Breaking

ପାଇକ ମହାସଂଘର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳନ

ପରିବେଶ ସଫାସୁତୁରା ରଖୁଥିବା ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନୂଆବର୍ଷକୁ ନିଆରା ଢଙ୍ଗରେ ପାଳନ କରିଛି ନିଖିଳ ଓଡ଼ିଶା ପାଇକ ମହାସଂଘ । ମହାମାରୀ କରୋନା ଭୂତାଣୁ ପ୍ରଭାବ ଯୋଗୁ ଲୋକେ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ସହର ଗଳିକନ୍ଦି ବୁଲି ସଫାସୁତୁରା କାର୍ଯ୍ୟରେ ନିୟୋଜିତ କରିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଉତ୍ସର୍ଗିକୃତ ସେବା ମନୋଭାବ ପାଇଁ ପାଇକ ମହାସଂଘ ସେମାନଙ୍କ ସହିତ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନ କରିଛି ଏବଂ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛି । ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ବିଏମ୍‍ସି ସଫେଇ କର୍ମଚାରୀଙ୍କୁ ନବବସ୍ତ୍ର(ଗାମୁଚ୍ଛା) ଓ ହାତ ଧୋଇବା ପାଇଁ ସାବୁନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭିଏସ୍‍ଏସ୍‍ ନଗର ଅଞ୍ଚଳ ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ଏସ୍‍ଭିଆର ଇନ୍ଦ୍ରଜିତ ନାୟକ ଓ ରାମ୍‍କୃଷ୍ଣ ଧନ୍‍ୱାରଙ୍କ ସମେତ ୫୦ଜଣ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ ଦିଆଯାଇଥିଲା । ଭିଏସ୍‍ଏସ୍‍ ନଗର ହାଟରେ ଆୟୋଜିତ ଏହି ନିରାଡ଼ମ୍ବର କାର୍ଯ୍ୟକ୍ରମରେ ପ୍ରତ୍ୟେକ ସଫେଇ କର୍ମଚାରୀ ସରକାରୀ ନିୟାମାନୁସାରେ ସାମାଜିକ ଦୂରତା ବଜାୟ ରଖିଥିଲେ ଏବଂ କରୋନା ମହାମାରୀ ରୋକିବା ପାଇଁ ସଚେତନତା ସୃଷ୍ଟି କରିଥିଲେ ।
ଏହି ଅବସରରେ ପାଇକ ମହାସଂଘ ରାଜ୍ୟ ସଭାପତି ତଥା ପାଇକ ମଉଡ଼ମଣୀ ଅଶୋକ କୁମାର ପାଲଟାସିଂହ ଯୋଗଦେଇ କହିଥିଲେ ଯେ ମହାମାରୀ ‘କରୋନା’ ଆତଙ୍କରେ ସମଗ୍ର ବିଶ୍ୱ ଆତଙ୍କିତ । ଏହି ଜୀବନ କରୋନା ରୂପି ରାକ୍ଷସ ଅନେକ ନିରୀହ ଜୀବନ ନେଇସାରିଥିବାବେଳେ ବ୍ୟାପକ ସଚେତନତା ଦ୍ୱାରା ଏହା ରୋକାଯାଇପାରିବ । ଯେଉଁମାନେ ଏହି କରୋନା ଭୂତାଣୁ ସଂକ୍ରମଣରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ଏହି ମହତ୍‍ କାର୍ଯ୍ୟରେ ନିଜକୁ ସମର୍ପିତ କରିଛନ୍ତି ସେମାନଙ୍କ ମଧ୍ୟରୁ ସଫେଇ କର୍ମଚାରୀ ଅନ୍ୟତମ । ପରିବେଶକୁ ସଫାସୁତୁରା ରଖି କରୋନା ରାକ୍ଷସ ସହିତ ସମ୍ମୁଖ ଯୁଦ୍ଧ କରି ‘ମହାନାୟକକ’ର ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ସଫେଇ କର୍ମଚାରୀ । ଏହି ମହାନ କାର୍ଯ୍ୟରେ ନିୟୋଜିତ ଥିବା ସଫେଇ କର୍ମଚାରୀଙ୍କ ଗହଣରେ ଓଡ଼ିଆ ପାଇକ ସଂଘ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନ କରି ନିଜକୁ ଧନ୍ୟ ମନେ କରିଛି । ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ କହିଥିଲେ ଯେ ସଫେଇ କର୍ମଚାରୀ ସକାଳୁ ଘର ଘର ବୁଲି ଅଳିଆ ସଂଗ୍ରହ କରିବା ସହିତ ପରିବେଶ ସଫାସୁତୁରା ରଖୁଛନ୍ତି ଓ ଜନ ସଚେତନତା ସୃଷ୍ଟି କରୁଛନ୍ତି । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଆପଣମାନେ ଘରେ ରୁହନ୍ତୁ ଓ ଆମ ସହଯୋଗ କରନ୍ତୁ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାଇକ ସଂଘର ରାଜ୍ୟ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ପାଇକ ମହାସଂଘର ରଞ୍ଜନ ବଳିଆରସିଂହ, ଅଧ୍ୟାପକ ସଞ୍ଜିତ ମହାନ୍ତି, ସାମ୍ବାଦିକ ରମାକାନ୍ତ ମହାନନ୍ଦ, ରାଜୀବ ନୟନ ରଥ, ଶାରଦା ପ୍ରସାଦ ଦାଶ, ବିଦ୍ୱାନ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ କରୋନା ଯୁଦ୍ଧର ମହାନାୟକ ଭାବେ ପରିଗଣିତ ପୁଲିସ, ଡାକ୍ତର, ନର୍ସ, ହସ୍‍ପିଟାଲ୍‍ କର୍ମଚାରୀ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

loading...

Leave A Reply

Your email address will not be published.