Breaking

ହୋଲିରେ ପିଏଫ୍ଏ ପକ୍ଷରୁ ଜନସଚେତନତା

0

ଦିଗପହଣ୍ଡି: ରଙ୍ଗର ପର୍ବ ହୋଲି ଦିଗପହଣ୍ଡି ସହରରେ ଖୁବ୍ ଆଡମ୍ବରରେ ପାଳିତ ହୋଇଯାଇଛି । ପିଲା ଠାରୁ ବୁଢା ଯାଏଁ ସମସ୍ତ ବର୍ଗର ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ପର୍ବର ଶୁଭେଚ୍ଛା ଜଣାଇବା ସହିତ ମିଠା ଖୁଆଇ ଅଭିନନ୍ଦନ ଜଣାଉଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ପିପୁଲ ଫର୍ ଆନିମଲ୍ (ପିଏଫ୍ଏ)ର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଦିଗପହଣ୍ଡି ସହରରେ ଜନସଚେତନତା ଉଦ୍ଦେଶ୍ୟରେ ପଥପ୍ରାନ୍ତ ସଭା ଓ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସହରର ବସଷ୍ଟାଣ୍ଡ୍, ପୁଞ୍ଜିକୟାଁ ଚାରିଛକ ଓ ବ୍ଳକ ଅଫିସ୍ ଛକ ଭଳି ପ୍ରମୁଖ ଜନଗହଳି ଅଞ୍ଚଳରେ ଜନସଚେତନତା ଉଦ୍ଦେଶ୍ୟରେ ସଭା ଅନୁଷ୍ଠିତ ହୋଇଥିଲା । ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ପିଏଫ୍ଏ ସ୍ୱେଚ୍ଛାସେବୀ ସମୀରକାନ୍ତ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆମଭାଷା ସାହିତ୍ୟ ସଂସଦର ସମ୍ପାଦକ ଆଇନଜିବୀ ଗଜାନନ ତ୍ରିପାଠୀ, ପ୍ରଦୀପ କୁମାର ମହାପାତ୍ର, ମନୋଜ କୁମାର ପଣ୍ଡା, ବାମପନ୍ଥୀ ନେତା ତପନ ମିଶ୍ର, ଶିକ୍ଷକ ଟୁଟୁ ସେଠୀ, ସାମାଜିକ କର୍ମୀ ଅମରେନ୍ଦ୍ର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ହୋଲି ପର୍ବ ଏବଂ ଜୀବ ଜନ୍ତୁଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଥିଲେ । ରଙ୍ଗର ପର୍ବ ହୋଲି ଖେଳିବା ସମୟରେ ରସାୟନିକ ପଦାର୍ଥ ବ୍ୟବହୃତ ରଙ୍ଗ ନବ୍ୟବହାର କରିବା ସହିତ ହୋଲି ଖେଳିବା ସମୟରେ କୌଣସି ବୁଲା ଜୀବ ଯନ୍ତୁଙ୍କ ଉପରେ ରଙ୍ଗ ନପକାଇବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା । ହୋଲି ରଙ୍ଗ ଜୀବ ଯନ୍ତୁଙ୍କ ଉପରେ ପଡିଥିବା ଦେଖିଲେ ସେମାନଙ୍କୁ କିଭଳି ଉଦ୍ଧାର କରି ସୁରକ୍ଷା ଦେଇପାରିବା ସେନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଆହ୍ୱାନ୍ ଦିଆଯାଇଥିଲା । ହୋଲି ରଙ୍ଗ ମନୁଷ୍ୟ ଉପରେ ପଡିଲେ ସେ ପରିସ୍କାର କରିବାରେ ସମର୍ଥ ହେଉଥିବା ବେଳେ ଜୀବ ଯନ୍ତୁମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମଳିଥାଏ । ସେହିପରି ଜୀବ ଯନ୍ତୁଙ୍କ ଉପରେ ହୋଲି ରଙ୍ଗ ପଡିଲେ ସେମାନଙ୍କ ଦେହରେ ବିଭିନ୍ନ ପ୍ରକାର ଚର୍ମ ରୋଗ ପରିଲକ୍ଷିତ ହେବା ସହ ବିଭିନ୍ନ ପ୍ରକାର ରୋଗାକ୍ରାନ୍ତ ହେବାର ପୂର୍ବରୁ ନଜିର ରହିଛି । ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ଲାଗି ଏହି ଜନସଚେତନତା କରାଯାଇଥିବା ସଂସ୍ଥା ପକ୍ଷରୁ ଜଣାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ପିଏଫ୍ଏ ସ୍ୱେଚ୍ଛାସେବୀ ଶୁଭମ୍ କୁମାର ସାହୁ, ଶ୍ରୀକାନ୍ତ ସାହୁ, ତାରାପ୍ରସାଦ ଦାସ, ସୁଶାନ୍ତ ମହାଙ୍କୁଡ, ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ସ୍ୱାଧିନ କୁମାର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

loading...

Leave A Reply

Your email address will not be published.