Breaking

କଶ୍ମୀରରେ ଆକ୍ରମଣ ପାଇଁ ପାକ୍‌ ଷଡ଼ଯନ୍ତ୍ର, ପଥର ଆକ୍ରମଣକାରୀଙ୍କୁ ସେନାର ଚେତାବନୀ

0

ଶ୍ରୀନଗର: ଜମ୍ମୁ କଶ୍ମୀରରେ ବଡ଼ ଧରଣର ଆକ୍ରମଣ ପାଇଁ ପାକ୍‌ ସେନା ଏବଂ ଆତଙ୍କବାଦୀଙ୍କ ମିଳିତ ଷଡ଼ଯନ୍ତ୍ର ଚାଲିଛି। କଶ୍ମୀରକୁ ଅଶାନ୍ତ କରିବା ପାଇଁ ପାକିସ୍ତାନ ସେନା ସହାୟତାରେ ବିପୁଳ ଅସ୍ତ୍ରଶସ୍ତ୍ର ସହ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ଅନୁପ୍ରବେଶ କରିଥିବା ଜଣାପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସରକାର ଅମରନାଥ ଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କୁ ତୁରନ୍ତ କଶ୍ମୀର ଛାଡ଼ି ଚାଲିଯିବାକୁ କହିଛନ୍ତି। ସେନା ଏବଂ ଜମ୍ମୁ କଶ୍ମୀର ପୁଲିସର ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ କଶ୍ମୀରରେ ସିରିଜ୍‌ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ଚାଲିଥିବାରୁ ଏହାର ମୁକାବିଲା ନିମନ୍ତେ ସବୁସ୍ତରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆତଙ୍କବାଦୀମାନେ ଅମରନାଥ ଯାତ୍ରାରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଗୁଇନ୍ଦା ତଥ୍ୟ ଉପଲବ୍ଧ ହୋଇଛି ବୋଲି ଚିନାର୍‌ କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ କେଜେଏସ୍‌ ଧିଲ୍ଲନ କହିଛନ୍ତି। ସପ୍ତାହକ ମଧ୍ୟରେ କଶ୍ମୀରରେ ଅତିରିକ୍ତ ୩୫ ହଜାର ଯବାନ ପହଞ୍ଚିଛନ୍ତି ଏବଂ ସମସ୍ତ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଗତ ସପ୍ତାହରେ ୧୦ ହଜାର ଅର୍ଦ୍ଧସାମରିକ ବାହିନୀ କଶ୍ମୀରରେ ପହଞ୍ଚିଥିବା ବେଳେ ଗତକାଲି ସରକାର ଆଉ ୨୫ ହଜାର ଯବାନଙ୍କୁ ପଠାଇଛନ୍ତି। କଶ୍ମୀରରେ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ପାକ୍‌ ସେନା ଷଡ଼ଯନ୍ତ୍ର କରୁଥିବାରୁ ଏହାର ମୁକାବିଲା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାର କହିଛନ୍ତି। ଏହା ସହିତ ବହୁ ସଂଖ୍ୟାରେ ସ୍ଥାନୀୟ ଆତଙ୍କବାଦୀ ପଥର ଆକ୍ରମଣକାରୀ ବେଶରେ ସେନା ଉପରେ ଆକ୍ରମଣ କରୁଥିବାରୁ ସେନାର ମୁକାବିଲା ରଣନୀତି ମଧ୍ୟ ବଦଳିବ ବୋଲି କୁହାଯାଇଛି। ସେନା ଉପରେ ପଥର ମାଡ଼ କରୁଥିବା ଯୁବ ଗୋଷ୍ଠୀ ଏଥିରୁ ନିବୃତ୍ତ ନ ରହିଲେ ଭୟାନକ ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେନା ଚେତାଇ ଦେଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପାକିସ୍ତାନ ପଟୁ ଯେ କୌଣସି ଆକ୍ରମଣର ଜବାବ ଦେବାକୁ ଭାରତ ତୟାର ରହିଛି ଏବଂ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନାକୁ ପଣ୍ଡ କରିବା ପାଇଁ ମିଳିତ ବାହିନୀ ଅହରହ ପ୍ରୟାସ କରୁଛନ୍ତି। ଘାଟିରେ ବର୍ତ୍ତମାନର ସ୍ଥିତିକୁ ଦେଖି ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ପର୍ଯ୍ୟଟକ ଏବଂ ଅମରନାଥ ଯାତ୍ରୀଙ୍କୁ ପଳାଇଯିବାକୁ କୁହାଯାଇଛି। ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆଜି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ସହ ସବୁକିଛି ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ୩୫ ହଜାର ଯବାନଙ୍କୁ ମୁତୟନ କରିବା ଜରୁରୀ ଥିଲା ବୋଲି ସେ କହିଛନ୍ତି।

କଶ୍ମୀରରେ ପଶିଛନ୍ତି ୫ ଜୈସ୍‌ ଆତଙ୍କବାଦୀ
ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍‌ ଏ ମହମ୍ମଦର ୫ ଜଣ ଆତଙ୍କବାଦୀ ବିପୁଳ ଅସ୍ତ୍ରଶସ୍ତ୍ର ସହ କଶ୍ମୀରରେ ପ୍ରବେଶ କରିଥିବା ଜଣାପଡ଼ିଛି। ସେମାନଙ୍କୁ ଠାବ କରିବା ପାଇଁ ଦକ୍ଷିଣ କଶ୍ମୀରରେ ବ୍ୟାପକ କମ୍ବିଂ ଅପରେସନ ଚାଲିଛି। ପାକିସ୍ତାନ ସେନା ସହାୟତାରେ ପାକ୍‌ ଅଧିକୃତ କଶ୍ମୀରରୁ ଏହି ଆତଙ୍କବାଦୀମାନେ ଭାରତରେ ପଶିଛନ୍ତି। ସମସ୍ତ ଆତଙ୍କବାଦୀ ଅତ୍ୟାଧୁନିକ ଅସ୍ତ୍ର ଚାଳନା ତାଲିମ ନେଇଛନ୍ତି ଏବଂ ନିରାପତ୍ତା ବାହିନୀକୁ ଟାର୍ଗେଟ୍‌ କରିବା ସେମାନଙ୍କ ଲକ୍ଷ୍ୟ ରହିଛି ବୋଲି ଗୁଇନ୍ଦା ତଥ୍ୟ ମିଳିଛି। ଦକ୍ଷିଣ କଶ୍ମୀରରେ ସେନା, ସିଆର୍‌ପିଏଫ୍‌ ଏବଂ ପୁଲିସର ମିଳିତ ଚଢ଼ଉ ଅଭିଯାନ ଜାରି ରହିଛି ଏବଂ ଅନେକ ଅଂଚଳକୁ ଘେରାବନ୍ଦୀ କରି ରଖାଯାଇଛି। ସ୍ଥାନୀୟ ଜନତା କୌଣସି ସ୍ଥିତିରେ ବି ଆତଙ୍କବାଦୀଙ୍କୁ ସହଯୋଗ ନକରିବାକୁ କୁହାଯାଇଛି।

ପାକ୍‌ ନିର୍ମିତ ଲ୍ୟାଣ୍ଡ୍‌ମାଇନ୍‌ ଓ ସ୍ନାଇପର୍‌ ରାଇଫଲ ଜବତ
ଶ୍ରୀନଗର: ଅମରନାଥ ଯାତ୍ରୀଙ୍କ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ପାକ୍‌ ସେନା ଏବଂ ଆତଙ୍କବାଦୀଙ୍କର ମିଳିତ ଷଡ଼ଯନ୍ତ୍ର ହୋଇଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଗୁଇନ୍ଦା ତଥ୍ୟ ଉପଲବ୍ଧ ହେବାପରେ ଘାଟିରେ ହାଇଆଲର୍ଟ ଜାରି ହୋଇଛି। ମିଳିତ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାପକ ନିରାପତ୍ତା ପଦକ୍ଷେପ ହାତକୁ ନେଇଛନ୍ତି। ଅମରନାଥ ଯାତ୍ରା ରାସ୍ତାରୁ ଆଜି ପାକିସ୍ତାନ ନିର୍ମିତ ଲ୍ୟାଣ୍ଡ୍‌ମାଇନ୍‌ ଏବଂ ପାକ୍‌ ସେନା ବ୍ୟବହାର କରୁଥିବା ସ୍ନାଇପର ରାଇଫଲ ଜବତ କରାଯାଇଛି। ଅମରନାଥ ଯାତ୍ରା ପାଇଁ ଦକ୍ଷିଣ ପଟେ ଥିବା ପହଲଗାମ ରାସ୍ତା ଏବଂ ଉତ୍ତରରେ ଥିବା ବାଲଟାଲ ରାସ୍ତାରେ ତଲାସୀ ଅଭିଯାନ ଜାରି ରହିଛି। ତଲାସୀ ବେଳେ ପାକିସ୍ତାନ ଗୋଳାବାରୁଦ କାରଖାନାରେ ନିର୍ମିତ ଶକ୍ତିଶାଳୀ ଲ୍ୟାଣ୍ଡ୍‌ମାଇନ୍‌ ଜବତ କରାଯାଇଥିବାରୁ ଆତଙ୍କବାଦୀଙ୍କ ସହିତ ପାକ୍‌ ସେନା ତାଳମେଳ ରଖି ଆକ୍ରମଣ ଯୋଜନା କରୁଥିବା ଜଣାପଡ଼ିଛି। ଏହା ସହିତ ପାକିସ୍ତାନ ସେନା ବ୍ୟବହାର କରୁଥିବା ଆମେରିକା ନିର୍ମିତ ଏମ୍‌-୨୪ ସ୍ନାଇପର ରାଇଫଲ ମଧ୍ୟ ଜବତ ହୋଇଛି।

loading...

Leave A Reply

Your email address will not be published.