Breaking

ଶକ୍ତି ସଂରକ୍ଷଣ ନିମନ୍ତେ ପ୍ରତ୍ୟେକ ଲୋକ ଉଦ୍ୟମ କରିବା ଆବଶ୍ୟକ-ଶକ୍ତି ମନ୍ତ୍ରୀ

0

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଶକ୍ତି ସଂରକ୍ଷଣ ହିଁ ଏକମାତ୍ର ସରଳ ଉପାୟ, ତେଣୁ ପ୍ରତ୍ୟେକ ଲୋକ ଏ ଦିଗରେ ଉଦ୍ୟମ କରିବା ଆବଶ୍ୟକ ବୋଲି ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଗତକାଲି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଆୟୋଜିତ ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସେ ଏହା ପ୍ରକାଶ କରିଛନ୍ତି । ଶକ୍ତି ସଂରକ୍ଷଣ ଦିଗରେ ଜନସାଧାରଣଙ୍କ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧୪ ତାରିଖରେ ଏହି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଇଥାଏ । କୋଭିଡ୍‌-୧୯କୁ ଆଖି ଆଗରେ ରଖି ଗତକାଲିର ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ୍‌ ମାଧ୍ୟମରେ ପାଳନ କରାଯାଇଥିଲା । ସମାଜର ବିିଭିନ୍ନ ବର୍ଗର ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍‌ ପ୍ରତିଯୋଗିତା, ପୋଷ୍ଟର ଓ ବ୍ୟାନର ପ୍ରଦର୍ଶନ, ଭର୍ଚୁଆଲ୍‌ ବୈଠକ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏସବୁ ପ୍ରତିଯୋଗିତାର ବିଜେତାମାନଙ୍କ ନାମକୁ ଶକ୍ତିମନ୍ତ୍ରୀ ଘୋଷଣା କରିଥିଲେ । ଏହି ଅବସରରେ ଶକ୍ତିମନ୍ତ୍ରୀ ସଂପ୍ରତି ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନ, ମଣିଷ ସମାଜ ପାଇଁ ଏକ ବିରାଟ ଆହ୍ୱାନ ବୋଲି କହିବା ସହ ଏଥି ଯୋଗୁଁ ମେରୁ ଅଞ୍ଚଳରେ ବରଫ ତରଳିବା, ସମୁଦ୍ରର ଜଳପତ୍ତନ ବୃଦ୍ଧି ଘଟିବା ଆଦି ଆମ ପାଇଁ ବିନାଶର କାରଣ ହେବାକୁ ଯାଉଛି ବୋଲି କହିଥିଲେ । ସେ ରାଜ୍ୟରେ ପାରଦର୍ଶି ଶକ୍ତିର ଉନ୍ନତିକରଣ ନିମନ୍ତେ ଏକ ବିଶେଷଜ୍ଞ କମିଟି ଗଠନ ନିମନ୍ତେ ପ୍ରସ୍ତାବ ରଖିଥିଲେ । ଶକ୍ତି ସଂଚୟ ହିଁ ଶକ୍ତି ଉତ୍ପାଦନ ବୋଲି କହିବା ସହ ସେ ରାଜ୍ୟର ଉପାନ୍ତ ଅଞ୍ଚଳରେ ମଧ୍ୟ କେହି ଶକ୍ତି ସେବା ପାଇବାକୁ ଯେପରି ବଞ୍ଚିତ ନହୁଏ ସେଥିପ୍ରତି ବିଭାଗ ଯନିବାନ ହେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ରାଜ୍ୟରେ ଶକ୍ତି କ୍ଷେତ୍ରରେ ହେଉଥିବା ପ୍ରତିଟି ନିର୍ମାଣ, ଶକ୍ତି ଉତ୍ପାଦନ, ଶକ୍ତି ପରିବହନ ଏବଂ ଶକ୍ତି ବିତରଣର ଟିକିନିଖି ସମୀକ୍ଷା ହେବା ଦରକାର, ଏପରିକି ପ୍ରତି ୟୁନିଟ୍‌ ଶକ୍ତିର ହିସାବ ହେବା ଆବଶ୍ୟକ ବୋଲି ଦର୍ଶାଇଥିଲେ । ସେ ଇ-ଯାନ ଉପରେ ଆଲୋକପାତ କରି ଇଭି ନୀତି ପ୍ରଣୟନ ଉପରେ ରାଜ୍ୟ ସରକାର କାର୍ଯ୍ୟାରମ୍ଭ କରିଥିବା ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସରକାରୀ ଅନୁଷ୍ଠାନ, ସରକାରୀ ଉଦ୍ୟୋଗ ସମୂହ, ଶିଳ୍ପ ପ୍ରତିଷ୍ଠାନ ଏବଂ ଶକ୍ତି ବିଶେଷଜ୍ଞମାନେ ସାମିଲ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସର୍ବୋଚ୍ଚ ଯନ୍ତ୍ରୀ (ବିଦୁ୍ୟତ) ନିର୍ଦ୍ଦେଶକ, ରାଜ୍ୟ ଚାପ ନିର୍ଗମନ କେନ୍ଦ୍ର, ମୁଖ୍ୟ ନିର୍ବାହୀ ଅଧିକାରୀ ଟାଟା ଶକ୍ତି କେନ୍ଦ୍ରୀୟ ଓଡ଼ିଶା ବିତରଣ ଲିଃ ଏବଂ ଆଞ୍ଚଳିକ ନିର୍ଦ୍ଦେଶକ, ଜାତୀୟ ଉତ୍ପାଦକତା ପରିଷଦ, ଭୁବନେଶ୍ୱର ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜର ଦୃଷ୍ଟିକୋଣ ପ୍ରଦାନ କରିଥିଲେ ।

loading...

Leave A Reply

Your email address will not be published.