Breaking

ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ରତ୍ନଭଣ୍ଡାର’ ସମ୍ପର୍କିତ ସ୍ୱତନ୍ତ୍ର ଆଲୋଚନା ଚକ୍ର

0

ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ତରଫରୁ ରତ୍ନଭଣ୍ଡାର ଉପରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ପ୍ରତିଷ୍ଠାନର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରକୁ ସ୍ୱାମୀ ଭାଗବତାନନ୍ଦ ସରସ୍ୱତୀ ମହାରାଜ ଉଦ୍‌ଘାଟନ କରିଥିଲେ । ମୁଖ୍ୟଅତିଥି ଭାବରେ ଶ୍ରୀମନ୍ଦିର ପୁରୀର ପୂର୍ବତନ ପ୍ରଶାସକ ଡ଼. ପ୍ରଦୀପ କୁମାର ଦାଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ସମ୍ପର୍କରେ ସୂଚନା ଦେଇ ସେବା ସମୟର ଦିବ୍ୟ ଅନୁଭୂତିକୁ ବର୍ଣ୍ଣନା କରିଥିଲେ । ଡ଼. ଦାଶ ସମର୍ପିତ ଭାବରେ ମହାପ୍ରଭୁଙ୍କ ନୀତି ସେବାର ଦାୟିତ୍ୱରେ ଥିବା ସମୟରେ ଶ୍ରୀମନ୍ଦିର ବିଭିନ୍ନ ପର୍ବପର୍ବାଣୀ, ଯାନିଯାତ୍ରା, ବିଭିନ୍ନ ଉତ୍ସବ ସହ ଦୈନନ୍ଦିନ ନୀତି ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇଥିଲା । ସମ୍ମାନୀତ ଅତିଥି ଶ୍ରୀ ପ୍ରବୀର କୁମାର ପଟ୍ଟନାୟକ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅନେକ ଅନାଲୋଚିତ ଦିଗ ପ୍ରତି ଦୃଷ୍ଟି ଦେବା ସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ସର୍ବସାଧାରଣଙ୍କ ଗୋଚରାର୍ଥେ ପ୍ରଶାସନ ବିହିତ ପଦକ୍ଷେପ ନେବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଅବକାଶରେ ପ୍ରଫେସର ସୁରେନ୍ଦ୍ରନାଥ ଦାଶଙ୍କ ସଂକଳିତ ରତ୍ନଭଣ୍ଡାର ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ପୁସ୍ତକରେ ଗ୍ରୋମ୍‌ସଙ୍କ ରିପୋର୍ଟ, ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ ଓ ୧୯୭୮ ମସିହାର ରିପୋର୍ଟ ସହ ସମ୍ପୂର୍ଣ୍ଣ ଅଳଙ୍କାରର ବିବରଣୀ ପ୍ରଦାନ କରାଯାଇଛି । ପୁସ୍ତକଟି ‘ସାହିତ୍ୟ ସଂଗ୍ରହ ପ୍ରକାଶନ’ କଟକ ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡାଙ୍କ ଦ୍ୱାରା ପ୍ରକାଶିତ । ପୁସ୍ତକ ସମ୍ପର୍କରେ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ସୂଚନା ପ୍ରଦାନ କରିଥିଲେ । ଏହି ଅବକାଶରେ ସରୋଜିନୀ ପରମଗୁରୁଙ୍କ ରଚିତ ଶ୍ରୀଜଗନ୍ନାଥ ଓ ମାତୃଶକ୍ତି ଉପରେ ଆଧାରିତ ‘ପାପୁଲିଏ ଭାବନା’ ଉନ୍ମୋଚିତ ହୋଇଯାଇଛି । ପ୍ରତିଷ୍ଠାନ ତରଫରୁ ପ୍ରକାଶକ ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଭାଷଣରେ ପ୍ରଫେସର ସୁରେନ୍ଦ୍ରନାଥ ଦାଶ ଶ୍ରୀମନ୍ଦିର ରତ୍ନଭଣ୍ଡାର ସହ କେରଳର ସ୍ୱାମୀ ଅନନ୍ତ ପଦ୍ମନାଭ ମନ୍ଦିରର ଛଅଟି ରତ୍ନଭଣ୍ଡାର ସମ୍ପର୍କରେ ସୂଚନା ଦେଇ ସେ ରତ୍ନଭଣ୍ଡାରରେ ଥିବା ବିଭିନ୍ନ ଦ୍ରବ୍ୟଗୁଡ଼ିକର ମୂଲ୍ୟ ୫୦ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ପ୍ରମୋଦ କୁମାର ପରିଡ଼ା ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଫେସର ନାରାୟଣ ସାହୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଦେଇଥିଲେ ଓ ଶ୍ରୀ ପ୍ରଫୁଲ୍ଲ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.