Breaking

ତାଣ୍ଡବ ରଚିଲା ତିତ୍‌ଲି : ବହୁ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ,ବିଦ୍ୟୁତ ସରବରାହ ବନ୍ଦ

0

ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ତିତ୍‌ଲି ଭୋର ୫ଟା ୨୫ ମିନିଟ୍‌ ସମୟରେ ଦକ୍ଷିଣ ଓଡ଼ିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌ ମଧ୍ୟରେ ସ୍ଥଳଭାଗରେ ମାଡ଼ ହୋଇଛି। ପ୍ରବଳ ବର୍ଷା ଓ ୧୪୦ କିଲୋମିଟର ବେଗରେ ପବନ ସହ ତିତ୍‌ଲି ଗୋପାଳପୁରରେ ତାଣ୍ଡବ ଆରମ୍ଭ କରିଛି।ବାତ୍ୟା ପ୍ରଭାବରେ ଗୋପାଳପୁର ଅଞ୍ଚଳରେ କେତେକ ଆଜ୍‌ବେଷ୍ଟସ୍‌ ଓ ଚାଳ ଛପର ଘରର ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ସେହିପରି ହାଇମାଷ୍ଟ ଲାଇଟ୍‌ ପୋଷ୍ଟ ମଧ୍ୟ ଭାଙ୍ଗି ପଡିଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ଏହା ସହ ଭଞ୍ଜନଗର, ଆସିକା ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ପବନ ବହିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଶହେରୁ ଊର୍ଦ୍ଧ୍ୱ ଗଛ ଉପୁଡି ପଡିଲାଣି। ଅଟୋ, କାର ସମେତ କିଛି ଘର ମଧ୍ୟ ନଷ୍ଟ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ରାତିସାରା ଘଣ୍ଟା ପିଛା ୧୦୦ କିଲୋମିଟରୁ ଅଧିକ ବେଗରେ ପବନ ବହିବା ଫଳରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ଲୋକେ ଶୋଇପାରି ନାହାନ୍ତି । ସେହିଭଳି ମଧ୍ୟ ରାତ୍ରୀରୁ ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଛି । ଭୟଙ୍କର ପବନ ଯୋଗୁଁ ବ୍ରହ୍ମପୁର ସହରର ବିଭିନ୍ନ ରାସ୍ତାରେ ଗଛ ପଡ଼ିଯାଇଥିବାରୁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ଆସ୍କା, ଗୋପାଳପୁର ସମେତ ଅନ୍ୟସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ।

loading...

Leave A Reply

Your email address will not be published.