Breaking

ଭୁବନେଶ୍ୱରରେ ପହଞ୍ଚିଲା ବ୍ୟାଟେରି ଚାଳିତ ଅଟୋରିକ୍ସା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭୁବନେଶ୍ଵରରେ ପହଞ୍ଚିଛି ବ୍ୟାଟେରୀଚାଳିତ ଅଟୋ। ବ୍ୟାଟେରୀ ଚାଳିତ ଅଟୋ ପେଟ୍ରୋଲ୍ ଏବଂ ସିଏନଜି ଚାଳିତ ଅଟୋ ପରି। ହେଲେ ଏହି ବ୍ୟାଟେରୀ ଚାଳିତ ଅଟୋ ଶତପ୍ରତିଶତ ଇକୋଫ୍ରେଣ୍ଡଲି ଅର୍ଥାତ୍ ପ୍ରଦୂଷଣମୁକ୍ତ। ବେଙ୍ଗାଳୁରରେ ୫୦ରୁ ଊର୍ଦ୍ଧ୍ଵ ଇକୋଫ୍ରେଣ୍ଡଲି ଅଟୋ ଚାଲୁଛି। ଏହି ଅଟୋରେ ସୋଲାର ସଂଯୁକ୍ତ କରାଯାଇ ସୌରଶକ୍ତି ମାଧ୍ୟମରେ ମଧ୍ୟ ବ୍ୟାଟେରୀକୁ ଚାର୍ଜ କରାଯାଇପାରୁଛି।

ସାରା ବିଶ୍ଵରେ ପ୍ରଦୂଷଣ ମହାମାରୀର ରୂପ ନେବାକୁ ଯାଉଛି। ବିଶ୍ଵବାସୀ ପ୍ରଦୂଷଣରୁ ମୁକ୍ତି ପାଇଁ ପ୍ରତିଦିନ ନୂଆ ନୂଆ ବିକଳ୍ପ ବାଛିବାକୁ ବାଧ୍ୟ ହେଉଛନ୍ତି। ଦେଶବାସୀଙ୍କ ପାଇଁ ଖୁସିର ଖବର ହେଉଛି ଏଣିକି ଦେଶର ବିଭିନ୍ନ ପ୍ରାନ୍ତରରେ ଗଡ଼ିବ ଇକୋଫ୍ରେଣ୍ଡଲି ଅଟୋରିକ୍ସା।

ପ୍ରତିଦିନ ଦେଶର କୋଟି କୋଟି ସଂଖ୍ୟାରେ ମଟରଯାନର ବ୍ୟବହାର ବଢ଼ୁଛି। ଅଟୋ ରିକ୍ସା ଦେଶର ବିଭିନ୍ନ ସହର ତଥା ଗାଁରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦ୍ଵାରା ଚାଲୁଛି। ପେଟ୍ରୋଲରୁ ବାହାରୁଥିବା କାର୍ବନ ଡାୟକ୍ସାଇଡ୍ ଓ ମୋନୋକ୍ସାଇଡ୍ ପ୍ରତ୍ୟକ୍ଷ ଭାବରେ ଲୋକଙ୍କ ଜୀବନଶୈଳୀକୁ ପ୍ରଭାବିତ କରୁଛି।

ଗତ ୨୦୧୪ ମସିହାରେ ବେଙ୍ଗାଳୁରର ଭୋଲଟା ଅଟୋମେଟିଭ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଭିଏଆଇପି) କମ୍ପାନି ଲଗାତାର ଭାବେ ପରୀକ୍ଷା କରି ଆସୁଥିଲା। ଯେକୌଣସି କମ୍ପାନିର ପୁରୁଣା ଅଟୋ ରିକ୍ସାରୁ ପେଟ୍ରୋଲ୍ କିମ୍ବା ଡିଜେଲ୍ ଇଞ୍ଜିନ୍ ବଦଳାଇ ସେଇ ଜାଗାରେ ଲିଥିୟମ୍ ବ୍ୟାଟେରୀ ସଂଯୋଗ କରି ବିନା ଗିୟର୍ କିମ୍ବା କ୍ଲଜରେ ସମସ୍ତେ ଚଲାଇପାରିବା ଭଳି ଅଟୋରିକ୍ସା ପ୍ରସ୍ତୁତ କରିଛି। ଆଗାମୀ ଦିନରେ ଚାରି ଚକିଆ ଗାଡିର ଏହି ବ୍ୟାଟେରୀ ସଂଯୋଗ କରାଯାଇ ବଜାରରେ ଉପଲବ୍ଧ କରିବା ପାଇଁ କମ୍ପାନି ପ୍ରୟାସ ଜାରି ରଖିଛି।

ଏହି ଅଟୋ ରିକ୍ସା ଭାରତରେ ପ୍ରଥମ ଥର ପାଇଁ ଗତ ମେ ମାସ ୨୫ ତାରିଖରୁ ବେଙ୍ଗାଳୁରରୁ ବାହାରି ଦେଶର ପ୍ରମୁଖ ସହର ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ, କଲିକତା ଦେଇ ଆସି ପହଞ୍ଚିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ଵରରେ। ୬୦ ଦିନ ଭିତରେ ୬୦୦୦ରୁ ଊର୍ଦ୍ଧ୍ଵ କିଲୋମିଟର ଭ୍ରମଣ କରିସାରିଲାଣି ଏହି ଇକୋଫ୍ରେଣ୍ଡଲି ଅଟୋ।

ସାରା ଦେଶରେ ଏହି ଅଟୋ ରିକ୍ସା ସମ୍ପର୍କରେ ଲୋକମାନଙ୍କ ଭିତରେ ସଚେତନତା ବୃଦ୍ଧି କରିବା ପାଇଁ ଅଟୋ ସାରା ଦେଶ ଭ୍ରମଣ କରୁଛି। ମୁମ୍ବାଇର ଆଇଆଇଟି ଛାତ୍ର ସୁଶିଲ୍ ରେଡ୍ଡୀ ଏହାର ନେତୃତ୍ବ ନେଉଛନ୍ତି। ଯୁବ ଇଞ୍ଜିନିୟର୍ ଋତ୍ଵିକ ଆର୍ଯ୍ୟ, ଭୋଲଟାର ଯୁବ ଅଧିକାରୀ ସୁଧୀର ଲେକ୍କାଲା, ମାସ୍ କମ୍ୟୁନକେସନର ଛାତ୍ରୀ ପଲ୍ଲବୀ ସିଦ୍ଧାନ୍ତ ଏହି ଅଭିଯାନରେ ସାମିଲ୍ ହୋଇଛନ୍ତି। ଓଡ଼ିଶାର ବ୍ୟବସାୟୀ ପ୍ରଭାତ ରଞ୍ଜନ ସାହୁ ଭୁବନେଶ୍ଵରରେ ଇକୋଫ୍ରେଣ୍ଡଲି ଅଟୋକୁ ସ୍ଵାଗତ କରିବା ସହ ସାଧାରଣ ଲୋକ, ଅଟୋ ଚାଳକ ଓ ବିଭିନ୍ନ ଅଟୋ ଆସୋସିଏସନରେ ଏହାର ଉପକାରିତା ସମ୍ପର୍କରେ ଅବଗତ କରାଉଛନ୍ତି।

ଅଭିଯାନର ମୁଖ୍ୟ ସୁଶିଲ୍ ରେଡ୍ଡି ଓଡ଼ିଶାଲାଇଭକୁ କହିଛନ୍ତି ଯେ, ଏହି ଇକୋଫ୍ରେଣ୍ଡଲି ଅଟୋ ଶତ ପ୍ରତିଶତ ପ୍ରଦୂଷଣ ମୁକ୍ତ। ପୁରୁଣା ଅଟୋଗୁଡ଼ିକର ଇଞ୍ଜିନକୁ ବାହାର କରି ଯଦି ଲିଥିୟମ୍ ବ୍ୟାଟେରୀ ସଂଯୋଗ କରାଯାଏ ଅଟୋଗୁଡ଼ିକ ବିନା ପ୍ରଦୂଷଣରେ ଚାଲିପାରିବ। ଥରେ ବ୍ୟାଟେରୀକୁ ୨ରୁ ୩ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ କଲେ ପାଖାପାଖି ୯୦ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ଇକୋଫ୍ରେଣ୍ଡଲି ଅଟୋ। ବ୍ୟାଟେରୀ ଚାର୍ଜ ପାଇଁ ମାତ୍ର ୬ ୟୁନିଟ୍ ବିଦ୍ୟୁତ୍ ଶକ୍ତିର ଆବଶ୍ୟକ ପଡ଼ିଥାଏ।

ଓଡ଼ିଶା ବ୍ୟବସାୟୀ ପ୍ରଭାତ ରଞ୍ଜନ ସାହୁ କହିଛନ୍ତି ଯେ, ସ୍ମାର୍ଟ ସିଟି ଭୁବନେଶ୍ଵର ଓ ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଆଗାମୀ ୨,୩ ବର୍ଷ ଭିତରେ ବ୍ୟାଟେରୀ ଚାଳିତ ଅଟୋ ଉପଲବ୍ଧ ହେବ ବୋଲି ଆମେ ଆଶାବାଦୀ ଅଛୁ। ଯାହାକି ବିନା ଆବାଜ୍ ଓ ବିନା ଧୁଆଁରେ ଏହି ଅଟୋ ଚାଲିପାରିବ। ଅଟୋରେ ଯଦି ସୋଲାର ପ୍ୟାନେଲ୍ ସଂଯୋଗ କରାଯାଏ ଅଟୋ ଚାଲୁଥିବା ବେଳେ ୪୦ପ୍ରତିଶତ ଯାଏଁ ବ୍ୟାଟେରୀ ଚାର୍ଜ ହୋଇପାରିବ। ଅଟୋ ଘଣ୍ଟାକୁ ୫୫ କିଲୋମିଟର ବେଗରେ ଗତି କରିପାରିବ। ଆମେ ବିଭିନ୍ନ ସ୍କୁଲ୍, କଲେଜ, କମ୍ୟୁନିଟି, ଇଞ୍ଜିନିୟରିଂ କଲେଜରେ ଆଗାମୀ ଦିନରେ ସଚେତନତା ବୃଦ୍ଧି କରିବୁ।

ପୁରୁଣା ଅଟୋରେ ଲିଥିୟମ୍ ବ୍ୟାଟେରୀ ସଂଯୋଗ କଲେ ପ୍ରାୟ ୧ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ବ୍ୟାଟେରୀର ଓ୍ବାରେଣ୍ଟି ୩ ବର୍ଷ ରହିବ। ଗୋଟିଏ ବ୍ୟାଟେରୀରେ ଅଟୋଟି ୨.୫ ଲକ୍ଷ କିଲୋମିଟର ଗତିକରିପାରିବ। ବ୍ୟାଟେରୀ ସଂଯୁକ୍ତ ନୂଆ ଅଟୋ ଖୁବ୍ ଶୀଘ୍ର ଦେଶର ବିଭିନ୍ନ ସହରରେ ଉପଲବ୍ଧ ହେବାକୁ ଯାଉଛି। ଚଳିତ ବଜେଟରେ ମୋଦି ସରକାରଙ୍କର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇଲେକ୍ଟ୍ରିକ ବା ଚାଳିତ ଯାନଗୁଡ଼ିକର କ୍ରୟ ଉପରେ ସ୍ଵତନ୍ତ୍ର ସବସିଡ଼ିର ବ୍ୟବସ୍ଥା କରିଛନ୍ତି।

loading...

Leave A Reply

Your email address will not be published.