Breaking

ଦଶହରା ପାଇଁ ସଜ ହେଉଛି ‘ମହିଷାସୁର’

0

ଭୁବନେଶ୍ବର: ମାତ୍ର ଆଉ ଦିନକ ପରେ ଦଶହରା। ସେଥିପାଇଁ ସଜ ହେଉଛି ମହିଷାସୁର। କାରଣ ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ଓଟିଟି ତରଙ୍ଗ ପ୍ଲସ୍ ପାଇଁ ନିର୍ମାଣ ହୋଇଛି ନୂଆ ଓଡ଼ିଆ ସିନେମା ମହିଷାସୁର। ଯାହା ଆସନ୍ତା ୫ ତାରିଖ ଦିନ ତରଙ୍ଗ ପ୍ଲସ୍‌ରେ ଓ୍ବାଲ୍ଡ ଡିଜିଟାଲ୍ ପ୍ରିମିୟର ହେବ । କାହାଣୀ ଅନୁସାରେ ଦଶହରା ପାଇଁ ସଜ ହେଉଛି କଟକ। ଅବଦୁଲ ବି ଲାଗି ପଡ଼ିଛି କାମରେ। ତିନିପିଢ଼ି ଧରି ତାଙ୍କ ପରିବାର ତିଆରି କରିଆସୁଛନ୍ତି ଦୁର୍ଗାଙ୍କ ମେଢ଼ । କଟକର ଭାଇଚାରା ନିଆରା। ଇଦ୍ ହେଉକି ଦୁର୍ଗାପୂଜା, ବଡ଼ଦିନ ହେଉ କି ପୋଙ୍ଗଲ। କଟକିଆଙ୍କ ଆନନ୍ଦ ସମାନ। ଦିନେ ଏ ଆନନ୍ଦରେ କଣ୍ଟା ହେଇ ଠିଆ ହେଇଛି ମାହିଷାସୁର ଟିଏ। ସିଏ ଅବଦୁଲର ପୁଅ ସାହିଲ । ଯିଏକି ଦୁବାଇରେ ଚାକିରି ନାଁରେ ଯାଇ ପାକିସ୍ତାନରେ ଟ୍ରେନିଂ ନେଇ ଫେରିଥିବା ଗୋଟେ ଆତଙ୍କବାଦୀ। ଦୁର୍ଗାପୂଜାକୁ କଟକରେ ଗାଟେ ବଡ଼ ଧରଣର ବୋମା ବିସ୍ଫୋରଣର ଚକ୍ରାନ୍ତରେ ଲିପ୍ତ ଥିବାବେଳେ, ଫେରାର ହେଇଯାଇଥିବା ସେଇ ମହିଷାସୁରଟି ପାଇଁ ହଠାତ ଦୋହଲିବାକୁ ବସିଛି କଟକର ଭାଇଚାରା । ତାର ଫାଇଦା ଉଠେଇବାରେ ଲାଗି ପଡ଼ିଛନ୍ତି ରାଜନୈତିକ ନେତା ଆଉ ମିଡ଼ିଆ। ଦୁନିଆ ଯୁଆଡ଼େ ଯାଉ କୁଜିନେତା ଭୋଟ ପାଇଁ, ମିଡିଆ ଟି.ଆର୍.ପି ପାଇଁ ନିଆଁରେ ଘିଅ ଢାଳୁଛନ୍ତି। କିନ୍ତୁ ହଜାର ବର୍ଷର ସହର କଟକ। ଭାଇଚାରାରେ ମଜ୍‌ବୁତ୍ ସେ ସହରର ମୂଳଦୁଆ। ସଚା କଟକିଆମାନେ ତାକୁ ଭାଙ୍ଗିବାକୁ ଦିଅନ୍ତିନି। କିନ୍ତୁ ସେମାନଙ୍କ ଏକତା ଆଗରେ ମୁଣ୍ଡ ନୁଆଏଁ ସବୁ ଚକ୍ରାନ୍ତ। ଦଶହରା ସବୁ ବର୍ଷପରି ଯାକ ଯକମରେ ହୁଏ। ଅବଦୁଲର ହାତ ତିଆରି ମେଢ଼ରେ ଶୋଭାପାଆନ୍ତି ଦୁର୍ଗା ମା’ । ଆଉ ମାଆଙ୍କ ସାମ୍ନାରେ ଅବଦୁଲ୍‌ର ଝିଅ ହିଁ ତା ଆତଙ୍କବାଦୀ ଭାଇକୁ ହତ୍ୟାକରି ମହିଷାସୁର ନିର୍ଧନର ବାର୍ଷାଦିଏ। ଗୋଟିଏ ମହିଷାସୁରର ସିନା ମୃତ୍ୟୁ ହୁଏ ଆମ ଭିତରେ ଏବେବି ଅନେକ ଅଦୃଶ୍ୟ ମହିଷାସୁର ଜୀବିତ । ଗୁଜବ ସୃଷ୍ଟିକରି ଧର୍ମ ନାଁରେ ଲୋକଙ୍କୁ ଉତ୍ୟକ୍ତ କରି। ଏତେ ବର୍ଷର ଭାଇଚାରାକୁ ଭାଙ୍ଗିଦେବାକୁ ଆମମାନଙ୍କ ମନରେ ଲୁଚି ରହିଥିବା ପ୍ରବୃତ୍ତି ହେଉଛି ସେଇ ଅଦୃଶ୍ୟ ମହିଷାସୁର। ସେମାନଙ୍କର ନିଧନ ନହେଲେ ଏମିତି କଥାକଥିତ ମହିଷାସୁର ଏମିତି ଜନ୍ମ ନଉଥିବେ । ଏ ବାର୍ତ୍ତା ନେଇ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ସିନେମା ‘ମହିଷାସୁର’ । ଯାହାର କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ଗୀତ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି ଓ ସଂଳାପ ଲେଖିଛନ୍ତି ଚନ୍ଦନ କୁମାର। ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ୍ ମଜୁମ୍‌ଦାର୍ ଦେଇଥିବାବେଳେ ଡିଓପିରେ ଈଶ୍ବର ରହିଛନ୍ତି। ସମ୍ପାଦନା କରିଛନ୍ତି ରଞ୍ଜନ ଖଟେଇ। ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଅର୍ଚ୍ଚିତା, ବବି ମିଶ୍ର, ପରାଗ ପଟ୍ଟନାୟକ, ବିରଞ୍ଚି ଓ ରାଜା ଡି। ସିନେମାଟିର ପ୍ରସ୍ତୁତି ଭାର ସମ୍ଭାଳିଛନ୍ତି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଓ ପ୍ରଯୋଜକ ଅଜୟ ରାଉତ ।

loading...

Leave A Reply

Your email address will not be published.