Breaking

ଡିସେମ୍ବର ୨୪ ଓ ୨୫ରେ ସୈନିକସ୍କୁଲ ଭୁବନେଶ୍ୱରର ହୀରକ ଜୟନ୍ତୀ

0

ସୈନିକସ୍କୁଲ ଭୁବନେଶ୍ୱର ୧୫ ଜାନୁଆରୀ ୧୯୬୨ ମସିହାରେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦିବ୍ୟ ଦ୍ରଷ୍ଟା ଶ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏହି ଶିକ୍ଷା ମନ୍ଦିରର ବର୍ତ୍ତମାନ ଦେଖୁଥିବା ନିଜସ୍ୱ ଅଟ୍ଟାଳିକା ୮ ଜାନୁଆରୀ ୧୯୬୪ରେ ପଣ୍ଡିତ ଜବାହରଲାଲ ନେହେରୁ ଉଦ୍‍ଘାଟନ କରିଥିଲେ । ୨୦୨୨ ମସିହା ସୁଦ୍ଧା ଏହି ଅନୁଷ୍ଠାନ ଜାତୀୟ ସେବାରେ ଦୀର୍ଘ ୬୦ ବର୍ଷ ଅତିବାହିତ କରିସାରିବାପରେ, ଡିସେମ୍ବର ୨୪ ଓ ୨୫ ତାରିଖରେ ସୈନିକସ୍କୁଲ ଏବଂ ପୁରାତନ ଛାତ୍ରପରିଷଦ ସହଯୋଗରେ ଏହାର ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି ।ଚଳିତ ବର୍ଷ ସୈନିକସ୍କୁଲର ହୀରକ ଜୟନ୍ତୀ ସହିତ ଛାତ୍ରପରିଷଦର ୫୦ତମ(ସୁବର୍ଣ୍ଣ ଜୟନ୍ତୀ) ଜୟନ୍ତୀ ମଧ୍ୟ ପାଳନ କରାଯିବ ।ହୀରକ ଜୟନ୍ତୀର ତାରିଖ ପାଖେଇ ଆସୁଥିବା ବେଳେ , ପୃଥିବୀର ବିଭିନ୍ନ କୋଣଅନୁକୋଣରେ ଥିବା ପୁରାତନ ଛାତ୍ରମାନେ ସେମାନଙ୍କର ପରିବାର ସହିତ ଏଥିରେ ଯୋଗଦେବାପାଇଁ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି । ଦୀର୍ଘ ସମୟର ବ୍ୟବଧାନ ପରେ ଏଠାରେ ସେମାନେ ନିଜର ପୁରାତନ ସହପାଠୀ ,ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଭେଟି ପୂର୍ବ ସ୍ମୃତି ଚାରଣ କରିବାର ସୁଯୋଗ ଲାଭ କରିପାରିବେ ।ବିଦ୍ୟାଳୟ ତରଫରୁ ସମସ୍ତ ପୂର୍ବତନ ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ , ନିବନ୍ଧକ ଏବଂ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ନିମନ୍ତ୍ରିତ କରାଯାଇଛି ।
୨୪ ଡିସେମ୍ବର ଉତ୍ସବରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ମୁଖ୍ୟ ଅତିଥିଙ୍କୁ ମାନ୍ୟବର କୃଷି,ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ତଥା ପୁରାତନ ଛାତ୍ର ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ବିଦ୍ୟାଳୟର ଅଧ୍ୟକ୍ଷ କର୍ଣ୍ଣେଲ ବାଲୁଭରତ , ଲେପ୍ଟନାଣ୍ଟ ଜେନେରାଲ ଜେ.କେ. ମହାନ୍ତି(ଅବସରପ୍ରାପ୍ତ) ଏବଂ ପୁରାତନ ଛାତ୍ରପରିଷଦ ସଭାପତି ଶ୍ରୀ ହରଦମନ ସିଂ ସ୍ୱାଗତ କରିବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସୈନିକସ୍କୁଲର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ବିଜୁ ପଟ୍ଟନାୟକଙ୍କର ଆବକ୍ଷ ମୂର୍ତ୍ତି ଅନାବରଣ କରିବା ସହିତ ୮ ନଭେମ୍ବର ୨୦୨୦ରେ ଜାମୁ କାଶ୍ମୀରି ସୀମାନ୍ତରେ ଉଗ୍ରବାଦୀଙ୍କ ସହିତ ଅସୀମ ସାହସର ସହିତ ଲଢେଇ କରି ସହୀଦ ହୋଇଥିବା ମରଣୋତ୍ତର ସୌର୍ଯ୍ୟଚକ୍ର ଉପାଧିପ୍ରାପ୍ତ କ୍ୟାପ୍‍ଟେନ୍‍ ଆଶୁତୋଷ କୁମାରଙ୍କ ପିତାମାତାଙ୍କୁ ଅଭିନନ୍ଦନ ଜଣାଇବେ ।
୨୫ ଡିସେମ୍ବର ଉତ୍ସବର ଦ୍ୱିତୀୟ ଦିନରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସହୀଦ ସ୍ମୃତିସ୍ମାରକୀ ପରିସରରେ ବିଦ୍ୟାଳୟର ସତର ଜଣ ବୀର ସହୀଦଙ୍କ ଉଦ୍ଦେଶ୍ୟରେ ମାଲ୍ୟାର୍ପଣ କରିବେ ।ଏତଦ୍‍ ବ୍ୟତୀତ ସେ ପୁରାତନ ଛାତ୍ରପରିଷଦର ସ୍ମରଣିକା ଉନ୍ମୋଚନ କରିବା ସହିତ , ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ମାନିତ କରିବେ ଏବଂ କ୍ୟାଡେଟ୍‍ ମାନଙ୍କୁ ଉଦ୍‍ ବୋଧନ ଦେବେ ।ଏହି ଉତ୍ସବରେ ଯୋଗ ଦେଉଥିବା ଅନ୍ୟ ଅତିଥିମାନେ ହେଲେ -ଲେପ୍ଟନାଣ୍ଟ ଜେନେରାଲ ଅନିଲ କୁମାର ସାମନ୍ତରା ,ଏସ୍‍ ଏମ୍‍,ଡିଜି ଇନ୍‍ଫ୍ୟାଣ୍ଟ୍‍୍ରି ,କମୋଡର ସୋମେନ ବାନାର୍ଜୀ,ଡିଡିଜି ଏନ୍‍ .ସି .ସି ନିର୍ଦ୍ଦେଶାଳୟ ଏବଂ କମୋଡର ଏନ୍‍.ପି.ପ୍ରଦୀପ,କମାଣ୍ଡିଙ୍ଗ୍‍ ଅଫିସର , ଆଇ .ଏନ୍‍.ଏସ୍‍ , ଚିଲିକା । ଦୁଇ ଦିନର ଏହି ଉତ୍ସବରେ ପାରାଜମ୍ପିଙ୍ଗ୍‍ ,ଡଗ୍‍ ସୋ ,ମକ୍‍ୱାର ,ଜିମ୍ନାଷ୍ଟିକ୍ସ ,ଆର୍ମିବ୍ୟାଣ୍ଡ ,ନାଭାଲ ବ୍ୟାଣ୍ଡ ଏବଂ ପୁରାତନ ଛାତ୍ରମାନଙ୍କର ବ୍ୟାଚ୍‍ ଅନୁସାରେ ମାର୍ଚ୍ଚପାଷ୍ଟ ପ୍ରଭୃତି ବିଭିନ୍ନ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
୨୪ ଡିସେମ୍ବର ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ଗୋଟିପୁଅ ,ସିଂହାରୀ ,ପୁରୁଲିଆ ଛଉନୃତ୍ୟ ,ତାଳବାଦ୍ୟ ଏବଂ ସ୍କୁଲପିଲାମାନଙ୍କ ଦ୍ୱାରା କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ୨୫ ଡିସେମ୍ବର ସାଂସ୍କୃତିକ ସନ୍ଧ୍ୟାରେ ଓଡିଶାର ସ୍ୱନାମଧନ୍ୟ ଗାୟକ ମି.ଋତୁରାଜ ମହାନ୍ତି ମଞ୍ଚରେ ନିଜ କଣ୍ଠର ଯାଦୁରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବେ ।
ଏହା ବ୍ୟତୀତ ସକାଳ ସମୟରେ ଏକ ସ୍ୱାସ୍ଥ୍ୟସେବା ଏବଂ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି । ଆଉ ମଧ୍ୟ ପୁରାତନ ଛାତ୍ର ଏବଂ ବର୍ତ୍ତମାନ ପଢୁଥିବା ଛାତ୍ରମାନଙ୍କ ମଧ୍ୟରେ ବାସ୍କଟେବଲ୍‍ ମ୍ୟାଚ୍‍ ଅନୁଷ୍ଠିତ ହେବ ।ଏହି ଉତ୍ସବରେ ପ୍ରାୟ ୩୫୦୦ପୁରାତନ ଛାତ୍ର ଯୋଗଦେବେ । ଏହି ଉତ୍ସବକୁ ସଫଳ କରିବାପାଇଁ ସ୍କୁଲ କର୍ମକର୍ତ୍ତା ,ପୁରାତନ ଛାତ୍ର ପରିଷଦ ଏବଂ କ୍ୟାଡେଟ୍‍ ମାନଙ୍କ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି ।

loading...

Leave A Reply

Your email address will not be published.