Breaking

ରାଜ୍ୟ ସରକାରଙ୍କ “ବେକାରୀ” ନୀତିକୁ ତୀବ୍ର ସମାଲୋଚନା କଲା ପାଇକ ମହାସଂଘ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

କରୋନା ମହାମାରୀ ଯେତେବେଳେ ଜୀବନ, ଜୀବିକାକୁ ଧ୍ୱଂସ କରି ଚାଲିଛି, ଘରୋଇ ଉଦ୍ୟୋଗ କର୍ମଚାରୀମାନଙ୍କୁ ଛଟେଇ କରୁଛନ୍ତି, ବେକାରୀ ସମସ୍ୟା ବଢିଚାଲିଛି, ଅର୍ଥନୀତି ଭୁସୁଡ଼ି ପଡ଼ିଛି, ଜୀବନ ଜୀବିକାର ଦୋଛକିରେ ଯୁବ ସମାଜ ପଥଭ୍ରଷ୍ଟ, ଶିକ୍ଷିତ ଆଶାୟୀ ନିଯୁକ୍ତିକୁ କବର ଦେଇ ବେକାରୀମାନଙ୍କୁ ନେଇ ଖେଳ ଖେଳିବା ଭଳି ମନେ ହେଉଥିବା ପ୍ରକାଶ କରିଛନ୍ତି ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟସଭାପତି ଅଶୋକ କୁମାର ପାଲଟାସିଂହ । ଓଡ଼ିଶା ସରକାରଙ୍କ ଷ୍ଟାଫ୍ ସିଲେକ୍ସନ କମିଶନ ଚାକିରୀ ଅପେକ୍ଷାରେ ଥିବା ଆଶାୟୀଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲିଦେଇଛନ୍ତି । ବର୍ତ୍ତମାନ ନୂତନ ମାର୍ଚ୍ଚ ୨୦୨୦ (ନୋଟିଫିକେସନ ତା.୦୩.୦୩.୨୦୨୦) ରେ ପ୍ରକାଶିତ ସରକାରୀ ଇସ୍ତାହାର ଅନୁଯାୟୀ ୨୦୧୫ ନିୟମରେ ପରିବର୍ତ୍ତନ କରିବା ସହିତ ସପ୍ଳିମେଣ୍ଟାରୀ ଲିଷ୍ଟକୁ ବାଦ ଦେଇଛନ୍ତି । ସୂଚନା ଥାଉକି ଓଡ଼ିଶା ଷ୍ଟାଫ୍ ସିଲେକ୍ସନର ଆଶାୟୀ ପ୍ରାର୍ଥୀ ଗୋଟିଏ ପରୀକ୍ଷାପାଇଁ ୪ ରୁ ୫ ବର୍ଷ ଅପେକ୍ଷା କରୁଛନ୍ତି । ଏହାଦ୍ୱାରା ଆଶାୟୀ ପ୍ରାର୍ଥୀଙ୍କର ବୟସ ଅତିକ୍ରାନ୍ତ କରିବା ସହିତ ନିଯୁକ୍ତିର ଆଶା ମଉଳି ଯାଉଛି । ପୁରାତନ ନିୟମ ଅନୁଯାୟୀ ବିଗତ ବିଜ୍ଞପ୍ତି ଗୁଡ଼ିକରେ ମୌଖିକ ପରୀକ୍ଷା ଓ ଅନ୍ୟାନ୍ୟ ନିୟମ ଲାଗୁ କରାଯାଉଥିବା ସମୟରେ ସଂପୃକ୍ତ ବିଭାଗର ସପ୍ଳିମେଣ୍ଟାରୀ ତାଲିକା ପ୍ରକାଶ କରିବାରେ କୌଣସି ଆନ୍ତରିକତା ପରିଲଖିତ ହେଉନାହିଁ । ଯଦି ଏହାର ଅଧ୍ୟକ୍ଷ ଏହାକୁ ଦୃଷ୍ଟିଦେବା ସହିତ ବିଚାରକୁ ନେଇ ସକାରାତ୍ମକ ପଦକ୍ଷେପ ଗ୍ରହଣ କରନ୍ତି ଆଶାୟୀ ପ୍ରାର୍ôଥ ଉପକୃତ ହୋଇପାରନ୍ତେ । ତତ୍‌ସହିତ ଅନ୍ୟ ରାଜ୍ୟପରି ସରକାରୀ ଚାକିରୀ ପାଇଁ ରାଜ୍ୟ ସରକାର ଆବେଦନର ବୟସ ସୀମା ୪୨ ବର୍ଷକୁ ବୃଦ୍ଧିକଲେ ଶିକ୍ଷିତ ଯୁବକମାନେ ନିଯୁକ୍ତି ପାଇ ପାରନ୍ତେ ଏବଂ ରାଜ୍ୟରେ ବେକାରୀ ସମସ୍ୟା କିଛିମାତ୍ରାରେ ହ୍ରାସ ପାଇପାରନ୍ତା । “୫ ଟି” କୁ ନେଇ ରାଜ୍ୟ ସରକାର ଡ଼ିଣ୍ଡିମ ପିଟୁଥିବା ବେଳେ କରୋନା ମହାମାରୀ ସମୟରେ ଦୁଇବର୍ଷ ପର୍ଯ୍ୟନ୍ତ ନୂତନ ନିଯୁକ୍ତି ପାଇଁ ନିଷେଧାଦେଶ ଜାରୀ କରିବା ଏକ ଯୁବମାରଣ ନୀତି ବୋଲି ମନେହୁଏ । ଏହାଦ୍ୱାରା ଆଶାୟୀ ପ୍ରାର୍ଥୀଙ୍କ ବୟସ ଅତିକ୍ରାନ୍ତ କରିବା ସହିତ ବେକାରୀ ସମସ୍ୟା ବଢିବାର ସ୍ପଷ୍ଟ ପ୍ରମାଣ ମିଳେ । ଓଡ଼ିଶାର କୁଶଳୀ, ଯୁବକମାନେ ପେଟ ପାଟଣା ପାଇଁ ଦେଶାନ୍ତର ହୁଅନ୍ତି । ରାଜ୍ୟ ସରକାର ମେକ୍‌ଇନ ଓଡ଼ିଶା ନାମରେ ଶ୍ଳୋଗାନ ଦିଅନ୍ତି, ଓଡ଼ିଆ ପୁଅ ଦାଦନ ଖଟିବା ପାଇଁ ଅନ୍ୟରାଜ୍ୟକୁ ଯାଏ, ଏହା କେଉଁ ପ୍ରକାର ନିଯୁକ୍ତି ନିୟମ। ନୂତନ ନିଯୁକ୍ତି ନିୟମକୁ “୫ ଟି”ରେ ସାମିଲ କରିବା ସହିତ ସପ୍ଳିମେଣ୍ଟାରୀ ତାଲିକା ପ୍ରକାଶ କରିବା, ଆବେଦନର ବୟସ ସୀମାକୁ ୪୨ ବର୍ଷକୁ ବୃଦ୍ଧି କରିବାକୁ ନିଖିଳ ଓଡ଼ିଶା ପାଇକମହାସଂଘ ରାଜ୍ୟସରକାରଙ୍କ ନିକଟରେ ଦାବି କରିଛି ।
ଯଦି ରାଜ୍ୟ ସରକାର ଏହା ଉପରେ କୌଣସି ତୁରନ୍ତ ପଦକ୍ଷେପ ଗ୍ରହଣ ନକରନ୍ତି ଆଗାମୀ ଦିନରେ ଓଡ଼ିଶାର ଲକ୍ଷଲକ୍ଷ ବେକାର ଯୁବକ, ଯୁବତୀଙ୍କ ପୁଞ୍ଜିଭୂତ ଅସନ୍ତୋଷ ଉଗ୍ରରୂପ ଧାରଣ କରିବା ସହିତ ରାଜରାସ୍ତାକୁ ଓହ୍ଳାଇବ ବୋଲି ଚେତାବନୀ ପ୍ରଦାନ କରାଯାଇଛି ।

loading...

Leave A Reply

Your email address will not be published.