Breaking

ଶ୍ରୀମନ୍ଦିରକୁ ପାନ-ଗୁଟ୍‌ଖା ମନା, ଉଲଂଘନ କଲେ ଲାଗିବ ଜରିମାନା

0

ପୁରୀ: ଶ୍ରୀମନ୍ଦିର ପରିଚାଳନା ବୈଠକରେ ସୋମବାର ବଡ ନିଷ୍ପତି ହୋଇଛି। ବୈଠକରେ ନିଷ୍ପତ୍ତି ଅନୁସାରେ ଅଗଷ୍ଟ ପହିଲାରୁ ଶ୍ରୀମନ୍ଦିର ପରିସରକୁ ପାନ ଓ ଗୁଟଖା ପ୍ରବେଶ ନିଷିଦ୍ଧ କରାଯାଇଛି। କୌଣସି ସେବାୟତ କିମ୍ବା ଶ୍ରଦ୍ଧାଳୁ ଶ୍ରୀମନ୍ଦିର ପରିସର ଭିତରକୁ ସାଥୀରେ ପାନ ଓ ଗୁଟଖା ନେଇ ପାରିବେ ନାହିଁ। ପାନ ଓ ଗୁଟଖା ପ୍ରବେଶ ନିଷିଦ୍ଧ ନେଇ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୂଚନା ଫଳକ ମଧ୍ୟ ଲଗାଯିବ। ତେବେ ଏହାପରେ ମଧ୍ୟ ଯଦି କୌଣସି ଭକ୍ତ ଓ ସେବାୟତ ଗୁଟଖା ଓ ପାନ ନେଇ ମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି ତେବେ ସେମାନଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।

ଏହାଛଡା ପରିଚାଳନା ବୈଠକରେ ଚଳିତ ରଥଯାତ୍ର୍ରାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିଥିବାରୁ ରାଜ୍ୟ ସରକାର, ସେବାୟତ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଦିଆଯାଇଛି। ତେବେ ସ୍ନାନପୂର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ମଧ୍ୟରେ ଯେଉଁ ଅଳ୍ପ କିଛି ବିଶୃଙ୍ଖଳା ଦେଖିବାକୁ ମିଳିଥିଲା ତାହାର ସମୀକ୍ଷା ପାଇଁ ଏକ ସବକମିଟି ଗଠନ କରାଯାଇଛି। ଏପରିକି ଏଥିରେ ସମ୍ପୃକ୍ତ ଥିବା ୨୫ ଜଣଙ୍କୁ ନୋଟିସ ଜାରି କରାଯାଇଛି।

ସେହିଭଳି ମହାପ୍ରଭୁଙ୍କ କୌଣସି ନୀତିରେ ବିଶୃଙ୍ଖଳା ବରଦାସ୍ତ କରାଯିବନି ବୋଲି ପରିଚାଳନା ବୈଠକରେ ସ୍ପଷ୍ଟ କରାଯାଇଛି। ଏହାବାଦ୍‌ ରଥଯାତ୍ରା ସମୟରେ ଶ୍ରୀମନ୍ଦିରକୁ ଫୁଲରେ ସଜ୍ଜିତ କରିଥିବା ଦିଲ୍ଲୀର କେକେ ଶର୍ମାଙ୍କୁ ସମ୍ମାନିତ କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି। ଏହାପୂର୍ବରୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ନିୟମ ଲାଗୁ କରାଯାଇଛି।

loading...

Leave A Reply

Your email address will not be published.