼ିକ ମଧ୍ୟରେ ଲାଇସେନ୍ସ ନ ଥିଲେ ୫ ହଜାର, ବୀମା ନଥିଲେ ୨ ହଜାର, ବିପଦପୂର୍ଣ୍ଣ ଚାଳନା ପାଇଁ ୫ହଜାର, ମୋବାଇଲ ସହ ଗାଡ଼ି ଚାଳନା ପାଇଁ ୫ହଜାର ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି।ଦେଶରେ ଟ୍ରାଫିକ୍ ଜନିତ ସମସ୍ୟା ଓ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଥିବାରୁ ଏହା ଉପରେ ନିୟନ୍ତ୍ରଣ ପାଇଁ ମାନସ ମନ୍ଥନ କରାଯାଇଥିଲା। ୩୧ବର୍ଷର ପୁରୁଣା ମୋଟର ଯାନ ଅଧିନିୟମରେ କେତେକ ସଂଶୋଧନ ଆଣିବା ପାଇଁ ଯୋଜନା ହୋଇଥିଲା। ଜରିମାନା ଅର୍ଥ ବୃଦ୍ଧି ହେଲେ ଚାଳକ ଟ୍ରାଫିକ୍ ନିୟମ ମାନିବ ଓ ଏହି ସବୁ ଅଘଟଣ ଘଟିବ ନାହିଁ ବୋଲି ଚିନ୍ତା କରାଯାଇ ଏହି ଅଧିନିୟମରେ ସଂଶୋଧନ ଆଣିବା ପାଇଁ ଡ୍ରାଫ୍ଟ ହୋଇଥିଲା। ୨୦୧୭ ମସିହାରେ ଏହା ଲୋକସଭାରେ ପାରିତ ହୋଇଥିଲେ ମଧ୍ୟ ରାଜ୍ୟସଭାରେ କାଟ୍ ଖାଇଥିଲା। ଚଳିତ ମାସରେ ଏହା ରାଜ୍ୟସଭାରେ ପାରିତ ହୋଇଛି। ଅଗଷ୍ଟ ଶେଷ ସୁଦ୍ଧା ଏ ନେଇ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବା ପରେ ଏହା ସେପ୍ଟେମ୍ବର ମାସରୁ ଏହି ନୂଆ ଆଇନ ଲାଗୁ ହେବାକୁ ଯାଉଛି।

loading...

Leave A Reply

Your email address will not be published.