Breaking

ଏମ୍‌ଏସ୍‌ଏମ୍‌ଇ ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ  ଆର୍ଥିକ ସଶକ୍ତିକରଣ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଏବଂ ନିର୍ଦ୍ଦେଶକ୍ରମେ ଏମ୍‌ଏସ୍‌ଏମ୍‌ଇ ଜରିଆରେ ରାଜ୍ୟରେ କର୍ମସଂସ୍ଥାନ ସୃଷ୍ଟି ଓ ଅର୍ଥନୀତିକୁ ସୁଦୃଢ଼ କରିବା ନିମନ୍ତେ ଏଣିକି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ସାମିଲ କରାଯିବା ପାଇଁ ଆଜି ଏମ୍‌ଏସ୍‌ଏମ୍‌ଇ ବିଭାଗ ଓ ମିଶନ ଶକ୍ତି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ରରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଓ ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌ ସ୍ୱାକ୍ଷର କରିଛନ୍ତି ।

ଏହି ବୁଝାମଣା ଅନୁଯାୟୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ମଧ୍ୟରେ ଔଦ୍ୟୋଗିକ ପ୍ରୋତ୍ସାହନ ଜରିଆରେ ପୋଷଣୀୟ ଜୀବିକା ସୃଷ୍ଟି କରାଯିବ, ଯାହା ରାଜ୍ୟର ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ । ଅର୍ଥନୈତିକ ଅଭିବୃଦ୍ଧି ସକାଶେ ଔଦ୍ୟୋଗିକ ବିକାଶ ଅପରିହାର୍ଯ୍ୟ ହୋଇଥିବା ହେତୁ ଏହି ପ୍ରୟାସ ଫଳବତୀ ହେବାର ଲକ୍ଷ୍ୟ ରଖାଯାଇଛି । ତା’ଛଡ଼ା ମହିଳାମାନଙ୍କୁ ସଶକ୍ତିକରଣ ମାଧ୍ୟମରେ ସର୍ବାଙ୍ଗୀନ ବିକାଶ ସାଧନ ଉଭୟ ବିଭାଗର ପ୍ରାଥମିକତା ରହିଥିବା ହେତୁ ଏ ଦିଗରେ ଏହି ବୁଝାମଣା ବେଶ୍‌ ସୁହାଇବ ବୋଲି ଆଶା ରଖାଯାଇଛି ।

ଏହା କାର୍ଯ୍ୟକାରୀ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସେଗୁଡ଼ିକର ମହାସଂଘଗୁଡ଼ିକୁ ଉଦ୍ୟୋଗୀ ଭାବେ ପରିଣତ କରାଯିବ । ଏଥିରେ ମହିଳା ଏସ୍‌ଏଚ୍‌ଜିର ସଦସ୍ୟାମାନଙ୍କ ଦକ୍ଷତା ବିକାଶ ଓ ଗୋଷ୍ଠୀ କାର୍ଯ୍ୟକ୍ରମକୁ ଏମ୍‌ଏସ୍‌ଏମ୍‌ଇରେ ପରିଣତ କରିବା ନିମନ୍ତେ ତାଲିମ ପ୍ରଦାନ କରାଯିବ । ବୈଷୟିକ ଜ୍ଞାନକୌଶଳ ବ୍ୟବହାର ନିମନ୍ତେ ଇନ୍‌କୁ୍ୟବେସନ୍‌ ସେଣ୍ଟର, ସାଧାରଣ ସୁବିଧା କେନ୍ଦ୍ର ଏବଂ ପ୍ରଶିକ୍ଷକ ଏବଂ ପରାମର୍ଶଦାତା ବୈଠକ ଆୟୋଜନ ଭଳି କାର୍ଯ୍ୟକ୍ରମମାନ କରାଯିବ । ଏହି ବୁଝାମଣା ପ୍ରାଥମିକ ଭାବେ ୩ ବର୍ଷ ପାଇଁ କାର୍ଯ୍ୟ କରିବ ଏବଂ ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରାଯିବ ଏବଂ ଯୋଜନାବଦ୍ଧ ଆର୍ଥିକ ସହାୟତା, ଋଣ, ସବ୍‌ସିଡ଼ି, ଆବର୍ତ୍ତନ ପାଣ୍ଠି ଏବଂ ବଜାର ସଂଯୋଗୀକରଣ ଇତ୍ୟାଦି ଭଳି ସହଯୋଗ ପ୍ରଦାନ କରାଯିବ । ତତ୍‌ବ୍ୟତୀତ ଏମ୍‌ଏସ୍‌ଏମ୍‌ଇ ଓ ମିଶନ ଶକ୍ତି ବିଭାଗର ମାର୍ଗଦର୍ଶିକା ପ୍ରକାରେ ଅନ୍ୟାନ୍ୟ ସହଯୋଗ ପ୍ରଦାନ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।

ପୂର୍ବରୁ ଅଣୁ, କ୍ଷୁଦ୍ର, ମଧ୍ୟମ, ଉଦ୍ୟୋଗ ବିଭାଗ କର୍ମସଂସ୍ଥାନ ସୃଷ୍ଟି, ଦ୍ରବ୍ୟ ମୂଲ୍ୟଯୁକ୍ତ, ରପ୍ତାନୀ ଭଳି ଅର୍ଥନୀତି ଅଭିବୃଦ୍ଧି କାର୍ଯ୍ୟ କରୁଥିବାବେଳେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଶକ୍ତିକରଣ ସକାଶେ ତାଲିମ, ଦକ୍ଷତା ବୃଦ୍ଧି, ବଜାର ସୃଷ୍ଟି ଭଳି କାର୍ଯ୍ୟକ୍ରମ କରୁଥିଲେ । ଅଧୁନା ମିଶନ ଶକ୍ତି ତୃଣମୂଳ ସ୍ତରରେ ନେତୃତ୍ୱ ପ୍ରୋତ୍ସାହନ ସହ କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ, ହସ୍ତ କାରିଗରୀ, ହସ୍ତତନ୍ତ, ଖାଦ୍ୟ ପ୍ରକ୍ରିୟାକରଣ, ସିଲେଇ, ଧାନସଂଗ୍ରହ, ମନରେଗା ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଡାକ୍ତରଖାନାରେ ଖାଦ୍ୟ ବିତରଣ, ଆହାର କେନ୍ଦ୍ର ପରିଚାଳନା, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଡିଲରସିପ୍‌, ସ୍ୱଚ୍ଛସାଥୀ, ଜଳସାଥୀ, ସ୍ୱାସ୍ଥ୍ୟମିତ୍ର ଭଳି କାର୍ଯ୍ୟ କରିଆସୁଛି । ଏଥିରେ ରାଜ୍ୟର ୩୩୮ଟି ବ୍ଲକ୍‌ର ମହାସଂଘରେ ୬ ଲକ୍ଷ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ସଦସ୍ୟା ଉପକୃତ ହେବେ ।

loading...

Leave A Reply

Your email address will not be published.