୭ ହାତୀ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଢେଙ୍କାନାଳ : ଢେଙ୍କାନାଳ ସଦର ରେଞ୍ଜରେ ୭ଟି ହାତୀ ମୃତ୍ୟୁ ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ୍ ଟିମ୍ ୩ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ସେସୁର ବହିଷ୍କୃତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ଡଳୀ ସେକ୍ସନ୍ ଫରେଷ୍ଟର ପ୍ରଭାକର ରଣା ଓ ମେରାମଣ୍ଡଳୀ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀ। ବନ ବିଭାଗ ପ୍ରଭାକର ରଣା ଓ ଗିରିଶ ଦେହୁରୀଙ୍କୁ ସସ୍ପେଣ୍ଡ୍ କରିଥିଲା।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୭ ତାରିଖରେ ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗାଁ ପାଖରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ପରେ ଗୋଟିଏ ୭ଟି ହାତୀଙ୍କ ମୃତ୍ୟୁ ଘଟିଥିଲା।ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୮ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟରାର ତଦନ୍ତ ପାଇଁ ୨୯ ତାରିଖରେ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଢେଙ୍କାନାଳ ଯାଇ ତଦନ୍ତ ଆରମ୍ଭ କରିଥିଲେ।ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବନ ବିଭାଗ ପ୍ରଭାକର ଓ ଗିରିଶଙ୍କ ସମେତ ୩ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ସେହିପରି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କ ସହିତ ଅନ୍ୟ ତିନି ଜଣଙ୍କୁ ନିଳମ୍ବିତ କରାଯାଇଛି।