Breaking

ଉତ୍କଳ ବିଶ୍ୱବିଦ୍ୟାଳୟର ୭୮ତମ ପ୍ରତିଷ୍ଠା ଦିବସ ପାଳିତ

.ସମ୍ପୂର୍ଣ୍ଣ ଡିଜିଟାଇଜେସନ ହେବ ଆମ ପ୍ରାଥମିକତା - କହିଲେ ନବନିଯୁକ୍ତ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ •"ଉତ୍କଳ ଅଭିଡ଼ି" ଓ "ମିଡିଆରେ ଉତ୍କଳ" ସ୍ମରଣିକା ଉନ୍ମୋଚନ କଲେ ପୂର୍ବତନ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ

୧୯୪୩ ମସିହାରେ ପ୍ରତିଷ୍ଠିତ ରାଜ୍ୟର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜି ଏହାର ୭୮ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି | ଏହି କାର୍ଯ୍ୟକ୍ରମ କ୍ୟାମ୍ପସର `ନବନିର୍ମିତ ଧର୍ମପଦ କନଭୋକେସନ୍ ହଲରେ ଅନୁଷ୍ଠିତ ହୋଇଥିଲା। ପୂର୍ବତନ କୁଳପତି ପ୍ରଫେସର ସୋମେନ୍ଦ୍ର ମୋହନ ପଟ୍ଟନାୟକ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ “ଉତ୍କଳ ଅଭିଡ଼ି” ନାମକ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ | ଏହି ସ୍ମରଣିକା ଜାଜ୍ଜଲ୍ୟମାନ ଉତ୍କଳ ବିଶ୍ୱବିଦ୍ୟାଳୟର ଗାଥା ସବୁକୁ ଗୋଟିଏ ଜାଗାରେ ଗୁନ୍ଥି ରଖିବାର ଏକ ପ୍ରୟାସ | ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସମସ୍ତ କର୍ମଚାରୀ, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷତାର ନୂତନ ଶିଖରକୁ ପହଞ୍ଚାଇବାରେ ସଭିଙ୍କର ସହଯୋଗ କାମନା କରିଥିଲେ |
“ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ଭାବେ ଯୋଗ ଦେଇ ପ୍ରଫେସର ସବିତା ଆଚାର୍ଯ୍ୟ ଇତିହାସ ରଚିଛନ୍ତି, ” ବୋଲି କହି ପୂର୍ବତନ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ନୂତନ କୁଳପତିଙ୍କୁ ଅଭିନନ୍ଦନ ଜଣାଇଥିଲେ | ସେ କହିଥିଲେ ଉତ୍କଳ ଉଚ୍ଚାଭିମୁଖୀ ଏବଂ ପ୍ରଫେସର ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟ ମହାନ ଉଚ୍ଚତା ହାସିଲ କରିବା ସହ ଦେଶ ଓ ରାଜ୍ୟ ପ୍ରତି ଥିବା ଦାୟିତ୍ୱକୁ ମଧ୍ୟ ସୁଚାରୁ ରୂପେ ତୁଲାଇବ ବୋଲି ତାଙ୍କର ଆଶା ଓ ବିଶ୍ୱାସ | ଏହି ଅବସରରେ ପ୍ରଫେସର ପଟ୍ଟନାୟକ “ମିଡିଆରେ ଉତ୍କଳ” ନାମକ ଏକ ବହି ମଧ୍ୟ ଉନ୍ମୋଚନ କରିଥିଲେ | ଗତ ତିନି ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ହୋଇଥିବା ସମସ୍ତ ଗଣମାଧ୍ୟମ ପ୍ରକାଶନକୁ ନେଇ ଏହି ବହି |
କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦେଶର ସର୍ବୋଚ୍ଚ ବିଶ୍ୱବିଦ୍ୟାଳୟ ମଧ୍ୟରେ ନେଇ ପହଞ୍ଚାଇବା ପାଇଁ ସଂକଳ୍ପବଦ୍ଧ ହୋଇ କହିଥିଲେ, ” ଆସନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏକ ଉତ୍କୃଷ୍ଟତର ଅନୁଷ୍ଠାନ ଭାବେ ଗଢିବାକୁ ଶପଥ ନେବା ଓ ଏହାର ନିରନ୍ତର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବା |” ଏହି ଲକ୍ଷ୍ୟସାଧନ ନିମନ୍ତେ ସେ ସମସ୍ତଙ୍କ ସହଯୋଗ ଲୋଡିଥିଲେ ଏବଂ ଡିଜିଟାଲ ଭିତ୍ତିଭୂମିର ସମ୍ପ୍ରସାରଣ, ଶିକ୍ଷାଦାନ ଏବଂ ଶିକ୍ଷଣ ପାଇଁ ଉନ୍ନତ ଉପକରଣ ଏବଂ କ୍ୟାମ୍ପସର ପରିଷ୍କାର ପରିଚ୍ଛନ୍ନତା ତାଙ୍କ ଧ୍ୟାନ କେନ୍ଦ୍ର ହୋଇ ରହିବ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ କୁଳସଚିବ ଡକ୍ଟର ଅଭୟ କୁମାର ନାୟକ ବିଶ୍ୱବିଦ୍ୟାଳୟ ଉପରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ ଯେଉଁଥିରେ ସେ ଗତବର୍ଷର ସମସ୍ତ ସଫଳତାର ମାଇଲଖୁଣ୍ଟି ସମ୍ବନ୍ଧରେ ସେ ସୂଚନା ଦେଇଥିଲେ | କୋଭିଡ୍ ଆମ ସମ୍ମୁଖରେ ଏକ ବିରାଟ ଆହ୍ୱାନ ଉପସ୍ଥାପନ କରିଛି, କିନ୍ତୁ ଆମେ ଶିକ୍ଷା ଏବଂ ଅନୁସନ୍ଧାନକୁ ବଜାୟ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଛୁ ବୋଲି ଡକ୍ଟର ନାୟକ କହିଥିଲେ ।
•ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ଅଫିସ ଜରିଆରେ ବିଭିନ୍ନ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସହ ଚୁକ୍ତିପତ୍ର ସ୍ୱାକ୍ଷରିତ
•ଗ୍ରାମୀଣ କ୍ୟାମ୍ପସ, ଚଣ୍ଡିଖୋଲରେ ୪ଟି ନୂତନ ପାଠ୍ୟକ୍ରମ ଆରମ୍ଭ
•ପ୍ରଥମ ଥର ପାଇଁ HRDCର ଅନଲାଇନ ପାଠ୍ୟକ୍ରମ ଆରମ୍ଭ
•୧୬୭ ଛାତ୍ରଛାତ୍ରୀ ପାଇଛନ୍ତି ୟୁଜିସି-ନେଟ
•କ୍ୟାମ୍ପସରେ ଭିତ୍ତିଭୂମି ବିକାଶ
ପି.ଜି ପରିଷଦର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଏହି ଅବସରରେ ସ୍ୱାଗତ ସମ୍ଭାଷଣ ଦେଇ କହିଥିଲେ, “ଆଜି ଏହି ପୁଣ୍ୟ ଅବସରରେ ଆମର ଲକ୍ଷ୍ୟ, ସଫଳତା ଏବଂ ତ୍ରୁଟି ବିଷୟରେ ଅନୁଧ୍ୟାନ କରିବା ଏବଂ ଆଗାମୀ ଦିନରେ ନିଜକୁ ଉନ୍ନତରୁ ଉନ୍ନତତର କରିବା ପାଇଁ ଆମେ ଶପଥ ଗ୍ରହଣ କରିବା ଉଚିତ |”
କାର୍ଯ୍ୟକ୍ରମର ଶେଷରେ କୁଳପତି ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ | ଛାତ୍ର କଲ୍ୟାଣ ବିଭାଗର ନିର୍ଦ୍ଦେଶକ, ଡ଼ଃ ସୁଶାନ୍ତ ବଡ଼ମାଳୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରମାନେ ଯୋଗ ଦେଇଥିଲେ |

loading...

Leave A Reply

Your email address will not be published.