Breaking

ଜଳୁଛି ଦିଲ୍ଲୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଦିଲ୍ଲୀରେ ଥମୁନି ନାଗରିକତା ସଂଶୋଧନ ଆଇନ ବିରୋଧରେ ନିଆଁ । ଗତକାଲି ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହିଂସାକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା ଏବେ ୨୦କୁ ବୃଦ୍ଧି ପାଇଛି । ଦିଲ୍ଲୀରେ ହିଂସାକାଣ୍ଡକୁ ନିୟନ୍ତ୍ରଣକୁ ଆଣିବାକୁ ଦଙ୍ଗା ସୃଷ୍ଟିକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଜାରି ହୋଇଛି । ତେବେ ଏହି ହିଂସାକାଣ୍ଡରେ ୫୬ ଜଣ ପୋଲିସ କର୍ମଚାରୀଙ୍କ ସହ ପ୍ରାୟ ୨୦୦ରୁ ଅଧିକ ସାଧାରଣ ଜନତା ଆହତ ହୋଇଛନ୍ତି ।ଅନ୍ୟପଟେ ନାଗରିକତା ସଂଶୋଧନ ଆଇନ ସମ୍ପର୍କିତ ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ରାତିଅଧିଆ ଶୁଣାଣି ହୋଇଛି । ବିଚାରପତି ଏସ୍. ମୁରଲୀଧରଙ୍କ ବାସଭବନରେ ବିଳମ୍ବିତ ରାତିରେ ଏହି ଶୁଣାଣି ହୋଇଛି । ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ନେଇ ଦିଲ୍ଲୀ ପୋଲିସକୁ ଷ୍ଟାଟସ ରିପୋର୍ଟ ତଲବ କରିଛନ୍ତି କୋର୍ଟ । ଏହାସହ ହିଂସା ବେଳେ ଆହତଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହିଂସା ବେଳେ ଆହତ ମାନେ ଚିକିତ୍ସା ପାଇଁ ମୁସ୍ତାଫାବାଦରୁ ଜିଟିବି ହସ୍ପିଟାଲକୁ ଯାଇପାରୁନଥିବା ଦର୍ଶାଇ ଆଇନଜୀବୀ ସରୁର ମଣ୍ଡେର ହାଇକୋର୍ଟରେ ଆବେଦନ କରିଥିଲେ । ଏନେଇ ଆଜି ମଧ୍ୟ ଶୁଣାଣି ହେବ ।ଉତ୍ତର ପୂର୍ବ ଦିଲ୍ଲୀରେ ଉତ୍ତେଜନା ଅତି ଉଗ୍ର ରୂପ ଧାରଣ କରିବା ପରେ ଜାଫରାବାଦ, ମୌଜପୁର, ବାବରପୁର ଓ ଚାନ୍ଦ ବାଗରେ କର୍ଫ୍ୟୁ ଲାଗୁ ହୋଇଛି । ଉତ୍ତରପୂର୍ବ ଦିଲ୍ଲୀରେ ପୁରା ଏକମାସ ପାଇଁ ୧୪୪ ଧାରା ଜାରି କରାଯାଇଛି । ସେହିପରି ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଦେଇଛି ସିବିଏସଇ । ଆଇପିଏସ ଏସଏନ ଶ୍ରୀବାସ୍ତବଙ୍କୁ ଆଇନ ଶୃଙ୍ଖଳା ରକ୍ଷାର ସ୍ୱତନ୍ତ୍ର କମିଶନର ଭାବେ ନିଯୁକ୍ତ କରାଯାଇଛି । ସେପଟେ ସ୍ଥିତି ନେଇ ଗତକାଲି ୨୪ ଘଂଟା ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତିନି ଥର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

loading...

Leave A Reply

Your email address will not be published.