Breaking

ଦିଲ୍ଲୀ ରଥଯାତ୍ରାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ୱିନୀ ସାମିଲ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:
ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ୪୩ତମ ପବିତ୍ର ରଥଯାତ୍ରା ପର୍ବ ଭକ୍ତିପୂତ ପରିବେଶ
ମଧ୍ୟରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀ ନୀଳାଚଳ ସେବା ସଂଘ ତରଫରୁ କୋଭିଡ୍‍ କଟକଣାକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରାଯାଇ ସମାରୋହକୁ ସାଂକେତିକ ସ୍ତରରେ ରଖାଯାଇଥିଲା । ମନ୍ଦିରରେ ବଢ଼ି ଭୋରରୁ ଯଥାରୀତି ଠାକୁରଙ୍କର ପୂଜାର୍ଚ୍ଚନା ଓ ରୀତିନୀତି କରାଯାଇ ସକାଳ ୧୧ଟାରେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନ, ତା’ପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ଶୁଭଦ୍ରା ଓ ସବା ଶେଷରେ ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ସୀମିତ ସେବାୟତ ଓ ସଂଗଠକଙ୍କ ଦ୍ୱାରା ସୁନ୍ଦର, ସୁଶୋଭିତ ଓ ରଙ୍ଗବେରଙ୍ଗ କପଡ଼ାରେ ସଜ୍ଜିତ ରଥ ଉପରକୁ ନିଆଯାଇଥିଲା । ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୁର୍ଦ୍ଦଙ୍ଗର ଗହଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀର ଦୃଶ୍ୟ ବେଶ୍‍ ମନୋରମ ଓ ମର୍ମସ୍ପର୍ଶୀ ଥିଲା । ଶ୍ରୀନୀଳାଚଳ ସେବା ସଂଘର ସମ୍ପାଦକ ତଥା ସମାଜସେବୀ ରବୀନ୍ଦ୍ର ନାଥ ପ୍ରଧାନ ପାରମ୍ପରିକ ଢଙ୍ଗରେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହା ପରେ ମନ୍ଦିର ସମ୍ମୁଖସ୍ଥ ବଡ଼ଦାଣ୍ଡରେ ରଥଟିକୁ ୫୦୦ମିଟର ପର୍ଯ୍ୟନ୍ତ
ଟଣାଯାଇ ପୁଣି ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା । ଚାରି ଠାକୁର ଏହା ପରେ ରଥ ଉପରେ ବିରାଜମାନ ରହି ସର୍ବସାଧାରଣଙ୍କୁ ଦର୍ଶନଦେଇଥିଲେ । ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରାତି ସାଢ଼େ ୯ଟା ବେଳେ ପୁଣି ରୋଷଣୀ କରି ମନ୍ଦିରର ବେସ୍‍ମେଣ୍ଟରେ ଥିବା ମାଉସୀ ମା’ ମନ୍ଦିରକୁ ନିଆଯାଇ ସେଠାରେ ରଖାଯାଇଥିଲା । ରଥ ଉତ୍ସବରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ । ଶ୍ରୀ ପ୍ରଧାନଙ୍କର ପରିବାରବର୍ଗ ମଧ୍ୟ ତାଙ୍କ ସହିତ ରଥ ଉପରେ ଦିଅଁମାନଙ୍କର ଦର୍ଶନ କରିଥିଲେ । ରଥଯାତ୍ରାର ଆୟୋଜନ ଓ ଏହାକୁ ସୁପରିଚାଳନା କରିବାରେ ଅଭୟ ପ୍ରଧାନ, ଅଶୋକ ପ୍ରଧାନ, କ୍ଷୀରୋଦ ପାତ୍ର, ଗଜେନ୍ଦ୍ର ପ୍ରସାଦ ସାମନ୍ତ, ଅଭିରାମ ସୂତାର,ଜିତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ, ଦୀପକ ରଥ, ପଙ୍କଜ ମହାନ୍ତି, ନିଶିଧ କୁମାର ଦାଶ, ଶରତ କୁମାର ଦେହୁରୀ, ରଙ୍କନିଧି ସାହୁ ଓ ବିଜୟ ସାହୁ ପ୍ରମୁଖ ସକ୍ରୀୟ ଭୂମିକା ନିର୍ବାହ
କରିଥିଲେ ।

loading...

Leave A Reply

Your email address will not be published.