Breaking

ଦକ୍ଷିଣାଞ୍ଚଳ ରାଜସ୍ୱ ଜିଲ୍ଲାର ଗ୍ରାମ୍ୟ କୃଷିକର୍ମୀମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ 

ଗ୍ରାମ୍ୟ କୃଷିକର୍ମୀମାନେ କୃଷକମାନଙ୍କ ସହିତ ଯୋଡ଼ି ରହି ଚାଷ କାର୍ଯ୍ୟକୁ ଆଗେଇ ନିଅନ୍ତୁ’  ‘ଫସଲର ବିବିଧିକରଣ ଓ ସମନ୍ୱିତ କୃଷି କାର୍ଯ୍ୟ ଆୟବୃଦ୍ଧିରେ ସହାୟକ’ : ମନ୍ତ୍ରୀ ଡ. ସାହୁ  ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଯୁବକମାନଙ୍କୁ ଅଧିକ ସଂଖ୍ୟାରେ ସାମିଲ ଉପରେ ଗୁରୁତ୍ୱାରୋପ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ରାଜ୍ୟର ଅର୍ଥନୈତିକ ବିକାଶରେ କୃଷି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଗ୍ରାମ୍ୟ କୃଷିକର୍ମୀମାନେ କୃଷକମାନଙ୍କ ସହ ଯୋଡ଼ି ରହି ଚାଷ କାର୍ଯ୍ୟକୁ ଆଗେଇ ନିଅନ୍ତୁ । ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଗ୍ରାମ୍ୟ କୃଷିକର୍ମୀମାନେ ଚାଷୀମାନଙ୍କ ସହିତ ସିଧାସଳଖ ସଂପର୍କରେ ଆସୁଥିବାରୁ ସେମାନେ ଚାଷୀମାନଙ୍କ ସମସ୍ୟାର ଶୀଘ୍ର ସମାଧାନ କରିପାରିବେ । ଅଧିକ ଉତ୍ପାଦନ ନିମନ୍ତେ ନୂତନ ଜ୍ଞାନକୌଶଳର ପ୍ରୟୋଗ ଓ ଉନ୍ନତମାନର ବିହନ ଓ କୃଷି ଉପକରଣର ବ୍ୟବହାର ସଂପର୍କରେ ଚାଷୀମାନଙ୍କୁ ସଚେତନ କରିପାରିବେ । ରାଜ୍ୟ ସରକାର କୃଷକମାନଙ୍କର ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ନିମନ୍ତେ କୃଷି ନୀତି୨୦୨୦ ‘ସମୃଦ୍ଧି’ ସମେତ ଅନେକ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରିଛନ୍ତି । ଏହାର ସଫଳ ରୂପାୟନ ଓ ଚାଷୀମାନଙ୍କୁ ଏହାର ଲାଭ ପହଞ୍ଚାଇବା ଦିଗରେ ଗ୍ରାମ୍ୟ କୃଷିକର୍ମୀମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ପୂର୍ବାହ୍ନରେ ଭର୍ଚୁଆଲ୍‌ ମାଧ୍ୟମରେ ଆୟୋଜିତ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଅନ୍ତର୍ଗତ ୧୦ଟି ଜିଲ୍ଲାର ଗ୍ରାମ୍ୟ କୃଷିକର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ବିଗତ ୨୦ ବର୍ଷ ମଧ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ ସଂପ୍ରତି କୋଭିଡ୍‌-୧୯ ସତ୍ତେ୍ୱ ରାଜ୍ୟ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛି । ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ହୋଇଥିବାବେଳେ କୃଷକମାନଙ୍କର ଆୟବୃଦ୍ଧି ଦିଗରେ ଫସଲର ବିବିଧିକରଣ କରି ପାଗ ଓ ମୃତ୍ତିକା ଅନୁକୂଳ ଭିନ୍ନ ଭିନ୍ନ ଚାଷ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଫସଲର ବିିବିଧିକରଣ ଦିଗରେ ଗ୍ରାମ୍ୟ କୃଷିକର୍ମୀମାନେ ଚାଷୀମାନଙ୍କୁ ଅଧିକ ସଚେତନ କରାଇବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଥିବାରୁ ଯୁବକଯୁବତୀମାନଙ୍କୁ ଏଥିପ୍ରତି ଆକୃଷ୍ଟ କରି କୃଷିରେ ମନୋନିବେଶ ଓ ପୁଂଜିନିବେଶ ପାଇଁ ଗ୍ରାମ୍ୟ କୃଷିକର୍ମୀମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

କୃଷିକାର୍ଯ୍ୟକୁ ଅଧିକ ସଂଗଠିତ ଏବଂ ଉତ୍ପାଦର ସହଜ ବିକି୍ରବଟା ଓ ଉଚିତ ମୂଲ୍ୟ ନିମନ୍ତେ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ସମନ୍ୱିତ କୃଷି କାର୍ଯ୍ୟ ଦ୍ୱାରା ସୀମିତ ଜମିର ସଠିକ ଉପଯୋଗ କରିହେବ ବୋଲି ସେ କହିଥିଲେ । ହ୍ୱାଟସ୍‌ଆପ୍‌ ଯୋଗେ ଚାଷୀମାନଙ୍କୁ ଚାଷକାର୍ଯ୍ୟ ନିମନ୍ତେ ଦିଆଯାଉଥିବା କୃଷି ସୂଚନା ଓ ପରାମର୍ଶଗୁଡ଼ିକ ସବୁଦିନ ଠିକ୍‌ ସମୟରେ ଚାଷୀ ମାନଙ୍କ ନିକଟକୁ ପଠାଇବା ସହ ବ୍ଲକ୍‌ସ୍ତରୀୟ ବୈଷୟିକ ବୈଠକରେ ନିୟମିତ ଯୋଗାଯୋଗ ପାଇଁ ମନ୍ତ୍ରୀ ଡ. ସାହୁ ଗ୍ରାମ୍ୟ କୃଷିକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଗତ ୨୦ ବର୍ଷରେ ଓଡ଼ିଶାରେ କୃଷିର ପ୍ରଗତି, କୃଷିନୀତି ୨୦୨୦ ‘ସମୃଦ୍ଧି’, ବିଭିନ୍ନ ରୋଗପୋକ ନିୟନ୍ତ୍ରଣ ଏବଂ ବିଭାଗ ପକ୍ଷରୁ ୫-‘ଟି’ ଆଧାରରେ କରାଯାଉଥିବା କାର୍ଯ୍ୟକ୍ରମ ସମ୍ବଳିତ ଏକ ପୁସ୍ତିକା ପ୍ରସ୍ତୁତ କରି ଗ୍ରାମ୍ୟ କୃଷିକର୍ମୀମାନଙ୍କୁ ଯୋଗାଇଦେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଲେ ଯେ ବିଭାଗ ଦ୍ୱାରା ଟୋଲ-ଫି୍ର ମୋବାଇଲ୍‌ ସୂଚନା ସେବା ‘ଆମ କୃଷି’କୁ କୃଷକମାନଙ୍କ ମଧ୍ୟରେ ଅଧିକ ଲୋକପି୍ରୟ କରାଇବାକୁ ପଡ଼ିବ । ଏଥି ସହିତ ସରକାରୀ କୃଷି ଯୋଜନା ସଠିକ୍‌ ହିତାଧି କାରୀଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଏକ ନିର୍ଭୁଲ ଡାଟାବେସ୍‌ ପ୍ରସ୍ତୁତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବିଭାଗ ଦ୍ୱାରା ପ୍ରଣୟନ କରାଯାଇଥିବା ‘ଦକ୍ଷତା’ କାର୍ଯ୍ୟକ୍ରମରେ ଗ୍ରାମ୍ୟ କୃଷିକର୍ମୀମାନଙ୍କୁ ମିଳୁଥିବା ପ୍ରୋତ୍ସାହନ ସେମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ସାହାଯ୍ୟ କରିପାରିବ ବୋଲି ପ୍ରମୁଖ ଶାସନ ସଚିବ ଡ. ଗର୍ଗ କହିଥିଲେ । ବୈଠକରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାରଙ୍କ ସମେତ ୧୦ଟି ଜିଲ୍ଲାର ଗ୍ରାମ୍ୟ କୃଷିକର୍ମୀମାନେ ଭାଗ ନେଇଥିଲେ ।

loading...

Leave A Reply

Your email address will not be published.