Breaking

ଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌”

0

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ଭୁବନେଶ୍ୱର ତରଫରୁ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଗବେଷଣା ନିମିତ୍ତ ଗବେଷକ, ବୁଦ୍ଧିଜୀବିିମାନଙ୍କ ପଠନ ଉଦ୍ଦେଶ୍ୟରେ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ପଠନ ଗୃହର ଶୁଭ ଉଦ୍‌ଘାଟନ ହେବା ସହ ଶ୍ରୀ ଶିବାନନ୍ଦ ଦାଶଙ୍କ ଦ୍ୱାରା ରଚୟିତ ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌” ଉନ୍ମୋଚିତ ହୋଇଯାଇଛି । ଏହାକୁ ଦିବ୍ୟଜୀବନ ସଂଘ ତଥା ଶିବାନନ୍ଦ ସେଣ୍ଟ୍‌ନାରୀ ବାଳକ ବିଦ୍ୟାଳୟ ସଂପାଦକ ସ୍ୱାମୀ ଜଗନ୍ନାଥ ନନ୍ଦ ଜୀ ସରସ୍ୱତୀ ମହାରାଜ ଉଦ୍‌ଘାଟନ କରି ଅନୁଷ୍ଠାନ ତରଫରୁ ନିଆଯାଇଥିବା ଏହି ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ, ପୂର୍ବତନ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ତାଙ୍କ ଭାଷଣରେ ୪୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଗବେଷଣାକୁ ପ୍ରଶଂସା କରିବା ସହ ଶ୍ରୀଜଗନ୍ନାଥ ଚେତନାକୁ ବିଶ୍ୱରେ ପହଞ୍ଚାଇବା ପ୍ରତିଷ୍ଠାନର ମୁଖ୍ୟ ଭୂମିକା ହେଉ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ପ୍ରଫେସର ନିରଞ୍ଜନ ବାରିକ ଶିବାନନ୍ଦଙ୍କ ଦ୍ୱାରା ରଚିତ ପୁସ୍ତକର ବିଷୟବସ୍ତୁ ସଠିକ୍ ତଥ୍ୟ ଓ ତତ୍ୱ ରଚନା ଶୈଳୀ ଓ ଶବ୍ଦ ସଂଯୋଜନାର ଭୂୟସୀ ପ୍ରଶଂସା କରିଥିଲେ । ଆଜିର ଛାତ୍ର ତଥା ଯୁବସମାଜ ସୌର ଜଗତ ସଂପର୍କରେ ଜ୍ଞାନ ଆହରଣ କରିବା ପାଇଁ “ଡାର୍କ ଲାଇଟ୍‌” ପୁସ୍ତକ ମାର୍ଗଦର୍ଶକ ହେବ ବୋଲି ମତପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥିଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼ଃ ଅଭୟ କୁୂମାର ନାୟକ ପ୍ରତିଷ୍ଠାନର ବହୁମୁଖି ଗବେଷଣା ମୂଳକ କାର୍ଯ୍ୟ ଶିବାନନ୍ଦ ଦାଶଙ୍କ ଦ୍ୱାରା ରଚିତ ପୁସ୍ତକ “ଡାର୍କ ଲାଇଟ୍‌” ଉପରେ ଏକ ସମୀକ୍ଷାମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ ଯାହାକି ଯୁଗୋପଯୋଗୀ ଭବିଷ୍ୟତ ପିଢିଙ୍କ ପାଇଁ ମାର୍ଗଦର୍ଶକ ହୋଇ ରହିବ । ସଭାପତି ପ୍ରଫେସର ସୁରେନ୍ଦ୍ରନାଥ ଦାଶ, ପ୍ରତିଷ୍ଠାନର ସଭ୍ୟମାନେ ଏହିପରି ଲିଖିତ ଦୃଷ୍ଟିଭଙ୍ଗୀରେ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଗବେଷଣା କରି ବୈଜ୍ଞାନିକ ଭିତ୍ତିଭୂମିକୁ ପାଥେୟ କରି ଗବେଷଣା କରିବା ସାମ୍ପ୍ରତିକ ପରିସ୍ଥିତିରେ ଦରକାର ବୋଲି ମତ ଦେଇଥିଲେ । ସୌର ଜଗତରେ ଗ୍ରହମାନଙ୍କ ଉତ୍ପତ୍ତି ଓ ସେମାନଙ୍କ ପ୍ରଭାବ ସଂପର୍କରେ ବେଦ, ଉପନିଷଦରୁ ଉଦ୍ଧୃତ ଏହା ଏକ ସଂଗ୍ରହ ବୋଲି ସୂଚନା ଦେଇଥିଲେ । ପ୍ରତିଷ୍ଠାନର ସାଧାରଣ ସଂପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ପରିଡ଼ା, ସଂପାଦକ ଶ୍ରୀଯୁକ୍ତ ନାରାୟଣ ସାହୁ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସଂକ୍ଷିକ୍ତ ବିବରଣୀ ପ୍ରଦାନ କରିଥିଲେ । ଶ୍ରୀ ପ୍ରଫୁଲ୍ଲ କୁମାର ମହାପାତ୍ର ପ୍ରତିଷ୍ଠାନର କୋଷାଧ୍ୟକ୍ଷ ସର୍ବ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.