Breaking

ରାଜଧାନୀରେ ଲୁଟେରାରାଜ୍‌, ଦମ୍ପତିଙ୍କଠାରୁ ସାଢ଼େ ୩ଲକ୍ଷ ଟଙ୍କାର ଗହଣା ଲୁଟ୍‌

0

ପୁରୀ ବାଇପାସ୍‌ର ନିଛାଟିଆ ରାସ୍ତା ଏବେ ଲୁଟେରାଙ୍କ ଭୂ-ସ୍ବର୍ଗ ପାଲଟିଛି। ଆଜି ଏହି ରାସ୍ତା‌‌ରେ ଥିବା ଏକ ପୁରୁଣା ଗାଡ଼ି ସୋ’ ରୁମ୍‌ (ମହିମା ମୋଟର୍ସ)ର ମାଲିକ ତଥା ବିଲଡର୍‌ଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗୁଳିମାଡ଼ର ଶିକାର ହୋଇଥିବା ବିଲଡର୍‌ଜଣଙ୍କ ହେଲେ, ତାପସ ରଞ୍ଜନ ପରିଡ଼ା। ତାଙ୍କ ଡାହାଣ କାନ୍ଧରେ ଗୋଟିଏ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୧ଟା ବେଳେ ତାପସ ମହିମା ମୋଟର୍ସରେ ଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ସୋ’ ରୁମ୍‌ ଭିତରକୁ ଧସେଇ ପଶିଥିଲେ। ସେଠାରେ ଥିବା କର୍ମଚାରୀମାନଙ୍କୁ ଧମକଚମକ ଦେବା ସହ ତାପସଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ମାଗିଥିଲେ। କିନ୍ତୁ ଏଥିରେ ତାପସ ଭୟଭୀତ ନହୋଇ ବଚସା କରିବାରୁ ସେମାନେ ୨ ରାଉଣ୍ଡ ଫାୟାରିଂ କରିଥିଲେ। ଗୋଟିଏ ଗୁଳି ତାପସଙ୍କ ଡାହାଣ କାନ୍ଧରେ ବାଜିଥିବା ବେଳେ ଆଉ ଗୋଟିଏ ମୁଣ୍ଡଠାରୁ ଦୁଇଇଞ୍ଚ ଦୂରରେ ଚାଲି ଯାଇଥିଲା ବୋଲି ସେ କହିଛନ୍ତି। ପରେ ଦୁର୍ବୃତ୍ତଦ୍ବୟ ତାଙ୍କ କ୍ୟାସ୍‌ ଡ୍ରୟର୍‌ରେ ଥିବା ୪ଲକ୍ଷ ଟଙ୍କା ଲୁଟି ନେଇଥିଲେ। ମଞ୍ଚେଶ୍ବର ଥାନା ପୁଲିସ ସୋ’ ରୁମ୍‌ରେ ପହଞ୍ଚି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିବା ସହ ତାପସଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗ୍ରାହକଙ୍କୁ ବି ହାଣିଲେ
ତାପସଙ୍କୁ ଗୁଳିମାଡ଼ କରି ଲୁଟ୍‌ କରିବା ସମୟରେ ମୟୂରଭଂଜ ରାଇରଙ୍ଗପୁରର ଭିକି ଶର୍ମା ଓ ବାଦାମ ପାହାଡ଼ର ଅସିମ୍‌ ପାଲ ପୁରୁଣା ଗାଡ଼ି କିଣିବା ପାଇଁ ମହିମା ମୋଟର୍ସରେ ପହଞ୍ଚିଥିଲେ। ସେମାନେ କିଛି ଜାଣିବା ପୂର୍ବରୁ ଦୁର୍ବୃତ୍ତଦ୍ବୟ ଘେରିଯାଇ ତାଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ପ୍ରତିବାଦ କରିବାରୁ ସେମାନେ ଭିକିଙ୍କ ମୁଣ୍ଡକୁ ବନ୍ଧୁକରେ ଛେଚି ଦେବା ସହ ଅସିମ୍‌ଙ୍କୁ ଭୁଜାଲିରେ ହାଣି ଫେରାର୍‌ ହୋଇଯାଇଥିଲେ। ସୋ’ରୁମ୍‌ର କର୍ମଚାରୀମାନେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲେ। ଅସିମ୍‌ଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାଯାଇଛି। ସେ ଏବେ କ୍ୟାପିଟାଲ ହସ୍ପିଟାଲ‌ରେ ଚିକିତ୍ସିତ ହେଉଛନ୍ତି। ଏନେଇ ଆଜି ରାତିରେ ଅଭିଯୋଗ ହେବା ପରେ ମଞ୍ଚେଶ୍ବର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ବାଦ୍‌ ପଡ଼ିଲେନି ବରିଷ୍ଠ ନାଗରିକ
ଦମ୍ପତିଙ୍କୁ ଲୁଟିବାର ଅଧଘଣ୍ଟା ପୂର୍ବରୁ ମଞ୍ଚେଶ୍ବର ଥାନା ଅଧୀନ ଆଦିମାତା କଲୋନିରେ ଆଉ ଏକ ବଡ଼ଧରଣର ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ବରିଷ୍ଠ ନାଗରିକ ସଦାନନ୍ଦ ବିଶ୍ବାଳ। ସେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ଆଜି ସକାଳ ପ୍ରାୟ ସାଢ଼େ ୪ଟା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଘର ଭିତରକୁ ଧସେଇ ପଶିଥିଲେ। ସଦାନନ୍ଦ ପାଟି କରିବା ପୂର୍ବରୁ ସେମାନେ ତାଙ୍କ ମୁଣ୍ଡରେ ଏକ ଭୁଜାଲି ଲଗାଇ ହତ୍ୟା ଧମକ ଦେଇଥିଲେ। ପରେ ଦୁର୍ବୃତ୍ତମାନେ ତାଙ୍କ ଆଲମାରିରେ ଥିବା ସବୁ ସୁନା ଅଳଙ୍କାର ଲୁଟି ନେଇଥିଲେ। ଲୁଟେରାମାନେ ଯିବା ପରେ ସଦାନନ୍ଦ ମଞ୍ଚେଶ୍ବର ଥାନା‌କୁ ଜଣାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ଲୁଟେରାଙ୍କୁ ଠାବ କରିବା ପାଇଁ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ତଦନ୍ତ ଚଳାଇଛି।
ଦମ୍ପତିଙ୍କଠାରୁ ସାଢ଼େ ୩ଲକ୍ଷ ଟଙ୍କାର ଗହଣା ଲୁଟ୍‌
ଗାଡ଼କଣ ଅଞ୍ଚଳର ଉମାକାନ୍ତ ମିଶ୍ର ଆଜି ସପରିବାର ବ୍ରହ୍ମପୁର ଯିବା ପାଇଁ ଘରୁ ବାହାରିଥିଲେ। ସକାଳ ପ୍ରାୟ ୫ଟା ବେଳେ ସେମାନେ ଏକେ ଅଟୋରେ ଷ୍ଟେସନ୍‌ ଯାଉଥିଲେ। ଠିକ୍‌ ସେତିକିବେଳେ ଏକ ପଲସର୍‌ରେ ତିନିଜଣ ଯୁବକ ସେମାନଙ୍କୁ ପିଛା କରି ରେଲ୍‌ୱେ ମାର୍କେଟ୍‌ ପାଖ ଆଦିମାତା କଲୋନି ଗାଙ୍ଗୁରାମ ଦୋକାନ କଡ଼ରେ ଅଟକାଇଥିଲେ। ବାଇକ୍‌ ରଖି ରାସ୍ତା ଅବରୋଧ କରିବା ପରେ ସେମାନଙ୍କ ମଧ୍ୟରୁ ଜଣେ ଉମାକାନ୍ତ ଓ ତାଙ୍କ ନାବାଳିକା ଝିଅ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲା। ଆଉ ଜଣେ ଉମାକାନ୍ତଙ୍କ ପତ୍ନୀ ସୁପ୍ରଭାଙ୍କ ବେକରେ ଭୁଜାଲି ଲଗାଇ ସମସ୍ତ ସୁନାଗହଣା ଦେଇ‌ଦେବାକୁ କହିଥିଲା। ଭୟରେ ସୁପ୍ରଭା କାନରୁ କାନଫୁଲ, ଚୁଡ଼ି, ମୁଦି ଏବଂ ଉମାକାନ୍ତ ମୁଦି ଓ ସବୁତକ ନଗଦ ଟଙ୍କା ସେମାନଙ୍କୁ ଦେଇ ଦେଇଥି‌ଲେ। ସକାଳୁ ସକାଳୁ ଏହି ରାସ୍ତାରେ ଲୋକଙ୍କ ଯଥେଷ୍ଟ ଭିଡ଼ ଥିଲେ ମଧ୍ୟ ଦୁର୍ବୃତ୍ତମାନେ ଅନାୟାସରେ ପାଖାପାଖି ସାଢ଼େ ୩ଲକ୍ଷ ଟଙ୍କାର ଗହଣା ଓ ନଗଦ ଟଙ୍କା ନେଇ ଫେରାର୍‌ ହୋଇଯାଇଥିଲେ। ‘ଏଭଳି ଦୃଶ୍ୟ ଚଳଚ୍ଚିତ୍ରରେ ଦେଖିଥିଲି। ହେଲେ ଆଜି ଅଙ୍ଗେ ନିଭେଇଲି। ସ୍ବାମୀ ଓ ଝିଅ ମୁଣ୍ଡରେ ବନ୍ଧୁକ ଲାଗିଥିଲା। ଗୁଳି ଫୁଟିବାକୁ ଆଉ କେତେ ସମୟ? ଛୋଟ ପିଲା ଦୁଇଟି ଭୟରେ ମୂକ ପାଲଟି ଯାଇଥିଲେ ବୋଲି ଗଣମାଧ୍ୟମରେ କହିବା ବେଳେ ଦମ୍ପତି କାନ୍ଦି ପକାଇଥିଲେ। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଚେଷ୍ଟା ଚଳାଇଛି। କିନ୍ତୁ ଶେଷ ରିପୋର୍ଟ ଲେଖା ହେବା ବେଳକୁ ଲୁଟେରାଙ୍କ ଟେର୍‌ ପାଇ ପାରିନଥିଲା।

ଗୋଡ଼ାଇ ଗୋଡ଼ାଇ ହାଣିଲେ, ଉଦ୍ଧାର କଲା ପୁଲିସ
ଭୁବନେଶ୍ୱର: ଏୟାରଫିଲ୍ଡ ଥାନାଠାରୁ କିଛି ଦୂରରେ ଜଣେ ଯୁବକଙ୍କୁ କିଛି ଲୋକ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଭୁଜାଲି, ଖଣ୍ଡା ପ୍ରଭୃତି ମାରଣାସ୍ତ୍ର ଧରି ଦୁର୍ବୃତ୍ତମାନେ ତାଙ୍କୁ ହାଣିଥିବାରୁ ତାଙ୍କ କାନ୍ଧ, ପିଠି ଓ ଗୋଡ଼‌ରେ ଗଭୀର ଆଘାତ ଲାଗିଛି। ଏହି ଆକ୍ରମଣର ଶିକାର ହୋଇଥିବା ଯୁବକ ହେଉଛନ୍ତି ହାତିଆଶୁଣିର ଅଧୀନ ବରାଳ। ଖବର ପାଇ ଏୟାରପିଲ୍ଡ ଥାନା ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ସୂଚନା ମୁତାବକ, ନିକଟ ଅତୀତରେ ପାରିବାରିକ କନ୍ଦଳକୁ କେନ୍ଦ୍ର କରି ତାଙ୍କ ନାମରେ ଅଭିଯୋଗ ହେବାରୁ ସେ ଜେଲ୍‌ ଯାଇଥି‌ଲେ। ଗତକାଲି ସେ ଜାମିନ୍‌ରେ ମୁକୁଳିଥିଲେ। ଆଜି ସନ୍ଧ୍ୟାରେ ସେ କପିଳେଶ୍ବର ଯାଇଥିଲେ। ସେଠାରୁ ଫେରିବା ବେଳେ ପ୍ରାୟ ୯ଟା ବେଳେ ୪ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ତେବେ ତାଙ୍କୁ କିଏ କାହିଁକି ଆକ୍ରମଣ କଲା ସେ କହିପାରି ନାହାନ୍ତି। ଏୟାରଫିଲ୍ଡ ଥାନା ପୁଲିସ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଥିବା ବେଳେ ସିସିଟିଭି ଫୁଟେଜ୍‌ ଅନୁଧ୍ୟାନ କରୁଛି।

loading...

Leave A Reply

Your email address will not be published.