Breaking

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

୧୪,୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଆଧାରଶିଳା ଓ ଲୋକାର୍ପଣ କଲେ ଶ୍ରୀ ନରେନ୍ଦ୍ର ମୋଦୀ

0

ଭୁବନେଶ୍ବର : ଓଡିଶାର ବିକାଶ ଓ ପ୍ରଗତି ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ । ଏହାର ନିଦର୍ଶନ ସ୍ୱରୂପ ଆଜି ରାଜ୍ୟରେ ୧୪,୫୨୩ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଆଧାରଶିଳା ରଖାଯିବା ସହ ଆଉ କେତେକ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି । ଏହି ପ୍ରକଳ୍ପ ମଧ୍ୟରେ ରହିଛି ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ, ଗ୍ୟାସ ଯୋଗାଣ, ସଡକ ଓ ସାଂସ୍କୃତିକ ଐତିହ୍ୟ ପରିଯୋଜନା । ଏହିସବୁ ଯୋଜନା ଓଡିଶାର ପ୍ରଗତି ଓ ଜନଜୀବନକୁ ସୁଗମ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ତା’ସହିତ ବିକାଶ ପ୍ରକ୍ରିୟାରେ ରାଜ୍ୟବାସୀଙ୍କ ସକ୍ରିୟ ଯୋଗଦାନ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଆଜି ଭୁବନେଶ୍ୱର ନିକଟସ୍ଥ ଅରଗୁଳଠାରେ ଆଇଆଇଟି ଭୁବନେଶ୍ୱରର ପୂର୍ଣ୍ଣାଙ୍ଗ କ୍ୟାମ୍ପସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଅବସରରେ ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତମାନ ସୁଦ୍ଧା ପ୍ରାୟ ୧୨୬୦ କୋଟି ଟଙ୍କା ଏହି ଶିକ୍ଷା ପ୍ରକଳ୍ପରେ ଖର୍ଚ୍ଚ କରାଯାଇଛି । କେନ୍ଦ୍ର ସରକାର ଓଡିଶା ସମେତ ପୂର୍ବ ଭାରତର ବିକାଶକୁ ଅଗ୍ରପ୍ରାଧାନ୍ୟ ଦେଇଛନ୍ତି । ଏହି ଅଂଚଳର ଜରୁରୀ ସୁବିଧା ଓ ସଂରଚନା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି । ପୂର୍ବ ଭାରତକୁ ଦକ୍ଷିଣ ଏସିଆର ପ୍ରବେଶ ଦ୍ୱାର ରୂପେ ଗଢ଼ି ତୋଳିବା ଲାଗି ଉଦ୍ୟମ ହେଉଛି । ଆଇଆଇଟି ଭଳି ପ୍ରତିଷ୍ଠାନ ଓଡିଶାର ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ଉପଯୋଗ ଦିଗରେ ଉଚ୍ଚତର ଗବେଷଣା କରିବ ଏବଂ ଯୁବଛାତ୍ର ଗୋଷ୍ଠୀକୁ ନବସୃଜନ ଦିଗରେ ଅନୁପ୍ରାଣିତ କରିବ । ଏହି ଅନୁଷ୍ଠାନ ନୂଆ ନୂଆ ଉଦ୍ୟମୀ ଓ ଷ୍ଟାର୍ଟ ଅପ ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ ।

ଆଜି ପ୍ରଧାନମନ୍ତ୍ରୀ ସଭାସ୍ଥଳରୁ ୧୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଆଇଜର, ବ୍ରହ୍ମପୁର କ୍ୟାମ୍ପସର ଆଧାରଶିଳା ରଖିଥିଲେ । ସେ କହିଥିଲେ ଯେ, ଆଧୁନିକ ଟେକ୍ନୋଲଜି ଉଦ୍ଭାବନ କରିବାରେ ଆଇଆଇଟି, ନାଇଜର ଏବଂ ଆଇଜର ରାଜ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଓଡିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକା ନେବ ।
ସେ କହିଥିଲେ ଯେ, ଆଜି ଇଏସଆଇ ହସ୍ପିଟାଲର ମଧ୍ୟ ଉଦ୍ଘାଟନ କରାଯାଇଛି । ଭୁବନେଶ୍ୱରସ୍ଥିତ ଏହି ହସ୍ପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ କରାଯାଇଛି । ଏହାଛଡା ଆଧୁନିକ ଭିତିଭୂମି ମଧ୍ୟ ହସ୍ପିଟାଲରେ ସ୍ଥାପନ କରାଯାଇଛି ।
ଏବେ ସାରା ଦେଶରେ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା – ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେଉଛି । ଏହା ଅଧିନରେ ଓଡିଶାରେ ୧୧୫୦ଟି ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଖୋଲାଯିବ । ରାଜ୍ୟର ଦୁର୍ଗମ ଅଂଚଳକୁ ବ୍ୟାପକ ସଡକ ନେଟୱାର୍କ ଯୋଗେ ଯୋଡାଯିବ । ଆଜି ପ୍ରାୟ ୪୫୦୦ କୋଟି ଟଙ୍କାର ସଡକ ପ୍ରକଳ୍ପର ଆଧାରଶିଳା ରଖାଯାଇଛି । କେନ୍ଦ୍ର ସରକାର ଓଡିଶାରେ ସଡକ ନେଟୱାର୍କ ୧୦ ହଜାର କିଲୋମିଟରକୁ ସମ୍ପ୍ରସାରିତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି । ଏହା ରାଜ୍ୟରେ ଉଦ୍ୟୋଗ ବିକାଶ ତଥା ପରିବହନ ସୁବିଧାକୁ ସୁଗମ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ତୈଳ ଓ ପ୍ରାକୃତିକ ବାଷ୍ପ ଉଦ୍ୟୋଗର ଉଜ୍ୱଳ ଭବିଷ୍ୟତ ରହିଛି । ଆଜି ଶିଳାନ୍ୟାସ କରାଯାଇଥିବା ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନ ବ୍ରହ୍ମପୁର, ବିଶାଖାପାଟଣା, ବିଜୟୱାଡା, ରାଜମହେନ୍ଦ୍ରୀ ଦେଇ ହାଇଦ୍ରାବାଦରେ ପହଂଚିବ । ଫଳରେ ପାଇପ ଲାଇନ ସଂଲଗ୍ନ ଅଂଚଳର ଲୋକେ ତଥା ଉଦ୍ୟୋଗ ଜଗତ ପେଟ୍ରୋଲ, ଡିଜେଲ, କିରୋସିନ ଓ ଉଡାଜାହାଜ ଇନ୍ଧନ ସୁବିଧାରେ ପାଇପାରିବେ । ଓଡିଶା କ୍ରମେ ପେଟ୍ରୋଲିୟମ ଶିଳ୍ପର ପ୍ରମୁଖ ହବ୍ ହେବାକୁ ଯାଉଛି । ପାରାଦୀପ ଏଥିରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ସେ କହିଥିଲେ ଯେ, ସବୁ ଘରକୁ ଏଲପିଜି ଯୋଗାଣ ଲକ୍ଷ୍ୟର ନିକଟବର୍ତୀ ହେଉଛନ୍ତି କେନ୍ଦ୍ର ସରକାର । ଏହାବାଦେ ପାଇପ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ ଲାଗି ନିରବଚ୍ଛିନ୍ନ ପ୍ରୟାସ ଜାରୀ ରହିଛି । ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ଯୋଜନାରେ ଉତର ପ୍ରଦେଶରୁ ଓଡିଶା ପର୍ଯ୍ୟନ୍ତ ପାଇପ ଲାଇନ ଟଣା ଯାଉଛି । ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ସେକ୍ସନ ଅନ୍ତର୍ଗତ ବୋକାରୋ-ଅନୁଗୁଳ ସେକ୍ସନ ଗ୍ୟାସ ପାଇପ ଲାଇନ ପ୍ରକଳ୍ପର ମଧ୍ୟ ଆଜି ଶିଳାନ୍ୟାସ କରାଯାଇଛି । ଏହାଦ୍ୱାରା ଓଡିଶାର ୫ଟି ଏବଂ ଝାଡଖଣ୍ଡର ୬ଟି ଜିଲ୍ଲା ଉପକୃତ ହେବେ ।
ଆଜିର ସମାରୋହରେ ପ୍ରଥମ ସ୍ୱାଧିନତା ସଂଗ୍ରାମ ରୂପେ ଅଭିହିତ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଉପଲକ୍ଷେ ଡାକ ଟିକଟ ଓ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରାକୁ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ପାଇକ ବୀରମାନଙ୍କୁ ସମ୍ମାନ ଜଣାଇଥିଲେ । ପାଇକ ବିଦ୍ରୋହର ନାୟକ ରୂପେ ପରିଚିତ ବକ୍ସି ଜଗବନ୍ଧୁଙ୍କ ଅବଦାନକୁ ମଧ୍ୟ ସେ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ଚେୟାର ପ୍ରତିଷ୍ଠା କରାଯିବ । ଏଥିଲାଗି କେନ୍ଦ୍ର ସରକାର ୫ କୋଟି ଟଙ୍କା ଯୋଗଇ ଦେଇଛନ୍ତି । ଏହି ଚେୟାର ମାଧ୍ୟମରେ ରାଷ୍ଟ୍ରବାଦୀ ଆନ୍ଦୋଳନ ଏବଂ ଓଡିଶାର ଆଦିବାସୀମାନଙ୍କ ସାମାଜିକ-ଆର୍ଥିକ ପରିବର୍ତନ ଉପରେ ଗବେଷଣା କରାଯିବ । ସେହିପରି ଲଳିତଗିରି ପତ୍ନତତ୍ୱ ସଂଗ୍ରହାଳୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ । ୯.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରତ୍ନତତ୍ୱ ମ୍ୟୁଜିୟମ ଦେଶ ବିଦେଶରୁ ଗବେଷକ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ । ତା’ଛଡା ରୋଜଗାର ସୁଯୋଗ ସୃଷ୍ଟି କରିବ ।

ଆଇଆଇଟି ସମାରୋହରେ ପ୍ରଧାନମନ୍ତ୍ରୀ ରିମୋଟ ଜରିଆରେ ଏନଏଚ-୧୬ ଜାତୀୟ ରାଜପଥର ଚଣ୍ଡିଖୋଲ-ଭଦ୍ରକ ସେକ୍ସନକୁ ୬ ଲେନ କରିବା, ଖଣ୍ଡଗିରି ଫ୍ଲାଏଓଭର, ଏନଏଚ-୫ ଅନ୍ତର୍ଗତ କଟକ-ଅନୁଗୁଳ ସେକ୍ସନର ୪ ଲେନ କାର୍ଯ୍ୟ ଏବଂ ଟାଙ୍ଗି-ପୁଇଁତଳା ସେକ୍ସନର ନିର୍ମାଣ କାର୍ଯ୍ୟର ଆଧାରଶିଳା ରଖିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ, ଏହିସବୁ ଭିତିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ନିଉ ଇଣ୍ଡିଆର ଅଭ୍ୟୁଦୟ ହେବ । ଓଡିଶା ନିଉ ଇଣ୍ଡିଆ ବିକାଶର ଇଞ୍ଜିନ ସାଜିବ ବୋଲି କହିଥିଲେ ।
ସମାରୋହରେ ସ୍ୱାଗତ ଭାଷଣ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ତଥା ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ ଯେ, ଆଜି ହେଉଛି ଏକ ଐତିହାସିକ ଦିନ । ପାଇକ ଆନ୍ଦୋଳନର ସ୍ମୃତି ବହନ କରୁଥିବା ଏକ ସ୍ମାରକୀ ଡାକ ଟିକଟ ଓ ସ୍ୱତନ୍ତ୍ର ମୁଦ୍ରା ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉନ୍ମୋଚିତ ହୋଇଛି । ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ପାଇକମାନଙ୍କ ଦ୍ୱାରା ପ୍ରକୃତ ମୁକ୍ତି ସଂଗ୍ରାମ ବରୁଣେଇ ପାହାଡ ପାଖରୁ ଆରମ୍ଭ ହୋଇଥିଲା । ଏହି ସ୍ମାରକୀର ୨୦୦ ବର୍ଷ ପୂର୍ତି ପାଳନ କରାଯାଉଛି । ଏହି ମାଟିରୁ ଓଡିଶା ବିକାଶର ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏହାର ଅଂଶ ସ୍ୱରୂପ ପ୍ରଧାନମନ୍ତ୍ରୀ ୧୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପମାନ ଶୁଭାରମ୍ଭ କରୁଛନ୍ତି । କେନ୍ଦ୍ର ସରକାର ୪ର୍ଥ ଶିଳ୍ପ ବିପ୍ଳବରୁ ପଂଚମ ପିଢ଼ି ଆଡକୁ ଅଗ୍ରସର ହେଉଛନ୍ତି । ଆଇଆଇଟି ଭୁବନେଶ୍ୱର ଜ୍ଞାନ ଓ ଗବେଷଣାର ନୂତନ କେନ୍ଦ୍ର ହେବାକୁ ଯାଉଛି । ନାଇଜର ଓ ଆଇଜର ଏହି ଅଭ୍ୟୁଦୟକୁ ଆହୁରି ବଳ ଦେବ । ଓଡିଶାର ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟଦୃଷ୍ଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।
ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.