Breaking

ସୁନ୍ଦରଗଡ଼ ଜିଲ୍ଲାରେ ସାନ ସାନ ପିଲା ଓ ଅଭିଭାବକଙ୍କୁ ଆକର୍ଷିତ କରୁଛି ‘ବାଲା ମଡେଲ’ ଅଙ୍ଗନବାଡ଼ି କେନ୍ଦ୍ର

0

ସୁନ୍ଦରଗଡ଼:କରୋନା ମହାମାରୀର ପ୍ରକୋପ କମିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସୋମବାରଠାରୁ ଖୋଲିଛି। ଦୀର୍ଘ ଦିନ ପରେ ପୁଣି ଅଙ୍ଗନବାଡ଼ି କେନ୍ଦ୍ରକୁ ସାନ ସାନ ପିଲାମାନେ ଆସିଥିବାରୁ ସେମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରଥମ ଦିନରେ ପିଲାମାନଙ୍କୁ ଫୁଲ, ଚନ୍ଦନ ଦେଇ ଅଭିନବ ଢଙ୍ଗରେ ସ୍ୱାଗତ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସକାଳ ୭ଟା୩୦ରେ ଖୋଲିଥିଲା। ପିଲାମାନେ ନିଜ ନିଜ ଅଭିଭାବକଙ୍କ ସହିତ କେନ୍ଦ୍ରରେ ପହଞ୍ଚି ଥିଲେ। ପ୍ରଥମ ଦିନରେ ପିଲାମାନେ ପ୍ରାୟ ଦୁଇ ଘଣ୍ଟା ଧରି ବିଭିନ୍ନ ଖେଳକୁଦରେ ମଜ୍ଜି ଯାଇଥିଲେ। ବିଶେଷକରି ଜିଲ୍ଲାର କେତେକ ସ୍ଥାନରେ ଆଧୁନିକ ବାଲା ମଡେଲ ଢାଞ୍ଚାରେ ରୂପାନ୍ତରିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଦେଖି ପିଲାଙ୍କ ସହିତ ଅଭିଭାବକମାନେ ବେଶ୍ ଖୁସି ହୋଇ ଯାଇଥିଲେ।

‘‘ମୁଁ ମୋ ଝିଅକୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ିବାକୁ ଆସିଥିଲି। ଆମ ଅଙ୍ଗନବାଡ଼ି କେନ୍ଦ୍ରକୁ ସମ୍ପୂର୍ଣ୍ଣ ନୂଆ ରୂପରେ ଦେଖି ବହୁତ ଖୁସି ଲାଗିଲା। ଆଗରୁ ଥିବା ଅଙ୍ଗନବାଡ଼ିରେ ପିଲାମାନଙ୍କ ପାଇଁ ସେମିତି ବିଶେଷ ସୁବିଧା ନଥିଲା। ଏବେ ପିଲାମାନେ ହସି ଖେଳି ପାଠ ପଢି ପାରିବେ’’, କହିଛନ୍ତି ସୁନ୍ଦରଗଡ଼ କିରେଇ ଅଞ୍ଚଳର ଜଣେ ମା’ ରିଙ୍କି କଉଡ଼ି। ଅନେକ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରେ କିରେଇ କେନ୍ଦ୍ର ଆଧୁନିକ ବାଲା ମଡେଲରେ ନୂଆ ରୂପ ପାଇଛି।

‘‘ଆମ ଅଙ୍ଗନବାଡ଼ି କେନ୍ଦ୍ରର ରୂପ ବେଶ୍ ବଦଳି ଯାଇଛି। ନୂଆ ନୂଆ ଖେଳଣା ସାଙ୍ଗକୁ କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ର ଦେଖି ପିଲାମାନେ ଖୁସି ହେଉଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନେ ଏକ ନୂଆ ଅନୁଭୂତି ପାଇବେ’’, କହନ୍ତି ନୂଆଗାଁ ବ୍ଲକ ବନ୍ଧଟୋଲାର ଜଣେ ମା’ ମୁକ୍ତିଲତା କିଡ଼ୋ। ସେହି ଅଙ୍ଗନବାଡ଼ି କେନ୍ଦ୍ରଟି ମଧ୍ୟ ବାଲା ମଡେଲରେ ରୂପାନ୍ତରିତ ହୋଇ ଶିଶୁ ଓ ମା’ମାନଙ୍କ ପାଇଁ ଉନ୍ନତ ସେବା ପ୍ରଦାନ ଲାଗି ପ୍ରସ୍ତୁତ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ସାନ ସାନ ପିଲାମାନଙ୍କୁ ଆନନ୍ଦମୟ ପରିବେଶ ଭିତରେ ଶିକ୍ଷାଦାନ ଲାଗି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅଧିକ ଆକର୍ଷଣୀୟ କରାଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ବାଲା ମଡେଲରେ (ବିଲ୍ଡିଂ ଆଜ୍ ଲର୍ଣ୍ଣିଂ ଏଡ୍) ଉନ୍ନତିକରଣ କରାଯାଉଛି।

‘‘ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ବାଲା ମଡେଲରେ ରୂପାନ୍ତରଣ କରାଯାଉଛି। ଏହା ହେଉଛି ଜାତୀୟ ସ୍ତରର ଏକ ମଡେଲ। ଏହି ନୂତନ ଢାଞ୍ଚାରେ ତିଆରି ହେଉଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପିଲାମାନଙ୍କୁ ଅଧିକ ଆକର୍ଷିତ କରିବା ସହ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶରେ ବିଶେଷ ସହାୟକ ହେବ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ବାଲା ମଡେଲରେ ନିର୍ମାଣ କରାଯାଉଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ପିଲାଙ୍କ ଉପଯୋଗୀ କରାଯାଉଛି। ବିଶେଷକରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର କାନ୍ଥ, ଛାତ, ଚଟାଣ, ହତା ଓ ପାଚେରିକୁ ବିଭିନ୍ନ ରଙ୍ଗିନ ଚିତ୍ର ଓ ରୂପ ଦିଆଯାଉଛି। ଛାତରେ ସୌରଜଗତ, କାନ୍ଥରେ ପଶୁପକ୍ଷୀ, ଫଳ, ପନିପରିବା, ବର୍ଣ୍ଣମାଳା, ସଂଖ୍ୟାର ଚିତ୍ର ପିଲାଙ୍କୁ ପାଠପଢ଼ା ପ୍ରତି ଅଧିକ ଆକୃଷ୍ଟ କରୁଛି। ତା’ ସାଙ୍ଗକୁ କେନ୍ଦ୍ରର ହତା ଭିତରେ ଦୋଳି ଓ ସ୍ୟାଣ୍ଡ ପିଟ୍ ଭଳି ସୁବିଧା ପିଲାମାନଙ୍କୁ ଖେଳକୁଦ ସହ ଆନନ୍ଦଦାୟକ ଅନୁଭୂତି ଆଣିଦେଉଛି।

ଏହାସହ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ସୁହାଇବା ଭଳି କମ୍ ଓଜନ ଓ ଉଚ୍ଚତାର ଟେବୁଲ ଚେୟାର ରହିଛି। ଅଙ୍ଗନବାଡ଼ି ଆସୁଥିବା ପିଲାମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର କିଟ୍ ମଧ୍ୟ ବ୍ୟବସ୍ଥା କରିଛି, ଯେଉଁଥିରେ ଗେମ୍, ଲେଗୋସ୍, ପଜଲ୍, ଓଡ଼ିଆ ଓ ଇଂରାଜୀ ବର୍ଣ୍ଣମାଳା ଓ ଗପବହି ଆଦି ରହିଛି।

ଏହି ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଫଳରେ ଜିଲ୍ଲାର ଶିଶୁମାନଙ୍କ ସହ ଗର୍ଭବତୀ ଓ ପ୍ରସୂତି ମା’ମାନେ ବିଶେଷ ଉପକୃତ ହେବେ। କେନ୍ଦ୍ରରେ ପାନୀୟ ଜଳ ଏବଂ ମା’ ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା କରାଯାଉଛି। ସେହିପରି ପିଲାମାନଙ୍କ ପୋଷଣକୁ ସୁନିଶ୍ଚିତ କରିବା ପାଇଁ ‘ମୋ ବଗିଚା’ କରାଯାଉଛି। ଗର୍ଭବତୀ ମହିଳା ଓ ପ୍ରସୂତି ମା’ମାନଙ୍କ ନିର୍ଦ୍ଧାରିତ ପରୀକ୍ଷା, କାଉନସେଲିଂ, ଟିକାକରଣ ଓ ପୋଷଣ ଭଳି ସେବା ପାଇବା ପାଇଁ ବାଲା ମଡେଲ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ସ୍ୱତନ୍ତ୍ର ‘ମମତା ଗୃହ’ର ବ୍ୟବସ୍ଥା କରାଯାଉଛି।

ସୁନ୍ଦରଗଡ଼ ଜିଲ୍ଲାରେ ବାଲା ମଡେଲ ଅଙ୍ଗନବାଡ଼ିଗୁଡ଼ିକ ନିର୍ମାଣ ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଓଡ଼ିଶା ମିନେରାଲ ବିୟରିଂ ଏରିଆଜ୍ ଡେଭଲପମେଣ୍ଟ କର୍ପୋରେସନ (ଓମ୍ବାଡସି) ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଜିଲ୍ଲା ପ୍ରଶାସନର ବିଭିନ୍ନ ପ୍ରମୁଖ ଜନକଲ୍ୟାଣ ଯୋଜନା ଭିତରେ ଏହି କାର୍ଯ୍ୟକ୍ରମକୁ ସାମିଲ କରାଯାଇଛି।

loading...

Leave A Reply

Your email address will not be published.