ଭୁବନେଶ୍ଵର : ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ସୋମବାର ଦିନ ଭୁବନେଶ୍ଵର ସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏଥିରେ ଭୁବନେଶ୍ଵର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଓଡ଼ିଶାର ୩ ଜଣ ବିଶିଷ୍ଟ ନାରୀ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା। ସମ୍ମାନୀତ ହୋଇଥିବା ପ୍ରତିଭାମାନେ ହେଲେ ଓଡ଼ିଶାର ପ୍ରଥମ ମହିଳା ଭିଡିଓ ଜର୍ଣ୍ଣାଲିଷ୍ଟ ଜ୍ୟୋତ୍ସ୍ନାରାଣୀ ଦଳାଇ, ମହିଳା ରଗ୍ବୀ ଖେଳାଳି ସୁମିତ୍ରା ନାୟକ ଏବଂ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ଵରୀ ରାୟମହାପାତ୍ର। “ୟୁସିସିଆଇ ଲେଡିଜ୍ ଫୋରମ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଶକ୍ତ କରାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସୁଛି। ବିଶେଷକରି ଉଦ୍ୟୋଗ ପ୍ରତିଷ୍ଠା ଏବଂ ତା’ର ଅଭିବୃଦ୍ଧି କ୍ଷେତ୍ରରେ ମହିଳାମାନେ କିଭଳି ଆଗକୁ ଆସିପାରିବେ, ସେ ଦିଗରେ ଫୋରମର ଭୂମିକା ପ୍ରଶଂସନୀୟ”, କହିଛନ୍ତି ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ।

ଏହି କାର୍ଯ୍ୟକ୍ରମରେ ୟୁସିସିଆଇ ସଭାପତି ବ୍ରହ୍ମାନନ୍ଦ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନାରୀ ସଶକ୍ତିକରଣ କ୍ଷେତ୍ରରେ ୟୁସିସିଆଇ ଲେଡିଜ୍ ଫୋରମ ପକ୍ଷରୁ ହେଉଥିବା ସମସ୍ତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେହିପରି ବିଶିଷ୍ଟ ଓଡ଼ିଆ ଉଦ୍ୟୋଗୀ ସୁଶାନ୍ତ କୁମାର ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅନ୍ୟସବୁ କ୍ଷେତ୍ର ପରି ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ମହିଳାମାନେ କିଭଳି ସଫଳ ହୋଇପାରୁଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ।

ଏହି ଅବସରରେ ୟୁସିସିଆଇ ଲେଡିଜ୍ ଫୋରମର ବିଶେଷ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଡ୍ୟାନ୍ସ ଏକାଡେମି ଗ୍ରୁପର କଳାକାରମାନେ ଓଡ଼ିଶୀ ଏବଂ ସମ୍ଵଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ୟୁସିସିଆଇ ଲେଡିଜ୍ ଫୋରମର ଉପଦେଷ୍ଟା ଗୀତାରାଣୀ ପାଢ଼ୀ, ଜୟନ୍ତ ସାହୁ ଏବଂ ଜ୍ୟୋତି ପ୍ରକାଶ ଦାସଙ୍କୁ ଫୋରମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ୟୁସିସିଆଇ ଲେଜିଡ୍ ଫୋରମର ସଭାନେତ୍ରୀ ସ୍ଵର୍ଣ୍ଣପ୍ରଭା ସାମଲ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ହିମାଂଶୁବାଳା ମହାନ୍ତି ଫୋରମର ବାର୍ଷିକ ବିବରଣୀ ପାଠ କରିଥିଲେ। ଫୋରମର ସଦସ୍ୟା ଶ୍ଵେତା ଦାସ ଏବଂ ଅର୍ଚ୍ଚନା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଫୋରମର ପୂର୍ବତନ ସଭାନେତ୍ରୀ ଭାରତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ୱେତା ପ୍ରଧାନ, ସବିତା ଦାସ, ନମିତା ମହାପାତ୍ର, ଭାରତୀ ରାଠୋର, ମିନତୀ ଦାସ, ପ୍ରଣତୀ ପରିଡ଼ା ଏବଂ ସୋନାଲି ଚୌଧୁରୀଙ୍କ ସମେତ ୟୁସିସିଆଇ ଲେଡିଜ୍ ଫୋରମର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story