କୋରାପୁଟ: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କୋରାପୁଟ ଜିଲ୍ଲା ବିଷମକଟକ ଓ ଗୁଣୁପୁର ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ବିରୋଧୀଙ୍କୁ ନିଜ ଭାଷଣରେ ଶାଣିତ ଆକ୍ରମଣ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ଲୋକଙ୍କ ଉତ୍ସାହ ଦେଖି, ସେମାନଙ୍କ ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜିଛି । ସେମାନେ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନ ସମୟରେ ସେମାନେ ମିଠା ମିଠା କଥା କୁହନ୍ତି, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳନ୍ତି ନାହିଁ, ଓଡିଶା ପାଇଁ ସେମାନେ ଟଙ୍କାକର କାମ କରିନାହାନ୍ତି। ନିର୍ବାଚନ ସରିଲେ ମୁଁ କିନ୍ତୁ ଆପଣମାନଙ୍କ ପାଖକୁ ଧନ୍ୟବାଦ ଦେବାକୁ ଆସିବି। ଜନଜାତିଙ୍କ କଳା ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଏଥିରେ ଜନଜାତିଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ କରାଯାଉଛି। କେଉଁ ରାଜ୍ୟରେ ବି ଏଭଳି ପଦକ୍ଷେପ ନିଆଯାଇନାହିଁ ବୋଲି ସେ କହିଥିଲେ । ଆମ କାମର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆପଣଙ୍କ ଅନୁରୋଧରେ ଆମେ ଯେଉଁ ସବୁ କାମ ପାଇଁ ପଦକ୍ଷେପ ନେଇଛୁ, ସେ ସବୁ କାମର ହିସାବ ଦେବା ପାଇଁ ଆସିଛି ସେ କହିଥିଲେ ଯେ ବିଷମକଟକରେ ୧୬୦ କୋଟି ଟଙ୍କାର କାମ ଚାଲିଛି। ବିଷମକଟକ ଓ ମୁନିଗୁଡା ଏନଏସି ହୋଇଛି, କଲ୍ୟାଣସିଂପୁର ହସ୍ପିଟାଲ CHC ହୋଇଛି, ଡଙ୍ଗରିଆ କନ୍ଧଙ୍କ ପାଇଁ ଘର, SC ହଷ୍ଟେଲ, ଡ୍ୟାମ ଆଦି ମଞ୍ଜୁର ହୋଇଛି। ସେହିପରି ସଉରା ମନ୍ଦିର ସହିତ ୧୦୦ଟି ମନ୍ଦିର, ମସ୍ଜିଦ, ଚର୍ଚ୍ଚ ପାଇଁ ଅର୍ଥ ମଞ୍ଜୁର ହୋଇଛି। ଗୁଣୁପୁର ପାଇଁ ୧୩୭୦ କୋଟି ଟଙ୍କାର କାମ ଚାଲିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ କେବଳ ଜଳସେଚନ ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ହରଭଙ୍ଗି ନଦୀ ଓ ବିଶ୍ରା ନାଳି ଉପରେ ଆଡିବନ୍ଧ ଦ୍ବାରା ଜଳସେଚନ କ୍ଷେତ୍ରରେ ବିଶେଷ ଉନ୍ନତି ହେବ।
ସେ କହିଥିଲେ ଯେ ବଡ ବଡ ହସ୍ପିଟାଲକୁ ଗରିବ ଲୋକ, ଜନଜାତି ଭାଇଭଉଣୀ ଯିବା ପାଇଁ ଭୟ କରନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ସେ ଭୟ ଦୂର କରିଛନ୍ତି, ଗୁଣୁପୁରର ୮୦,୫୦୦ ପରିବାର BSKY କାର୍ଡ ପାଇଛନ୍ତି। ଗୁଣୁପୁରର ଗୋଟିଏ ଛୋଟ ଝିଅର କ୍ୟାନସର ଚିକିତ୍ସା ପାଇଁ ୯.୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବର୍ତ୍ତମାନ ସେ ପିଲା ସୁସ୍ଥ ହୋଇଛି ଓ ତା ବାପା ମାଙ୍କ ମୁହଁରେ ହସ ଫୁଟିଛି। ଏ ହେଉଛି ଆମ ମୁଖ୍ୟମନ୍ତ୍ରୀଙ୍କ କାମର ନମୁନା । ଆନ୍ତରିକତାର ନମୁନା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ସ୍ବାସ୍ଥ୍ୟସେବା ପାଉଥିବା ବେଳେ, ବିରୋଧୀ ଏହାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ବି ସେମାନେ ସହିପାରୁ ନାହାନ୍ତି। ତାକୁ ମଧ୍ୟ ବନ୍ଦ କରିବାକୁ ଚାହୁଁଛନ୍ତି। ଜନତା ତାଙ୍କୁ ଉଚିତ ଜବାବ ଦେବେ । ଏଠାରେ ଅନ୍ୟ ଦଳରୁ ଜଣେ ସାଂସଦ ହୋଇଛନ୍ତି । ଗତ ୫ ବର୍ଷ ମଧ୍ୟରେ ସେ କଣ କରିଛନ୍ତି, କେହି ଜାଣନ୍ତି ନାହିଁ । ତେଣୁ ଆପଣମାନେ ଉଭୟ ବିଧାନସଭା ଓ ଲୋକସଭାରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଦୁଇ ଥର ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଟାଣ କରିବାକୁ ସେ ଆହ୍ବାନ ଦେଇଥିଲେ। ଏହାସହିତ ଶ୍ରୀ ପାଣ୍ଡିଆନ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣ ଓ ବିକାଶ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଏହି ସଭାରେ ସାଂସଦ ପ୍ରାର୍ଥୀ ଶ୍ରୀମତୀ କୌଶଲ୍ୟା ହିକକା ଓ ବିଷମକଟକ ବିଧାନସଭା ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ସାରକା ଏବଂ ଗୁଣୁପୁର ବିଧାୟକ ପ୍ରାର୍ଥୀ ଶ୍ରୀ ରଘୁନାଥ ଗମାଙ୍ଗଙ୍କ ସହିତ ବିଜୁ ଜନତା ଦଳର ଅନେକ ନେତା ଅଭିଭାଷଣ ରଖିଥିଲେ ।
Breaking
BMPS TAKSHILA SCHOOL – AVISHKAAROdisha is proud of a generation of youth who are conscious, committed, and courageous. You are rooted in tradition and ready to lead in innovation,” said the GovernorIndia’s First Probiotic Cheese Brand ‘Curious Cheese’ Launches in OdishaManaging Life with High LDL Cholesterol: What You Need to KnowIIMT’s Commitment to International Collaboration and Academic Excellence