Breaking

ଭୂସମ୍ପତ୍ତି ବା ଗୃହ ବିକ୍ରୟ ଉପରେ ପୁଞ୍ଜିଲାଭ ଆୟକର ( କ୍ୟାପିଟାଲ ଗେନ୍ସ ଟ୍ୟାକ୍ସ )

0

ବିଶେଷ ରିପୋର୍ଟ:

ସାଧାରଣ ଲୋକଙ୍କ ଧାରଣା ଯେ ଆୟକର କେବଳ ଆୟ ଉପରେ ଦେବାକୁ ପଡେ । ଯେମିତି ଦରମାରୁ ଆୟ ବା ବ୍ୟବସାୟରୁ ଆୟ । ଅନେକ ବ୍ୟକ୍ତି ଜାଣନ୍ତି ନାହିଁ ଯେ କୌଣସି ସମ୍ପତ୍ତି ବିକ୍ରୟ କଲେ ଯେଉଁ ଲାଭ ମିଳେ ତା ଉପରେ ବି ଆୟକର ବା ପୁଞ୍ଜିଲାଭ କର ଦେବାକୁ ହୁଏ । ଅବଶ୍ୟ ସବୁ ସମ୍ପତ୍ତି ବିକ୍ରୟରୁ କରଯୋଗ୍ୟ ଆୟ ହିସାବ କରାଯାଏ ନାହିଁ । ଯେଉଁ ସମ୍ପତ୍ତି ଆୟକର ଆଇନ ଅନୁସାରେ ପୁଞ୍ଜି ବୋଲି ଧରାଯାଏ ତାହାରି ବିକ୍ରୟରୁ କରଯୋଗ୍ୟ ପୁଞ୍ଜିଲାଭ ହିସାବ କରାଯାଏ । ଆୟକର ଆଇନ ଅନୁସାରେ କୃଷି ଜମି ବିକ୍ରୟ କଲେ ଆୟକର ଯୋଗ୍ୟ ଲାଭ ହିସାବ କରାଯାଏ ନାହିଁ । କିନ୍ତୁ ଯଦି ଚାଷ ଜମି ସହରାଞ୍ଚଳରେ ଅବସ୍ଥିତ ଥାଏ ବା ସହର ପରିସୀମାରୁ ଏକ ନିର୍ଦ୍ଦିଷ୍ଟ ଦୂରତ୍ଵ ମଧ୍ୟରେ ଥାଏ ତେବେ ତାର ବିକ୍ରୟଲବ୍ଧ ପୁଞ୍ଜି ଲାଭ ବା “କ୍ୟାପିଟାଲ ଗେନ୍ସ” ଉପରେ କର ଧାର୍ଯ୍ୟ ହୋଇଥାଏ ।
ପୁଞ୍ଜି ବା ସମ୍ପତ୍ତି ବିଭିନ୍ନ ପ୍ରକାର ଧାରଣ କରିପାରେ । ଜମି ବା ଭୂସମ୍ପତ୍ତି ଓ ଘରବାଡ଼ି ପ୍ରମୁଖ ସମ୍ପତ୍ତି ଭାବରେ ଧରାଯାଏ । ସାଧାରଣ ଲୋକଟିଏ ପ୍ରଶ୍ନ କରେ, ମୋ ଘରବାଡ଼ି ମୁଁ ବିକିଲି, ଟ୍ୟାକ୍ସ କାହିଁକି ଦେବି ? କିନ୍ତୁ ଆୟକର ଆଇନ ଅନୁସାରେ ଜମି ବା ଘର ବିକ୍ରୟ କଲେ କର ଦେବାକୁ ପଡିଥାଏ । ସେହିପରି କେତେକ ନିର୍ଦ୍ଦିଷ୍ଟ ପ୍ରକାରର ସମ୍ପତ୍ତିକୁ ଛାଡ଼ିଦେଲେ ବାକି ସମସ୍ତ ସମ୍ପତ୍ତି ବିକ୍ରୟ ଉପରେ ପୁଞ୍ଜିଲାଭ କର ପୈଠ କରିବାକୁ ହୋଇଥାଏ ।
ଯଦି ଜଣେ ବ୍ୟକ୍ତି କୌଣସି ଜମି କ୍ରୟ କରି ତାହାକୁ ୩୬ ମାସ ବା ତିନିବର୍ଷ ମଧ୍ୟରେ ବିକ୍ରି କରନ୍ତି ତେବେ ବିକ୍ରିଲବ୍ଧ ଲାଭକୁ “ସ୍ୱଳ୍ପ ଅବଧି ପୁଞ୍ଜି ଲାଭ” ବା “ସଟ୍ ଟର୍ମ କାପିଟାଲ ଗେନ୍ସ” କୁହାଯାଏ । ଯଦି ତିନି ବର୍ଷ ପରେ ବିକ୍ରି କରାଯାଏ ତେବେ ” ଦୀର୍ଘ ଅବଧି ପୁଞ୍ଜିଲାଭ” ବା “ଲଂଗ ଟର୍ମ କାପିଟାଲ୍ ଗେନ୍ସ” ଅର୍ଜନ ହୁଏ । ସ୍ବଳ୍ପ ଅବଧି ପୁଞ୍ଜିଲାଭକୁ ଅନ୍ୟ ଆୟ ସହିତ ମିଶାଇ ସ୍ଲାବ୍ ରେଟ୍ ଲଗାଇ କରଧାର୍ଯ୍ୟ କରାଯାଏ । ମାତ୍ର ଦୀର୍ଘ ଅବଧି ପୁଞ୍ଜିଲାଭ ଉପରେ ୨୦% ସମଦରରେ ବା ଫ୍ଲାଟ୍ ରେଟରେ କର ଧାର୍ଯ୍ୟ ହୁଏ । ସ୍ୱଳ୍ପ ଅବଧି ପୁଞ୍ଜିଲାଭ ହିସାବ କଲାବେଳେ ଜମିର କିଣା ମୂଲ୍ୟ , ଜମିର ଉନ୍ନତି କରଣରେ ହୋଇଥିବା ଖର୍ଚ୍ଚ ଓ ବିକ୍ରିର ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଯଥା ଦଲାଲି, କମିଶନ ଇତ୍ୟାଦି ମୋଟ ବିକ୍ରି ମୂଲ୍ୟରୁ ଫେଡାଯାଏ । ଏସବୁ ବାଦ ଦେଲାପରେ ବାକି ଯାହା ଅବଶେଷ ରହେ ତାହାହିଁ ପୁଞ୍ଜିଲାଭ ଓ ତାହାକୁ ଅନ୍ୟ ଆୟ ସହିତ ମିଶାଇ କର ହିସାବ କରାଯାଏ । ଦୀର୍ଘ ଅବଧି ପୁଞ୍ଜିଲାଭ ହିସାବ କଲାବେଳେ ଜମିର କ୍ରୟମୂଲ୍ୟକୁ ଓ ଅନ୍ୟାନ୍ୟ ଖର୍ଚ୍ଚକୁ “ମୂଲ୍ୟ ବୃଦ୍ଧି ସୂଚନାଙ୍କ” ବା “କଷ୍ଟ ଇନଫ୍ଲେସନ୍ ଇଣ୍ଡେକ୍ସ” ସହିତ ଗୁଣନ କରାଯାଏ । ଏହା ଫଳରେ କରଯୋଗ୍ୟ ପୁଞ୍ଜିଲାଭର ପରିମାଣ ହ୍ରାସ ପାଇଥାଏ ।
ପୁଞ୍ଜିଲାଭ ଯଦି ଦୀର୍ଘ ମିଆଦୀ ସମ୍ପତ୍ତି ଅର୍ଥାତ ତିନି ବର୍ଷରୁ ଅଧିକ ସମୟ ପୂର୍ବେ କିଣା ଯାଇଥିବା ବା ତିଆରି ହୋଇଥିବା ଜମି ବା ଘର ବିକ୍ରୟ ଫଳରେ ହୋଇଥାଏ ତେବେ ଯଦି କରଦାତା କେତେକ ସର୍ତ୍ତ ପୂରଣ କରିବେ ତେବେ ଆୟକର ଆଇନର ଧାରା ୫୪ଏଫ୍ ଅନୁସାରେ ରିହାତି ପାଇବେ । ବିକ୍ରୟ ଲବ୍ଧ ପୂରା ଅର୍ଥ ଯଦି ଆଉ ଏକ ଘର କିଣିବାରେ ବିନିଯୋଗ କରାଯାଏ ତେବେ ଦୀର୍ଘ ଅବଧି ପୁଞ୍ଜିଲାଭ କର ଆଦୌ ଦେବାକୁ ନ ପଡ଼ିପାରେ । ମାତ୍ର କରଦାତାଙ୍କୁ ନିମ୍ନ ସର୍ତ୍ତ ମାନ ପୂରଣ କରିବାକୁ ପଡ଼ିବ ।
୧) ନୂଆ ଘରଟି ପୁରୁଣା ଘର ବା ଜମି ବିକିବାର ଏକ ବର୍ଷ ପୂର୍ବରୁ ବା ଦୁଇ ବର୍ଷ ମଧ୍ୟରେ କିଣାଯାଇଥିବ, ଅଥବା ଗୋଟିଏ ନୂଆ ଘର ପୁରୁଣା ଘର ବା ଜମି ବିକିବାର ତିନିବର୍ଷ ମଧ୍ୟରେ ତିଆରି କରାଯାଇଥିବ
୨) ନୂଆ କିଣିଥିବା ବା ତିଆରି କରିଥିବା ଘରଟି କିଣିବାର ବା ବନାଇବାର ତିନିବର୍ଷ ମଧ୍ୟରେ ବିକ୍ରୟ କରାଯିବ ନାହିଁ
୩) ସେହି ଘରଟି ଆମ ଦେଶରେ ଅବସ୍ଥିତ ହୋଇଥିବ
୪) ଜମି ବା ଘର ବିକ୍ରି କଲାବେଳେ କରଦାତାଙ୍କର ଗୋଟିଏ ହିଁ ଘର ଥିବ ନୂଆ ଘରକୁ ଛାଡ଼ି
୫) ବିକ୍ରି କରିବାର ଦୁଇ ବର୍ଷ ମଧ୍ୟରେ ନୂଆ ଘରକୁ ଛାଡ଼ି ଆଉ କୌଣସି ଘର କିଣାଯିବ ନାହିଁ ବା ତିନିବର୍ଷ ମଧ୍ୟରେ ଆଉ କୌଣସି ନୂଆ ଘର ତିଆରି କରାଯିବ ନାହିଁ
ଯଦି ଜଣେ ଉପର ଲିଖିତ ସବୁ ସର୍ତ୍ତ ପୂରଣ କରନ୍ତି ଓ ପୂରା ବିକ୍ରିଲବ୍ଧ ଅର୍ଥ ନୂଆ ଘର କିଣିବା ବା ତିଆରି କରିବାରେ ବିନିଯୋଗ କରନ୍ତି ତେବେ ପୁଞ୍ଜିଲାଭ ଉପରେ କୌଣସି ଟ୍ୟାକ୍ସ ପଡ଼ିବ ନାହିଁ । ମାତ୍ର ଯଦି ବିକ୍ରୟଲବ୍ଧ ଅର୍ଥର କେବଳ କିଛି ଅଂଶ ନୂଆ ଘର କିଣିବା ବା ତିଆରି କରିବାରେ ବିନିଯୋଗ କରାଯାଏ ତେବେ କରଦାତାଙ୍କୁ ସମାନୁପାତିକ ରିହାତି ମିଳିବ । ଉଦାହରଣ‌ ବଶତଃ ଯଦି ଆପଣ ବିକ୍ରି ଅର୍ଥର ଅଧା ବିନିଯୋଗ କରନ୍ତି ତେବେ ଆପଣଙ୍କୁ ବାକି ଅଧାକ ଉପରେ ଅଧା ପୁଞ୍ଜିଲାଭ କର ଦେବାକୁ ପଡ଼ିବ ।
ଯଦି ନୂଆ ଘର କିଣିବା ବା ତିଆରି କରିବା ସୀମିତ ସମୟ ମଧ୍ୟରେ ସମ୍ଭବ ହେଉନାହିଁ ତେବେ ଜଣେ କରଦାତା “ପୁଞ୍ଜି ଲାଭ ଖାତା ଯୋଜନା” ବା “କାପିଟାଲ୍ ଗେନ୍ସ ଆକାଉଣ୍ଟ୍ ସ୍କିମ୍ ୧୯୮୮” ରେ ଅର୍ଥ ଜମା କରି ଟିକସ ଦେବାରୁ ବର୍ତ୍ତି ପାରିବେ । ଏହି ସ୍କିମ ଅନୁସାରେ ଯଦି ଆୟକର ରିଟର୍ଣ୍ଣ ଦାଖଲ ପୂର୍ବରୁ ବିକ୍ରିଲବ୍ଧ ଅର୍ଥକୁ ନୂଆ ଘର କିଣିବା ବା ତିଆରି କରିବାରେ ବିନିଯୋଗ କରିବା ସମ୍ଭବ ହେଉନାହିଁ‌ ତେବେ ପୁଞ୍ଜିଲାଭ ଅର୍ଥକୁ ଜଣେ କରଦାତା ସରକାରଙ୍କ ଦ୍ଵାରା ପରିଚାଳିତ ବ୍ୟାଙ୍କ୍ ବା ଅନ୍ୟ ବ୍ୟାଙ୍କରେ କାପିଟାଲ୍ ଗେନ୍ସ ଆକାଉଣ୍ଟ୍ ସ୍କିମ୍ ରେ ଜମା କରି ପାରିବେ । ଆୟକର ରିଟର୍ଣ୍ଣରେ ଏହି ଜମାର ବିବରଣୀ ଦେଇ ଟିକସ ରିହାତି ଦାବି କରାଯାଇପାରିଵ । ମାତ୍ର ଜମା ଟଙ୍କାକୁ ବ୍ୟଙ୍କଦ୍ଵାରା ସ୍ଥିରୀକୃତ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ନୂଆ ଘର କ୍ରୟ ବା ନିର୍ମାଣରେ ବିନିଯୋଗ କରିବାକୁ ପଡ଼ିବ । ନହେଲେ ଜମା ଟଙ୍କାକୁ ପୁଞ୍ଜିଲାଭ ବା କାପିଟାଲ୍ ଗେନ୍ସ ଭାବରେ ଧରାଯିବ ଓ ତା ଉପରେ ଟିକସ ଦେବାକୁ ପଡ଼ିବ ।
ଆୟକର ଆଇନର ଧାରା ୫୪ଇସି ପୁଞ୍ଜିଲାଭ ଟିକସରୁ ମୁକ୍ତି ପାଇବାର ଆଉ ଏକ ପଥ ନିର୍ଦ୍ଦେଶ କରିଛି । ଯଦି ନୂଆ ଘର କିଣିବା ବା ନିର୍ମାଣ କରିବାର ଅଭିପ୍ରାୟ ନାହିଁ ତେବେ କାପିଟାଲ୍ ଗେନ୍ସ ଆକାଉଣ୍ଟ୍ ସ୍କିମ୍ ରେ ଅର୍ଥ ଜମା କରିବାର କୌଣସି ଆବଶ୍ୟକତା ନାହିଁ । ଏପରି ସ୍ଥଳେ କେତେକ ବଣ୍ଡ୍ ରେ ଅତି ବେଶୀରେ ପଚାଶ ଲକ୍ଷ ଟଙ୍କା ବିନିଯୋଗ କରି ଜଣେ କରଦାତା ସେହି ପରିମାଣର ପୁଞ୍ଜିଲାଭ ଟିକସ ଦେବାରୁ ବଞ୍ଚିଯାଇ ପାରିବେ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ( ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ) ଓ ଗ୍ରାମାଞ୍ଚଳ ବିଦ୍ୟୁତୀକରଣ କର୍ପୋରେସନ ( ରୁରାଲ ଇଲେକ୍ଟ୍ରିଫିକେସନ୍ କର୍ପୋରେସନ ) ଦ୍ଵାରା ଏହି ଉଦ୍ଦେଶ୍ୟରେ ସ୍ଵତନ୍ତ୍ର ବଣ୍ଡ୍ ଜାରି କରାଯାଇଛି । ଏହି ବଣ୍ଡ୍ ତିନିବର୍ଷ ପରେ( ଏବେ ପାଞ୍ଚ ବର୍ଷ ) ଭଙ୍ଗାଇ ହେବ ବା ବିକ୍ରି କରି ହେବ । ଏହି ବଣ୍ଡ ରେ ଜମି ବା ଘର ବିକ୍ରି କରିବାର ଛଅ ମାସ ଭିତରେ ଅର୍ଥ ବିନିଯୋଗ କରିବାକୁ ପଡ଼ିବ । ମାତ୍ର ଯଦି ଆୟକର ରିଟର୍ଣ୍ଣ ଦାଖଲର ତାରିଖ ଏହି ସମୟ ଶେଷ ହେବା ପୂର୍ବରୁ ପଡୁଥାଏ ତାହେଲେ ରିଟର୍ଣ୍ଣ ଦାଖଲ ତାରିଖ ପୂର୍ବରୁ ବଣ୍ଡ୍ କିଣିବାକୁ ହେବ ।

ଶରତ ଦାଶ
ପୂର୍ବତନ ପ୍ରଧାନ ଆୟକର ଆୟୁକ୍ତ, ଭୁବନେଶ୍ୱର
୯୪୩୮୯୧୭୨୫୫

loading...

Leave A Reply

Your email address will not be published.