Breaking

ବମ୍ବେ ଓଡ଼ିଶା ଭବନ କ୍ୟାଣ୍ଟିନ୍‍ ଖୋଲିବାକୁ ବିପୀନ ମିଶ୍ରଙ୍କ ଦାବି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ନଭି ମୁମ୍ବାଇସ୍ଥିତ ଓଡ଼ିଶା ଭବନର କ୍ୟାଣ୍ଟିନକୁ ତୁରନ୍ତ ଚାଲୁ କରିବାକୁ ବମ୍ବେ ଓଡ଼ିଆ ମହାସଂଘର ସଭାପତି ଡଃ ବିପୀନ ମିଶ୍ର ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି । କୋଭିଡ୍‍ ଯୋଗୁଁ ବନ୍ଦ ଥିବା କ୍ୟାଣ୍ଟିନ୍‍କୁ ଅବିଳମ୍ବେ ଖୋଲିବା ସାଙ୍ଗକୁ ସର୍ବସାଧାରଣଙ୍କୁ ଏଠାରେ ଖାଇବା ପାଇଁ ସୁଯୋଗ ପ୍ରଦାନ କରିବାକୁ ଡଃ ମିଶ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି । କ୍ୟାଣ୍ଟିନ୍‍ ବନ୍ଦ ଥିବାରୁ ଓଡ଼ିଶାରୁ କ୍ୟାନ୍‍ସର ଓ ଅନ୍ୟାନ୍ୟ ରୋଗର ଚିକିତ୍ସା ପାଇଁ ମୁମ୍ବାଇ ଆସୁଥିବା ଶହ ଶହ ଓଡ଼ିଆ ରୋଗୀ ଓ ସେମାନଙ୍କର ପରିବାରବର୍ଗ ଅକଥନୀୟ ଯନ୍ତ୍ରଣାର ଶୀକାର ହେଉଥିବା ଡଃ ମିଶ୍ର ଉଲ୍ଲେଖ କରିଛନ୍ତି । ଏହା ସହିତ ଓଡ଼ିଶା ଭବନରେ ରହୁଥିବା ଅତିଥି ଏବଂ ମୁମ୍ବାଇରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ଓ ସେମାନଙ୍କ ପରିଜନ ମଧ୍ୟ ଓଡ଼ିଆ ଖାଦ୍ୟ ଆହାର କରିବାର ସୁଯୋଗରୁ ବଞ୍ଚିତ ହେଉଛନ୍ତି ବୋଲି ସେ ସୂଚାଇଛନ୍ତି । ଏବେ ମୁମ୍ବାଇରେ କରୋନାର ଦ୍ୱିତୀୟ ଦଫାର ପ୍ରକୋପ ବୃଦ୍ଧିପାଉଥିବା ସତ୍ତ୍ୱେ ବିଭିନ୍ନ କାର୍ଯ୍ୟାଳୟ, ସଂସ୍ଥାନ ଓ ଅତିଥିଶାଳା କାର୍ଯ୍ୟକ୍ଷମ ହେବାକୁ ଆରମ୍ଭ କରିଥିବାବେଳେ ଓଡ଼ିଶା ଭବନର ଡାଇନିଂରୁମ୍‍ ଓ କିଚେନକୁ ବନ୍ଦ କରି ରଖାଯିବାର କୌଣସି ଯୁକ୍ତିଯୁକ୍ତତା ନାହିଁ ବୋଲି ଡଃ ମିଶ୍ର ଦର୍ଶାଇଛନ୍ତି । ନିକଟରେ ଡଃ ମିଶ୍ର ଭୁବନେଶ୍ୱରଠାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‍ଟେନ୍‍ ଦିବ୍ୟଶଙ୍କର ମିଶ୍ରଙ୍କୁ ସାକ୍ଷାତ କରି ଏହି କ୍ୟାଣ୍ଟିନ୍‍ ଖୋଲାଯିବା ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ଏହି ସାକ୍ଷାତକାର ସମୟରେ ବରିଷ୍ଠ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଉପସ୍ଥିତ ଥିଲେ । ଉଭୟ ମନ୍ତ୍ରୀ ଶ୍ରୀ ଜେନା ଓ କ୍ୟାପ୍‍ଟେନ୍‍ ମିଶ୍ର, କଥିତ ମାନବୀୟ ସମସ୍ୟା ନେଇ ସମବେଦନା ପ୍ରକଟ କରିବା ସହିତ ଯଥାଶୀଘ୍ର ଏହାର ଦୂରୀକରଣ ସମ୍ପର୍କରେ ସରକାରୀ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀସ୍ଥିତ ଓଡ଼ିଶା ନିବାସର କ୍ୟାଣ୍ଟିନ୍‍ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ପ୍ରବାସୀ ଓଡ଼ିଆମାନଙ୍କର ଦାବି ଫଳରେ ଚଳିତ ଏପ୍ରିଲ ୧ ତାରିଖ ଠାରୁ ଏହା କାର୍ଯ୍ୟକ୍ଷମ ହେବା ସହିତ ସର୍ବସାଧାରଣଙ୍କ ଖାଇବା ପାଇଁ ଉନ୍ମୁକ୍ତ ହୋଇଥିବା ଜଣାଯାଇଛି ।

loading...

Leave A Reply

Your email address will not be published.