ପିପିଲି : ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରୁଛନ୍ତି ରାଜନୀତି । ସରକାରୀ ଚାକିରୀ ରେ ଥାଇ ମଧ୍ୟ ଯୋଗଦେଇଛନ୍ତି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳରେ । ଯାହାକୁ ନେଇ ଦେଖା ଦେଇଛି ବିବାଦ । ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ପିପିଲି ବ୍ଳକ ଅଧିନ ରୂପଦେଇପୁର ପଂଚାୟତ ନାହାମଙ୍ଗ ପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ନାୟକଙ୍କ ନାମରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ରାଜ୍ୟ ସରକାରଙ୍କ ଚାକିରୀରେ ଥାଇ ସରକାରୀ ବେତନ ନେଉଥିଲେ ମଧ୍ୟ ବିଜେପି ଭଳି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ସେ ଯୋଗ ଦେଇଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡ଼ିଆରେ ସେ ବିଜେପି ରେ ଯୋଗ ଦେଇଥିବା ସମୟର ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ସେ ବେକରେ ବିଜେପି ଉତରୀୟ ପକାଇଥିବା ବେଳେ ଫୁଲମାଳ ମଧ୍ୟ ପକାଇଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କରମର୍ଦନ କରିବା ସହ ହସି ହସି ମଂଚରୁ ତଳକୁ ଓହ୍ଲାଉଥିବା ଫଟୋ ବି ପୋଷ୍ଟ ହୋଇଛି । ତେବେ ବିଜେପି ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସେ ଯୋଗ ଦେଇଥିବା ଅନୁମାନ କରାଯାଉଛି । ତେବେ ଜଣେ ସରକାରୀ କର୍ମଚାରୀ ହୋଇ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ପ୍ରଧାନ ଶିକ୍ଷକଙ୍କ ଯୋଗଦାନକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଗ୍ରାମବାସୀ । ଏନେଇ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ଅଭିଯୋଗ ପତ୍ର ଦାଖଲ ହୋଇଛି । ଯେଉଁଥିରେ ଦର୍ଶାଯାଇଛି ସମ୍ପୃକ୍ତ ପ୍ରଧାନ ଶିକ୍ଷକ ବିଜେପିରେ ଯୋଗଦେବା ପରେ କିଛି ଗ୍ରାମବାସୀଙ୍କୁ ବିଜେପିରେ ଯୋଗଦେବା ପାଇଁ ପ୍ରବର୍ତାଇ ଥିଲେ । ଏଥିରେ ସଫଳ ନହେବାରୁ ଗୁ୍ଣ୍ଡ ଲଗାଇ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ପ୍ରଧାନ ଶିକ୍ଷକ ହିମାଂଶୁ ନାୟକ ଓ ସରକହାରୀ ଶିକ୍ଷକ ରାଧାନାଥ ଦାସ ବିଦ୍ୟାଳୟକୁ ନିୟମିତ ଭାବରେ ବିଳମ୍ବରେ ଆସୁଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ବ୍ଲକ ଶିକ୍ଷାଧିକାରୀ ପ୍ରମୋଦ ପରିଡ଼ା ଘଟଣାସ୍ଥଳ ପରିଦର୍ଶନ କରି ସରଜମିନ ତଦନ୍ତ କରିଥିଲେ । ଶିକ୍ଷକ ମାନେ ନିୟମିତ ଆସିବା ସହ ବିଦ୍ୟାଳୟ ପରିସରକୁ ଶୃଙ୍ଖଳିତ ରଖିବା ପାଇଁ ଶିକ୍ଷକ ମାନଙ୍କୁ ତାଗିଦ୍ କରିଥିଲେ । ସେହିଭଳି ପୁନର୍ବାର ଏଭଳି ଅଭିଯୋଗର ସତ୍ୟସତ୍ୟ ପାଇଁ ଫଟୋ କିମ୍ବା ଭିଡ଼ିଓ ରେକର୍ଡିଙ୍ଗ ରଖିବା ପାଇଁ ଗ୍ରାମବାସୀଙ୍କୁ କହିଥିଲେ । ତେବେ ଗତ ୪ତାରିଖରେ ଶିକ୍ଷକ ଦ୍ୱୟ ବିଳମ୍ବରେ ଆସିଥିବା ବେଳେ ଗ୍ରାମର କିଛି ଯୁବକ ସ୍କୁଲ କ୍ୟାମ୍ପସ୍ରେ ଭିଡ଼ିଓ ସୁଟିଙ୍ଗ୍ କରିଥିଲେ । ଉକ୍ତ ସମୟରେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ କୁଶ ମଳିକ ଓ ସଭ୍ୟ କାହ୍ନୁ ମଳିକ ଭିଡ଼ିଓ ଉତଳୋନ କରୁଥିବା ଯୁବକଙ୍କୁ ବିରୋଧ କରିବା ପରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଯାହାକୁ କେନ୍ଦ୍ର କରି ବଳଙ୍ଗା ଥାନାରେ ୧୦୯/୧୮ ଓ ୧୧୦/୧୮ରେ ଦୁଇ ମାମଲା ରୁଜୁ ହୋଇଛି ।
ସୂଚନା ଯୋଗ୍ୟ କୌଣସି ସରକାରୀ କର୍ମଚାରୀ କିମ୍ବା ଶିକ୍ଷକ, ଅଧ୍ୟାପକ ମାନେ ସିଧାସଳଖ ରାଜନୈତିକ ଦଳରେ ଯୋଗଦେବା ଅବା ରାଜନୈତିକ ସଭା ସମିତି, ଶୋଭାଯାତ୍ରା କିମ୍ବା ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ କଟକଣା ରହିଛି । ଏପରିକି ୨୦୧୧ ନଭେମ୍ବର ୨୩ରେ ନାଗପୁର ଜିଲ୍ଲାର ନୂତନ ଆଦର୍ଶ ଜୁନିୟର କଲେଜର ଅଧ୍ୟାପକ ଶ୍ରୀକାନ୍ତ ପାଣ୍ଡେକୁ ବିଜେପିରେ ଯୋଗଦେଇ ଥିବା ଅଭିଯୋଗରେ ନିଲମ୍ବନ କରାଯାଇଥିବା ବେଳେ ବମ୍ବେ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା । ଜଷ୍ଟିସ୍ ପି.ବି ମଜୁମଦାର ଓ ଜଷ୍ଟିସ୍ ପି.ବି ଭାରାଲେଙ୍କ ଦ୍ୱାରା ଗଠିତ ନାଗପୁର ବେଂଚ୍ ଏହି ପିଟିସନକୁ ଖାରଜ କରିବା ସହ ଚାକିରୀରେ ଥିବା ପର୍ଯ୍ୟନ୍ତ କୌଣସି ସରକାରୀ କର୍ମଚାରୀ ରାଜନୈତିକ ଦଳରେ ଯୋଗ ଦେବା ଆବଶ୍ୟକ ନାହିଁ ବୋଲି ଖଣ୍ଡପୀଠ କହିଥିଲେ । ଏହା ଦ୍ୱାରା ଶୈକ୍ଷିକ ବାତାବରଣ ପ୍ରଭାବିତ ହେବା ସହ ଶିକ୍ଷାଦାନ ବାଧାପ୍ରାପ୍ତ ହେବ ବୋଲି ଖଣ୍ଡପୀଠରେ ମତ ରଖିଥିଲେ । ସେହିଭଳି ସରକାରୀ କର୍ମଚାରୀ (ଉଭୟ ରାଜ୍ୟ ଓ କେନ୍ଦ୍ର ବେତନଭୋଗୀ) ରାଜନୈତିକ ଦଳରେ ସାମିଲ ହେବା ଗ୍ରହଣୀୟ ନୁହେଁ ବୋଲି ମାଡ଼୍ରାସ ହାଇକୋର୍ଟ ବେଂଚ ୨୦୧୦ରେ ଏକ ଶୁଣାଣିରେ କହିଥିଲେ । ଏପରିକି ଏହା ଦ୍ୱାରା ସମ୍ପୃକ୍ତ ବ୍ୟକ୍ତିର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେବ ନାହିଁ ବୋଲି ମଧ୍ୟ ଖଣ୍ଡପୀଠ ମତ ରଖିଥିଲେ । ଖଣ୍ଡପୀଠ କହିଥିଲେ ଦେଶର ସେବା କରିବା ପାଇଁ ଇଚ୍ଛୁକ ବ୍ୟକ୍ତି ସରକାରୀ ଚାକିରୀରୁ ବାହାରି ଯାଇ ରାଜନୀତି କରିପାରିବେ । କିନ୍ତ୍ୁ ଚାକିରୀରେ ଥାଇ ରାଜନୈତିକ ଦଳରେ ଯୋଗ ଦେବା ଦ୍ୱାରା କର୍ମ କ୍ଷେତ୍ର ପ୍ରଭାବିତ ହେବ ବୋଲି ଖଣ୍ଡପୀଠ ଆଶଙ୍କା ବ୍ୟକ୍ତ କରିଥିଲେ । ଅଲ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲସ୍ ୧୯୬୮ର ରୁଲ-୫ ଅନୁସାରେ ଆଇ.ଏ.ଏସ ମାନେ ରାଜନୈତିକ ଦଳରେ ଯୋଗ ଦେଇପାରିବେ ନାହିଁ । ସେହିଭଳି ସେଂଟ୍ରାଲ ସିଭିଲ ସର୍ଭିସ କଣ୍ଡକ୍ଟ ରୁଲ ୧୯୬୪ ରେ ମଧ୍ୟ ଏନେଇ ଉଲ୍ଲେଖ ରହିଛି । ନାହାମଙ୍ଗ ପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ନାୟକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ଯୋଗ ଦେବା ଅଭିଯୋଗ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଏକ ବିରଳ ଅଭିଯୋଗ ବୋଲି ମତପ୍ରକାଶ ପାଇଛି । ତେବେ ବ୍ଲକ ଶିକ୍ଷାଧିକାରୀ ଗ୍ରାମବାସୀଙ୍କ ଅଭିଯୋଗ ପତ୍ରକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖକୁ ପଠାଇ ଥିବା ଜଣାପଡ଼ିଛି ।
Breaking
Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibition