Breaking

ବିସ୍ମୟ ବାଳକ ବୁଦ୍ଧାଦିତ୍ୟ : ୪ବର୍ଷ ବୟସରେ ଦୌଡ଼ୁଛନ୍ତି ଭୁବନେଶ୍ୱରରୁ ପୁରୀ

0

ଭୁବନେଶ୍ୱର :ବୁଧିଆ ସିଂଙ୍କ ଭଳି ଆଉ ଜଣେ ବିସ୍ମୟ ବାଳକ ବୁଦ୍ଧାଦିତ୍ୟ ସ୍ୱାଇଁ ।ବୟସ ମାତ୍ର ୪ବର୍ଷ । ଏହି ବୟସରେ ସେ ଦୌଡ଼ୁଛନ୍ତି ଭୁବନେଶ୍ୱରରୁ ପୁରୀ । ମାତ୍ର ୮ଘଣ୍ଟା ୪୦ମିନିଟ୍ ମଧ୍ୟରେ ୬୦କିଲୋମିଟରରୁ ଊଦ୍ଧ୍ୱର୍ ଦୂରତା ଅତିକ୍ରମ କରିପାରୁଛନ୍ତି । ଭୁବନେଶ୍ୱର ଉପକଣ୍ଠ କେଶୁରା ପାୱାର ହାଉସ କଲୋନୀରେ ରହୁଛନ୍ତି । ବାପା ଦେବଦତ୍ତ ଓ ମା’ ଗୋପା ରାଉତ ।
୨୦୦୬ରେ ବୁଧିଆ ସିଂ ମାତ୍ର ୪ବର୍ଷ ବୟସରେ ଭୁବନେଶ୍ୱରରୁ ପୁରୀ ୬୫କି.ମି. ରାସ୍ତାକୁ ୭ଘଣ୍ଟାରେ ଅତିକ୍ରମ କରି ଲିମ୍କା ବୁକ୍ ଅଫ୍ ରେକର୍ଡ଼ରେ ସାମିଲ ହୋଇଥିଲେ । ଏହା ପରେ ସେ ବହୁ ମାରାଥନରେ ଦୌଡ଼ି ପୁରସ୍କୃତ ହୋଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ବୁଧିଆ କ୍ରୀଡ଼ା ଛାତ୍ରାବାସରେ ରହିଥିଲେ । ଏବେ ନିଜ ଘରେ ରହୁଛି । ଠିକ୍ ବୁଧିଆଙ୍କ ଭଳି ସାହସ ଏବଂ ଦୃଢ଼ ମନୋବଳ । ନିଶା କେବଳ ଦୌଡ଼ିବା । ଦୌଡ଼ ଆରମ୍ଭ କଲେ ଲକ୍ଷ୍ୟ ହାସଲ କରି ନପାରିବା ପର୍ଯ୍ୟନ୍ତ ଥକିପଡ଼ନ୍ତି ନାହିଁ ବୁଦ୍ଧାଦିତ୍ୟ । ପ୍ରକୃତରେ ଶିଶୁଟିର ଏହି ସାହସ ଦେଖିଲେ ଆଶ୍ଚର୍ଯ୍ୟ ଓ ଚକିତ ଲାଗୁଛି । ଗତ ୬ମାସ ଧରି ବୁଦ୍ଧାଦିତ୍ୟ ଦୌଡ଼ିବା ଅଭ୍ୟାସ ଆରମ୍ଭ କରିଛନ୍ତି । ସେ କେଶୁରା ଲିଟିଲ ପ୍ଲେ ସ୍କୁଲରେ ନର୍ସରୀ ଛାତ୍ର । ଦୌଡ଼ିବା ବ୍ୟତୀତ ପାଠ ପଢ଼ିବା ଓ ଜୁଡ଼ୋ ଶିକ୍ଷା ମଧ୍ୟ କରୁଛନ୍ତି ।

ଦିନରେ ଯେତେବେଳେ ବି ସମୟ ମିଳେ ସେ କେବଳ ଦୌଡ଼ିବାକୁ ପସନ୍ଦ କରନ୍ତି । ମା’ ଗୋପା ଯେତିକି ଜାଣିଛନ୍ତି ସେହି ଅନୁସାରେ ପୁଅକୁ ଖାଇବାକୁ ଦେଉଛନ୍ତି । ତେବେ ବୁଦ୍ଧାଦିତ୍ୟ ଆମିସଠୁ ନିରାମିସ ଖାଇବାକୁ ଅଧିକ ପସନ୍ଦ କରନ୍ତି । ଖାଇବାରେ ସେ ଦୁଷ୍ଟାମି କରନ୍ତି ନାହିଁ, ମା’ ଯାହା ଦିଅନ୍ତି ତାହା ସେ ଖାଇ ଦିଅନ୍ତି । ବୁଦ୍ଧାଦିତ୍ୟଙ୍କ ଏହି ଦୃଢ଼ ଇଚ୍ଛାଶକ୍ତି ଓ ଆଗ୍ରହ ଦେଖି ବାପା-ମା’ ଏବେ ତାଙ୍କର ଭବିଷ୍ୟତ ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ଘରର ଆର୍ଥିକ ଅବସ୍ଥା ସେମିତି ସ୍ୱଚ୍ଛଳ ନୁହେଁ ଯେ ଦୌଡ଼ିବା ପାଇଁ ପୁଅର ସବୁ ଆବଶ୍ୟକତା ଭରଣ କରିପାରିବେ । ଏବେ ପିଲା ଛୋଟ ଅଛି । ସେ ବଡ଼ ହେବ । ସେହି ଅନୁସାରେ ଆବଶ୍ୟକତା ବଢ଼ି ବଢ଼ି ଚାଲିବ ।

ସରକାର ଯଦି ବୁଦ୍ଧାଦିତ୍ୟର କଥା ବୁଝନ୍ତି ତେବେ ସେ ନିଶ୍ଚିତ ଭାବେ ଦିନେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବ ବୋଲି ବାପା ଦେବଦତ୍ତ ବିଶ୍ୱାସ ରଖିଛନ୍ତି । ବୁଦ୍ଧାଦିତ୍ୟ ଇତିମଧ୍ୟରେ ୩/୪ଥର ଭୁବନେଶ୍ୱରରୁ ପୁରୀ ଦୌଡ଼ି ସାରିଲେଣି ।ଏଥିପାଇଁ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି । ଏବେ ବୁଦ୍ଧାଦିତ୍ୟଙ୍କ ଉପରେ ସରକାର ଯଦି ଏଭଳି ବୟସରୁ ଉପଯୁକ୍ତ ଦୃଷ୍ଟି ଦିଅନ୍ତେ, ତେବେ ସେମାନେ ବଡ଼ ହୋଇ ବିଶ୍ୱ ଆଥଲେଟିକ୍ସରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତେ ।

loading...

Leave A Reply

Your email address will not be published.